ତାତି ଅସହ୍ୟ.., ଲୁଗା ଦୋକାନରେ ଆଶ୍ରୟ ନେଲା ମାଙ୍କଡ଼

କରଞ୍ଜିଆଗୋଲେଇ/ସିଙ୍ଗଡ଼ା: ଦିନକୁ ଦିନ କରଞ୍ଜିଆ ସହରରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଛି। ଆଜି ତାପମାତ୍ରା ୩୮ଡିଗ୍ରି ସେଲସିୟସ ଥିବାବେଳେ ଆଗାମୀ ଦୁଇଦିନ ମଧ୍ୟରେ ଏହା ୪୦ ଡିଗ୍ରି ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଦିନ ୧୧ଟା ବେଳକୁ ସହର ଶୂନଶାନ୍‌ ହୋଇପଡ଼ୁଛି। ବ୍ୟବସାୟ ଠିକ୍ ଭାବରେ ଚାଲୁନଥିବା କହିଛନ୍ତି ଉଠାଦୋକାନୀ। ବିଦ୍ୟାଳୟ ଗୁଡ଼ିକ ୧୦.୩୦ ପର୍ଯ୍ୟନ୍ତ ଖୋଲୁ ଥିବାରୁ ଦୂର ଦୂରାନ୍ତରୁ ଆସୁଥିବା ପିଲାମାନେ ଘରକୁ ଫେରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ଯେଉଁ ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ ନାହିଁ ସେଠାରେ ଛୋଟ ପିଲା ପଢିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜୀବଜନ୍ତୁମାନେ ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହାନ୍ତି। ଜୀବନ ବିକଳରେ ଏଣେତେଣେ ଆଶ୍ରୟ ନେଉଛନ୍ତି। ଏକ ବୁଲା ମାଙ୍କଡ଼ ଖରା ପ୍ରକୋପରୁ ବର୍ତ୍ତିବା ପାଇଁ ମେଡିକାଲ ପାଖ ଏକ ଲୁଗା ଦୋକାନ ସୋ’ କେସ ଉପରେ ଶୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଲୋକେ ଘଉଡ଼ାଇବାକୁ ଚେଷ୍ଟା କଲେ ମଧ୍ୟ ମାଙ୍କଡ଼ଟି ଉଠିନଥିଲା, ଆରାମରେ ଦୋକାନ ସୋ’ କେଶ ଉପରେ ଶୋଇ ରହିଥିଲା। ପ୍ରବଳ ଖରାରେ ମାଙ୍କଡ଼ଟି ହାଲିଆ ହୋଇ ପଡ଼ିଥିବାବେଳେ କାହାର କିଛି କ୍ଷତି କରି ନଥିଲା।

ପାଣି ଟାଙ୍କିରେ ଆଶ୍ରୟ ନେଲା କୁକୁର

ସହି ପାରିଲାନି ତାତି। ଡହଳବିକଳ ହୋଇ  ସିନେମା ହଲ ଛକ ନିକଟରେ ଢ଼ାଙ୍କୁଣି ବିହୀନ ଟାଙ୍କି ଭିତରକୁ କୁକୁରଟିଏ ପଶି ଯାଇଥିଲା। ସ୍ଥାନୀୟ ଲୋକେ ବହୁ ସମୟ ପର୍ଯ୍ୟନ୍ତ କୁକୁରକୁ ଟାଙ୍କିରୁ ବାହାର କରିବାକୁ ନାକେଦମ ହୋଇଥିଲେ। କିଛିଦିନ ପୂର୍ବରୁ ଜଣେ ସାଇକେଲ ଆରୋହୀ ଟାଙ୍କିରେ ଢ଼ାଙ୍କୁଣି ନ ଥିବାରୁ ଏହି ସ୍ଥାନରେ ପଡ଼ି ଖଣ୍ଡିଆ ଖାବରା ହୋଇଥିଲେ। ମାଣିକ ଛକ ଠାରୁ ଆରମ୍ଭ କରି କଚେରି ଛକ, ଏନ୍‌ଏସି ଛକ, ସବୁଠି ଏହି ଅବସ୍ଥା। କରଞ୍ଜିଆ ସହରର ପିଏଚଡି ପକ୍ଷରୁ ବିଭିନ୍ନ ସ୍ଥାନରେ ଯୋଗାଣ ହୋଇଥିବା ପାନୀୟ ଜଳ ପାଣି ଟାଙ୍କି ରହିଛି। କେଉଁଠି ଟାଙ୍କିର ଢାଙ୍କୁଣି ନାହିଁ ତ କେଉଁଠି ଭାଙ୍ଗି ଥିବାରୁ ଟାଙ୍କି ଭିତରକୁ ବିଭିନ୍ନ ଅଳିଆ ଆବର୍ଜନା, ନର୍ଦ୍ଦମା ପାଣି ପଶୁଛି। କେଉଁଠି ଚାବି ଗୁଡ଼ିକ ଠିକ୍ ନଥିବାରୁ ସବୁବେଳେ ପାଣି ଲିକ୍ ହେଉଛି। କେତେବେଳେ କୁକୁର, ଗାଈଗୋରୁ କେତେବେଳେ ମଣିଷ ଟାଙ୍କି ଭିତରେ ଗଳିପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି। ସହରବାସୀ ଏହି ଦୂଷିତ ପାଣି ବ୍ୟବହାର କରୁଛନ୍ତି। ଏ ସଂପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅନେକ ଥର ଅବଗତ କରାଯାଇଥିଲେ ମଧ୍ୟ କାର୍ଯ୍ୟ ଶୂନ। ପିଏଚ୍‌ଡିର ଯନ୍ତ୍ରୀ ସତ୍ୟାନନ୍ଦ ନାୟକଙ୍କୁ ପଚାରିବାରୁ ଖାମଖିଆଲ ଭାବେ ପ୍ରସଙ୍ଗକୁ ଏଡାଇ ଦେଇଥିଲେ। ତେଣୁ ଏନ୍‌ଏସି କର୍ତ୍ତୃପକ୍ଷ, ଜିଲ୍ଲାପାଳ ଏ ଦିଗରେ ତ୍ବରିତ ପଦକ୍ଷେପ ନେବାକୁ ସହରବାସୀ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର