ପୁରୀ: ରଥଯାତ୍ରାର ମହାପର୍ବ ଚାଲିଥିବାବେଳେ ଆଜି ଜଣେ କାର୍ ଚାଳକ ସିରିଜ୍ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଛି। ଏଥିରେ ୩ ଜଣ ସଫେଇ କର୍ମଚାରୀ, ୩ରୁ ଅଧିକ ବାଇକ୍ ଚାଳକ ଆହତ ହୋଇଛନ୍ତି। ୩ ଜଣ ସଫେଇ କର୍ମଚାରୀଙ୍କ ଅବସ୍ଥା ଗୁରୁତର ଥିବାରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସଫେଇ କର୍ମଚାରୀଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ଦୁଇ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ପୁରୁଷ ଜଣଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଦୁଇଜଣଙ୍କ ଅବସ୍ଥା ବି ଭଲ ନାହିଁ। ତିନି ସଫେଇ କର୍ମଚାରୀ ହେଲେ କଟକ ପଶାଣିଆର ଗୌରୀ ଦେହୁରି(୩୫), ବାଙ୍କିର ଦେବଯାନୀ ନାୟକ(୪୫) ଓ କନ୍ଧମାଳ ରୁତୁଙ୍ଗିଆର ସୁଦାମ ବେହେରା(୪୬)। ତେବେ ବିଳମ୍ବିତ ରାତିରେ କାର୍ ଚାଳକ କଟକ ଶିଖରପୁର ଅଞ୍ଚଳର ଉମେଶ ଭଟ୍ଟାଚାର୍ଯ୍ୟକୁ ସାକ୍ଷୀଗୋପାଳ ନିକଟ ବୀରପ୍ରତାପପୁରଠାରେ ହାଇୱେ ପାଟ୍ରୋଲିଂ ପୁଲିସ କାବୁ କରିଛନ୍ତି। ଖବର ଲେଖାହେବା ସୁଦ୍ଧା କାର୍ ନମ୍ବର ମିଳିପାରିନି, କିନ୍ତୁ ଇକୋ ସ୍ପୋର୍ଟ୍ସ କାର୍ ବୋଲି ଜଣାପଡ଼ିଛି।
ସିରିଜ ଦୁର୍ଘଟଣା ଘଟାଇ ଫେରାର୍ କାର୍ ଚାଳକକୁ କାବୁ କଲା ହାଇୱେ ପାଟ୍ରୋଲିଂ ପୁଲିସ
ପ୍ରଥମେ ସମୁଦ୍ର କୂଳରେ, ପରେ ବଡ଼ଦାଣ୍ଡରେ ଗାଡ଼ି ଧକ୍କା କରି ଛୁ
ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ରାତିରେ ସଫେଇ କର୍ମଚାରୀମାନେ ବଡ଼ଦାଣ୍ଡରେ ଧାରଣା ଦେଇଥିଲେ। ପୁରୀ ପୌରପାଳିକା ଓ ଜାଗୃତିର ଅଧିକାରୀ ଆସି ବୁଝାଶୁଝା ଓ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେବା ପରେ ସଫେଇ କର୍ମଚାରୀମାନେ ଆନ୍ଦୋଳନରୁ ଓହରିଛନ୍ତି। ଦୁର୍ଭାଗ୍ୟର କଥା, ଯେଉଁ ନେତାମାନେ ସେବାୟତଙ୍କ ପାଇଁ ଡାକ୍ତରଖାନାରେ ଭିଡ଼ ଲଗାଇଥିଲେ, ସେମାନେ ଗୁରୁତର ସଫେଇ କର୍ମଚାରୀଙ୍କୁ ଆହା ପଦେ କହିନାହାନ୍ତି କି ଦେଖିବାକୁ ଆସିନାହାନ୍ତି। ଆଜି ସଂଧ୍ୟାରେ ଏହି କାର୍ ଚାଳକ ପୁରୀ ବେଳାଭୂମି ରାସ୍ତାରେ ପ୍ରଥମେ ଜଣେ ବାଇକ୍ ଚାଳକଙ୍କୁ ଧକ୍କା ଦେଇଥିଲା। ବାଇକ୍ ଚାଳକ କାର୍କୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ଚାଳକ ଜଣକ ବାଲିସାହି ରାସ୍ତା ଦେଇ ବଡ଼ଦାଣ୍ଡକୁ ବାହାରି ଖସି ପଳାଉଥିବା ବେଳେ ପୁଣି ବଳଗଣ୍ଡି ଛକରେ ଏକ ସ୍କୁଟି ଚାଳକଙ୍କୁ ଧକ୍କା ଦେଇଥିଲା। ସ୍କୁଟିରେ ଯାଉଥିବା ଭାଇ-ଭଉଣୀ ପୁରୀ ମାର୍କଣ୍ଡେଶ୍ୱର ସାହିର ଋତୁପର୍ଣ୍ଣା ସାହୁ, ଆଶୁତୋଷ ପ୍ରଧାନ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ସେମାନେ ଘରକୁ ପଳାଇଛନ୍ତି। ଏହି ସ୍କୁଟିକୁ ଧକ୍କା ଦେବା ପରେ ପୁଣି ଚାଳକ ଜଣକ ବଡ଼ଦାଣ୍ଡ ସଫା କରୁଥିବା ଜାଗୃତିର ସଫେଇ କର୍ମଚାରୀଙ୍କୁ ଧକ୍କା ଦେଇଥିଲା। ଏଥିରେ ସୁଦାମ, ଗୌରୀ, ଦେବଯାନୀ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତଥାପି ଚାଳକ ଜଣକ ନ ଅଟକି ମେଡିକାଲ୍ ଛକ ଦେଇ ଖସି ପଳାଉଥିବାବେଳେ ପୁଣି କୁମ୍ଭାରପଡ଼ା ଛକରେ ଅନ୍ୟ ଜଣକୁ ଧକ୍କା ଦେଇ ଅଠରନଳା ରାସ୍ତା ଦେଇ ଖସି ପଳାଇଥିଲା।