ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦ୍ରୁତଗତିରେ ଆଗକୁ ବଢୁନାହିଁ। ଖୁବ୍‌ ଧୀରେଧୀରେ ଉତ୍ତର ଦିଗରେ ବଢୁଛି। କେରଳରେ ମୌସୁମୀ ବାୟୁ ପହଞ୍ଚିବା ୧୫ ଦିନ ହୋଇଛି। କିନ୍ତୁ ଦେଶର ୫୦ ପ୍ରତିଶତ ସ୍ଥାନକୁ ପହଞ୍ଚି ପାରି ନାହିଁ। ଓଡ଼ିଶାରେ ଗତ ୮ ତାରିଖ ଦିନ ମାଲକାନଗିରିକୁ ସ୍ପର୍ଶ କରିଥିଲା। ଏହାର ପ୍ରଭାବରେ ମାଲକାନଗିରିରେ ପ୍ରବଳ ବର୍ଷା ହୋଇଥିଲା। ସେହି ସମୟରେ ରାଜ୍ୟର ଅନ୍ୟ ସ୍ଥାନକୁ ମୌସୁମୀ ପହଞ୍ଚି ନଥିଲେ ବି କାଳ ବୈଶାଖୀ ଯୋଗୁଁ  ବର୍ଷା ରେକର୍ଡ କରାଯାଇଥିଲା। ଦାରିଙ୍ଗିବାଡ଼ି, ଟିଟିଲାଗଡ଼, କେନ୍ଦୁଝରଗଡ଼, ଫୁଲବାଣୀ, କୋରାପୁଟ, ଚାନ୍ଦବାଲି, ଯାଜପୁର, ବାଲେଶ୍ବର, ଅନୁଗୁଳ ଓ ଭଦ୍ରକରେ ବର୍ଷା ହୋଇଥିଲା।

Advertisment

ତେବେ ୫ ଦିନ ପୂର୍ବରୁ ମୌସୁମୀ ବାୟୂ ଓଡ଼ିଶାରେ ପହଞ୍ଚି ଥିଲେ ବି ଏବେ ରାଜ୍ୟର ପଶ୍ଚିମାଞ୍ଚଳରେ ଗ୍ରୀଷ୍ମଲହରି ଜାରି ରହିଛି। ରାତି ପାହିଲେ ରାଜ୍ୟର ଗଣପର୍ବ ପହିଲି ରଜ ପାଳନ ହେଉଥିବା ବେଳେ ପ୍ରବଳ ଗରମ ଓ ଗୁଳୁଗୁଳିରେ ଲୋକେ ନାହିଁ ନଥିବା କଷ୍ଟ ଅନୁଭବ କରୁଛନ୍ତି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ଆଜି ଗଣମାଧ୍ୟମକୁ କହିଛନ୍ତି, ମୌସୁମୀ ଅଗ୍ରସର ହେଉନାହିଁ। ରଜରେ ଲୋକଙ୍କୁ ଗୁଳୁଗୁଳି କଲବଲ କରିବ। ମୌସୁମୀ ବାୟୁ ଏବେ ମାଲକାନଗିରି, କୋରାପୁଟରେ ପ୍ରବେଶ କରିଛି। ଅନ୍ୟ ଅଞ୍ଚଳକୁ ୩ରୁ ୪ ଦିନରେ ଅଗ୍ରସର ହୋଇପାରେ। ପଶ୍ଚିମ ଓଡ଼ିଶାରେ ଆହୁରି ୪୮ ଘଣ୍ଟା ପାଇଁ ଗ୍ରୀଷ୍ମ ପ୍ରବାହ ଜାରି ରହିବ।