କଟକ : କଟକ ଜିଲ୍ଲାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କ ଟଙ୍କା ଫେରସ୍ତ ପ୍ରକ୍ରିୟା। ଜିଲ୍ଲାରେ ପାଖାପାଖି ୬ଶହ ହିତାଧିକାରୀ ସେମାନଙ୍କ ଟଙ୍କା ଫେରିପାଇବେ। ପ୍ରଥମ ଦିନରେ ଜିଲ୍ଲାର ୨୬ଜଣ ଜମାକାରୀଙ୍କ ଆକାଉଣ୍ଟରେ ସିଧାସଳଖ ଜମା ହେବ ଏ ଟଙ୍କା। ପର୍ଯ୍ୟାୟ କ୍ରମେ ଚିହ୍ନଟ ହୋଇଥିବା ସମସ୍ତ ଜମାକାରୀ ଟଙ୍କା ଫେରିପାଇବେ ବୋଲି ଅତିରିକ୍ତ ଜିଲ୍ଲାପାଳ ରଘୁରାମ ଆୟାର ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାନୁସାରେ, କଟକ ଜିଲ୍ଲାର ପ୍ରତ୍ୟେକ ତହସିଲ ପକ୍ଷରୁ ଜମାକାରୀଙ୍କ ଟଙ୍କା ଫେରସ୍ତ ନେଇ ଯାଞ୍ଚ ପ୍ରକ୍ରିୟା ଚାଲିଥିବାବେଳେ ଜମାକାରୀମାନେ ଇଣ୍ଡେମ୍ନିଟି ବଣ୍ଡ୍ ତହସିଲରେ ଦାଖଲ କରିଛନ୍ତି। କଟକ ଜିଲ୍ଲାରେ ପାଖାପାଖି ୬ଶହ କ୍ଷୁଦ୍ର ଜମାକାରୀ ଚିହ୍ନଟ ହୋଇଥିବା ବେଳେ ୨୫ଲକ୍ଷରୁ ଅଧିକ ଟଙ୍କା ଫେରସ୍ତ କରାଯିବା। ଜିଲ୍ଲାର ମାହାଙ୍ଗା ବ୍ଲକ୍ରେ ୪୬୧ଜଣ ଜମାକାରୀଙ୍କ ଆବେଦନ ଆସିଥିବାବେଳେ ସେଥିମଧ୍ୟରୁ ଯାଞ୍ଚରେ ୨୩୨ଜଣ ସେମାନଙ୍କ ବ୍ୟାଙ୍କ ତଥ୍ୟ, ଇଣ୍ଡେମ୍ନିଟି ବଣ୍ଡ ଦାଖଲ କରିଛନ୍ତି। ଫଳରେ ୧୦ ହଜାରରୁ କମ୍ ଟଙ୍କା ପାଇବାକୁ ଥିବା ହିତାଧିକାରୀ ସେମାନଙ୍କ ଟଙ୍କା ଫେରିପାଇବେ। ସେହିଭଳି ବାଙ୍କୀରେ ୧୩୧ ଜଣ କ୍ଷୁଦ୍ର ଜମାକାରୀ ଟଙ୍କା ଫେରିପାଇବାକୁ ଚିହ୍ନଟ ହୋଇଛନ୍ତି। ଆଠଗଡ଼, କଟକ ସଦର, ନିଆଳି, ନିଶ୍ଚିନ୍ତକୋଇଲି ସମେତ ୧୪ଟି ବ୍ଲକ୍ରେ ଅର୍ଥତତ୍ତ୍ୱ ଓ ରୋଜଭ୍ୟାଲିରେ ଟଙ୍କା ରଖିଥିବା ଜମାକାରୀଙ୍କ ଚିହ୍ନଟ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି।