ଝାରସୁଗୁଡା: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଜଳବାୟୁ ପରିବର୍ତ୍ତନ ହେବାର ନା ନାହିଁ। ତାପମାତ୍ରା ୪୦/୪୨ ତଳକୁ ଖସିବାର ନା ଧରୁନି। ଏଭଳି ପରିସ୍ଥିତିରେ ସାଧରଣ ଜୀବନଯାତ୍ରା ଅସହ୍ୟ ହୋଇ ଟାଉଥିବା ବେଳେ ସର୍ବତ୍ର ପାଣି ପାଇଁ ହାହାକାର ପରିସ୍ଥିତି ଉପୁଜିଛି। ଗତ ବର୍ଷ ଜିଲ୍ଲାରେ ମୌସୁମୀ ବର୍ଷା ଆଦୌ ଉତ୍ସାହ ଜନକ ନଥିଲା। ବର୍ଷାଭାବ ଯୋଗୁଁ ଖରିଫ ଚାଷ ବାଧାପ୍ରାପ୍ତ ହୋଇଥିଲା। ସ୍ବଳ୍ପବର୍ଷା ଓ ଅନିୟମିତ ବର୍ଷା ଯୋଗୁଁ ଖରିଫ ଧାନର ମାନରେ ମଧ୍ୟ ଅବନତି ଘଟିଥିଲା। ଯାହା ଫଳରେ ଧାନ ବିକ୍ରୟ ସମୟରେ ଚାଷୀ ଗୁରୁତର ଆର୍ଥିକ ସଂକଟର ସମ୍ମୁଖୀନ ହୋଇଥିଲେ । ଆଉ ଦିନଟିଏ ପରେ ଆଷାଢ଼ ମାସ ଆରମ୍ଭ ହେବାକୁ ଯାଉଥିବା ବେଳେ ମୌସୁମୀ ବର୍ଷାର କୌଣସି ସୂଚନା ମିଳିନାହିଁ। ଏପଟେ ଜିଲ୍ଲାରେ ଥିବା ସମସ୍ତ ନଦୀନାଳ ଶୁଖି ଉତ୍କଟ ପରିସ୍ଥିତି ସୃଷ୍ଟି କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ନଦୀଶଯ୍ୟା ଏବେ ମରୁଭୂମିର ବିସ୍ତିର୍ଣ୍ଣ ବାଲୁକାରାଶି ଭଳି ଦେଖା ଯାଉଛି। ମୌସୁମୀ ବର୍ଷା ବେଳେ ବର୍ଷାଜଳ ସଂରକ୍ଷଣ ପାଇଁ କୌଣସି ନଦୀରେ ବ୍ୟବସ୍ଥା ନଥିବାରୁ ଜିଲ୍ଲା ଦେଇ ଯାଇଥିବା ସବୁ ନଦୀର ପାଣି ବୋହି ଯାଇଥାଏ । ଜିଲ୍ଲାର ଲଖନପୁର ବ୍ଲକ ଶୁଖାସୋଡ଼ା ଠାରେ ପ୍ରବେଶ କରିଥିବା ମହାନଦୀ ଦୀର୍ଘ ମାସରୁ ଶୁଖିଲା ପଡ଼ିଛି। ଯଶପୁର ଠାରୁ ପ୍ରବାହିତ ହୋଇ ଆସିଥିବା ଇବ୍ନଦୀ ମଧ୍ୟ ଶୁଖିଲା ପଡ଼ିଛି। ସେହିପରି ଭେଡ଼େନ ନଦୀ, ଖେରୁଆଳ ନଦୀ ଭଳି ବହୁ ଛୋଟବଡ଼ ନଦୀ ପଡ଼ିଆ ପାଲଟିଛି। ଜିଲ୍ଲାରେ ପରିବେଶ ପ୍ରଦୂଷଣ ଯୋଗୁଁ ଜଳବାୟୁ ଉପରେ ଗୁରୁତର ପ୍ରଭାବ ପକାଉଛି। ଫଳରେ ଏଠାରେ ମୌସୁମୀ ବର୍ଷା କମି କମି ଯାଉଥିବା ଲକ୍ଷ୍ୟ କରାଯାଉଛି। ତଥାପି ଯେତିକି ବର୍ଷା ହେଉଛି ତାକୁ ଯଦି ସଂରକ୍ଷଣ କରାଯିବାର ସୁବିଧା କରାଯାଇ ପାରନ୍ତା ତେବେ ନଦୀନାଳରେ ଗ୍ରୀଷ୍ମଦିନରେ ମଧ୍ୟ ପାଣି ରହି ପାରନ୍ତା ଓ ଏହି ପାଣି ଜିଲ୍ଲାର କୃଷକ ଓ ଚାଷକୁ ସାହଯ୍ୟ କରିବା ସହିତ ଜନସାଧରଣଙ୍କୁ ମଧ୍ୟ ପାଣି ଯୋଗାଇ ପାରନ୍ତା।
ସ୍ବାଭାବିକ ମୌସୁମୀ ବର୍ଷା ଆଉ ହେଉନଥିବା ବେଳେ ଲଘୁଚାପ ଜନିତ ବର୍ଷା ଉପରେ ଜିଲ୍ଲାର ଚାଷୀ ନିର୍ଭରଶୀଳ ହେବାକୁ ପଡ଼ୁଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ହେଲେ ଏହି ବନ୍ୟାପାଣି ଜିଲ୍ଲାର ସବୁ ନଦୀରେ ପ୍ରବାହିତ ହୋଇ ସମୁଦ୍ରକୁ ବୋହି ଯାଇଥାଲ। ଯଦି ନଦୀ ମାନଙ୍କରେ ବ୍ୟାରେଜ ବା ଚେକ୍ଡ୍ୟାମ ନିର୍ମାଣ କରାଯାଇ ପାଣିକୁ ଅଟକାଇ ରଖା ଯାଇ ପାରନ୍ତା ତେବେ ଗ୍ରୀଷ୍ମଦିନରେ ଏଭଳି ଜଳକଷ୍ଟ ଦେଖା ଯାଆନ୍ତା ନାହିଁ। ନଦୀ ଜଳ ସଂରକ୍ଷଣ ପାଇଁ ସରକାରୀ ଭାବରେ କୌଣସି ପଦକ୍ଷପ ନିଆଯାଉନଥିବା ବେଳେ କେବଳ ରାଜନୈତିକ ସ୍ବାର୍ଥ ସିଦ୍ଧ ପାଇଁ ସରକାର ଓ ବିଭିନ୍ନ ରାଜନୈତିକ ଦଳ ମହାନଦୀରେ ଛତିଶଗଡ଼ ବ୍ୟାରେଜ କଥା ଉଠାଇ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ ହୋଇଛି।
ଗତ ବର୍ଷ ଡିସେମ୍ବର ଓ ଚଳିତ ବର୍ଷ ଜାନୁୟାରୀ ମାସରେ ଅଦିନିଆ ବର୍ଷା ଯୋଗୁଁ ଜିଲ୍ଲାର ବହୁ ନଦୀନାଳରେ ପାଣି ଭରି ରହିଥିଲା। ତେବେ ଏହି ପାଣିକୁ ଅଟକାଇ ରଖିବା ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିଲା। ଇବ୍ ନଦୀରେ ଏମ୍ସିଏଲ୍ ପକ୍ଷରୁ ଗ୍ରୀଷ୍ମଦିନରେ ବାଲିବନ୍ଧ କରାଯାଇ କିଛି ପାଣି ନଦୀରେ ସଂରକ୍ଷଣ କରାଯାଇ ଥାଏ। ମାତ୍ର ଚଳିତ ବର୍ଷ କିଛି ବାଲି ମାଫିଆ ନିଜ ସ୍ବାର୍ଥ ସାଧନ ପାଇଁ ଏକାଧିକ ଥର ଏହି ବାଲିବନ୍ଧକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ନଦୀରୁ ଏହି ସମୟରେ ବ୍ରବଳ ବାଲି ଉତ୍ତୋଳନ କରି କୋଟି କୋଟି ଟଙ୍କା ରାଜସ୍ବ ଲୁଟ କରାଯାଇ ଥାଏ। ଏହି କାରବାରରେ ପୁଲିସ ଓ ତହସିଲ ବିଭାଗର ଅସାଧୁ କର୍ମଚାରୀ ସଂପୃକ୍ତ ରହି ବାଲି ମାଫିଆଙ୍କ ପୂର୍ଣ୍ଣପ୍ରାଣରେ ସହଯୋଗ କରିଥାନ୍ତି। ଗତ ଉପନିର୍ବାଚନ ଦିନ ଇବନଦୀର ବାଲି ବନ୍ଧ କିଏ ଭାଙ୍ଗିଲା ତାର ତଦନ୍ତ ମଧ୍ୟ ପ୍ରଶାସନ ପକ୍ଷରୁ କରାଯାଇନଥିଲା। ଏହାପରେ ପରେ ରାଜପୁର ଠାରେ ଥିବା ବାଲିବନ୍ଧକୁ ମଧ୍ୟ ଭାଙ୍ଗି ଦିଆଯାଇଥିଲା।
ଜିଲ୍ଲାରେ ବ୍ୟାପକ ଶିଳ୍ପାୟନ ଓ ଖଣିଖନନ ଯୋଗୁଁ ପରିବେଶ ଅସନ୍ତୁଳିତ ହୋଇ ଜୈବ ବିବିଧିତା ନଷ୍ଟ ହେବାରେ ଲାଗିଛି। ଫଳସ୍ବରୂପ ଜିଲ୍ଲାରେ ଅନିୟମିତ ଓ ସ୍ବଳ୍ପ ବର୍ଷା କୃଷି କ୍ଷେତ୍ର ଓ ଜୀବନଧାରଣକୁ ପ୍ରଭାବିତ କରୁଛି। ଜିଲ୍ଲାରେ ପ୍ରବେଶ କରିଥିବା ମହାନଦୀରେ ମଧ୍ୟ ଜାନୁୟାରୀ –ଫେବୃୟାରୀ ମାସରୁ ଧାର ଶୁଖି ଯାଉଛି। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାର ଏକାଧିକ ବ୍ୟାରେଜ ନିର୍ମାଣ ଯୋଗୁଁ ଓଡ଼ିଶାକୁ ମହାନଦୀ ଜଳ ପ୍ରବାହ ବାଧା ସୃଷ୍ଟି କରୁଥିବା ନେଇ ଏକଦା ଉଠିଥିବା ରାଜନୈତିକ ପ୍ରସଙ୍ଗ ଆଉ କାମ କରୁନାହିଁ। ଟ୍ରିବୁନାଲରେ ଏହି ପ୍ରସଙ୍ଗ ୪ ବର୍ଷ ହେଲା ବିଚାରାଧିନ ରହିଛି। ପ୍ରଶାସନ ଜିଲ୍ଲାରେ ଥିବା ନଦୀନାଳର ଜଳକୁ ଗ୍ରୀଷ୍ମ ଦିନ ପାଇଁ ସଂରକ୍ଷଣ କରିବାରେ ବିଫଳ ହୋଇଛି। ଜିଲ୍ଲାର ଦାନ କୁହାଯାଉଥିବା ଇବ୍ନଦୀର ଜଳ କୋଇଲା ଖଣି, ବିଭିନ୍ନ କାରଖାନା ଓ ଚାଷ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରି ଆସୁଥିବା ବେଳେ ଏହି ନଦୀକୁ ମଧ୍ୟ ସଂପୂର୍ଣ୍ଣ ହତ୍ୟା କରାଯିବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ଉଠିଲାଣି।