ଭୁବନେଶ୍ବର: ସକାଳ ପାଖାପାଖି ସାଢ଼େ ୮ଟା ହେବ। କିଏ ପିଲାଙ୍କୁ ସ୍କୁଲ୍ରେ ଛାଡ଼ିବା ପାଇଁ ବାହାରି ଥାଏ ତ କିଏ ପରିବା କିଣିବା ପାଇଁ ଘରୁ ବାହାରି ଆସିଥାଏ। ଟ୍ରାଫିକ୍ ସିଗ୍ନାଲ୍ ଦେଇ ନଥିବାରୁ ଗାଡ଼ି ମୋଟର ଛକରେ ଅଟକ ଥାଆନ୍ତି। ଏହି ସମୟରେ ରାଜଭବନ ପଟୁ ଦ୍ରୁତ ଗତିରେ ଆଗକୁ ଆଗକୁ ମାଡ଼ିଆସିଲା ଏକ କାର୍। ଆଉ ସାମନାରେ ଯାହା ପଡ଼ିଲା ଗୋଟିଏ ପରେ ଗୋଟିଏ ଗାଡ଼ିକୁ ଧକ୍କା ଦେବା ପରେ ଲୋକଙ୍କ ଉପରେ ଗାଡ଼ି ମଡ଼େଇ ଫେରାର୍ ହୋଇଗଲା। ଏଭଳି ଛାତିଥରା ଘଟଣା ଦେଖିବାକୁ ମିଳିଥିଲା ସବୁଠୁ କଡ଼ା ଟ୍ରାଫିକ୍ ବ୍ୟବସ୍ଥା ଥିବା ଏଜି ଟ୍ରାଫିକ୍ ଛକରେ। ଦୁର୍ଘଟଣା ଯୋଗୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଥିଲେ। ମୃତକ ଜଣଙ୍କ ହେଲେ ସାଲିଆସାହି ଶ୍ରୀରାମନଗର ଅଞ୍ଚଳର ଦିଲୀପ ସାହୁ(୫୩)। ଏନେଇ କ୍ୟାପିଟାଲ୍
ଥାନା ପୁଲିସ ଏକ ମାମଲା ରୁଜୁକରି ଚାଳକକୁ ଗିରଫ କରିଛି। ସେ ହେଲେ ମଞ୍ଚେଶ୍ବର ଥାନା ଶ୍ରୀରାମନଗରର ଲାଲ ଦେବାଶିଷ ଶହଦେଓ(୬୨)। ପୁଲିସ ତାଙ୍କଠାରୁ ଦୁର୍ଘଟଣା ଘଟାଇଥିବା କାର୍କୁ ଜବତ କରିଛି।
୩ ଆହତ, ଚାଳକ ଗିରଫ
ସିସିଟିଭି ଧରାଇଲା କାର୍
ସୂଚନା ମୁତାବକ, ଦିଲୀପ ଜଣେ ପରିବା ବ୍ୟବସାୟୀ। ସେ ସକାଳ ସମୟରେ ପରିବା ଧରି ୟୁନିଟ୍-୧ ମାର୍କେଟ୍କୁ ଯାଉଥିଲେ। ସେ ଏଜି ଟ୍ରାଫିକ୍ରେ ଅଟକ ଥିବା ବେଳେ ରାଜଭବନ ପଟୁ ଏକ ସ୍ବିଫ୍ଟ୍ ଡିଜାୟାର କାର୍ରେ ଦ୍ରୁତଗତିରେ ଆସୁଥିବା ଦେବାଶିଷ ଭାରସାମ୍ୟ ହରାଇ ଛକରେ ଅଟକିଥିବା ଗୋଟିଏ ପରେ ଗୋଟିଏ ଗାଡ଼ିକୁ ଧକ୍କା ଦେବା ପରେ ଏକ ବାଇକ୍କୁ ଧକ୍କା ଦେଇଥିଲେ। ବାଇକ୍ରେ ଥିବା ଜଣେ ଯୁବକ ଓ ଯୁବତୀ କିଛିଦୂରରେ ପଡ଼ିଥିଲେ। ଦୁର୍ଘଟଣା ଘଟାଇ ଖସି ପଳାଇବାକୁ ଚେଷ୍ଟା ବେଳେ ସାମନାରେ ଦିଲୀପଙ୍କ ସ୍କୁଟି ଆସିବାରୁ ତାଙ୍କୁ ଧକ୍କା ଦେଇଥିଲେ। ସେ ସ୍କୁଟିରୁ ବାହାରି ତଳେ ପଡ଼ିଯିବା ପରେ ଦେବାଶିଷ ତାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲା। ତାଙ୍କର ଏଭଳି ଗାଡ଼ି ଚାଳନା ଦେଖି ଭୟରେ କେହି ଅଟକାଇବାକୁ ସାହସ ଜୁଟାଇନଥିଲେ। ଜୀବନ ବିକଳରେ ଯିଏ ଜୁଆଡ଼େ ପାରିଲେ ଗାଡ଼ି ଛାଡ଼ି ଦୌଡ଼ିଥିଲେ।
ସୁଯୋଗ ପାଇ ଦେବାଶିଷ ଦ୍ରୁତଗତିରେ ସେଠାରୁ ଫେରାର୍ ହୋଇଯାଇଥିଲେ। ଯାହାକୁ ନେଇ ସେଠାରୁ ଉତ୍ତେଜନା ସ୍ଥିତି ଦେଖାଦେଇଥିଲା। ସେଠାରେ କାର୍ଯ୍ୟରତ ଟ୍ରାଫିକ୍ କନେଷ୍ଟବଳ ଆହତଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍ ନେଇଥିଲେ। ହେଲେ ସେଠାରେ ଡାକ୍ତର ଦିଲୀପଙ୍କୁ ମୃତ ଘୋଷଣା କରିଥିଲେ। ଯାହାକୁ ନେଇ ଟ୍ରାଫିକ୍ ଛକରେ ଜାମ୍ ସ୍ଥିତି ଉପୁଜିବା ସହ ଉତ୍ତେଜନା ବଢ଼ିଥିଲା। କ୍ୟାପିଟାଲ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ଜବତ କରି ଥାନାକୁ ନେବା ସହ ଲୋକଙ୍କୁ ବୁଝାସୁଝା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା। ଦିଲୀପଙ୍କ ପରିବାର ଲୋକେ ହସ୍ପିଟାଲ୍ରେ ପହଞ୍ଚିବା ପରେ ବ୍ୟବଚ୍ଛେଦ କରାଯାଇ ମୃତଦେହ ହସ୍ତାନ୍ତର କରାଯାଇଥିଲା। ଏନେଇ ଦିଲୀପଙ୍କ ପୁଅ ଶୁଭ୍ରାଂଶୁ ଶେଖର ସାହୁ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜକରି ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ସିସିଟିଭି ଫୁଟେଜ୍ରୁ ଦୁର୍ଘଟଣା ଘଟାଇଥିବା କାର୍କୁ ଚିହ୍ନଟ କରି ଅଭିଯୁକ୍ତଙ୍କ ମଞ୍ଚେଶ୍ବର ଶ୍ରୀରାମନଗରସ୍ଥିତ ଘରେ ଚଢ଼ଉ କରି ତାଙ୍କୁ ଗିରଫ କରିବା ସହ କାର୍କୁ ଜବତ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)