ବରଗଡ଼: ବରଗଡ଼ ଜିଲ୍ଲାରେ ଅଗ୍ନିବର୍ଷା ଜାରି ରହିଛି। ସହରର ତାପମାତ୍ରା ବୁଧବାର ୪୪ ଡିଗ୍ରି ସେଲ୍‌ସିଅସ୍‌ ଛୁଇଁଥିବା ମୋବାଇଲ୍‌ ଆପ୍‌ କହୁଛି।। ଗତକାଲି ତୁଳନାରେ ଅାଜି ପୁଣି ପାରଦ ବଢ଼ିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। ଟାଣଖରା ଯୋଗୁଁ ରାସ୍ତାଘାଟ ଜନଶୂନ୍ୟ ହୋଇଯାଉଛି। ସଂଧ୍ୟା ୫ଟା ପରେ ଲୋକେ ଘରୁ ବାହାରୁଛନ୍ତି। ସକାଳ ୯ଟାରୁ ଖରାର ପ୍ରକୋପ ଅନୁଭୂତ ହେଉଛି। ସକାଳୁ ପାରା ୩୫ ଡିଗ୍ରି ପହଂଚି ଯାଉଛି। ଦିନ ଗଡ଼ିବା ସାଂଗକୁ ଖରା ବଢ଼ିବଢ଼ି ଯାଉଛି। ଦିନ ୨ଟାରେ ପାରା ୪୪ ଡିଗ୍ରି ଛୁଇଁଛି।  ଲୋକେ ଛାଟିପିଟି ହୋଇ ଦିନ କାଟୁଛନ୍ତି।

Advertisment

ବିଶେଷକରି ବାହାର ଅଂଚଳରୁ ଆସୁଥିବା ଯାତ୍ରୀମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଖରା ଆତଙ୍କ ଖେଳାଇଥିବା ବେଳେ ପର୍ଯ୍ୟାପ୍ତ ସଂଖ୍ୟାରେ ଜଳଛତ୍ର ଖୋଲାଯାଇ ନାହିଁ। କେବଳ ଦିନରେ ନୁହେଁ, ରାତିରେ ବି ଗରମରୁ ନିସ୍ତାର ମିଳୁନି। ସହରର ସର୍ବନିମ୍ନ ତାପମାତ୍ରା ୨୯.୯ ଡିଗ୍ରି ଛୁଇଁଛି। ସଂଧ୍ୟା ଏବଂ ରାତିରେ ଶୀତଳ ପବନ ବହିବା ବନ୍ଦ ହୋଇଯାଇଛି। ଏଣେ କଂକ୍ରିଟ୍‌ ଏବଂ କାନ୍ଥବାଡ଼ରୁ ତାପ ବିକିରଣ ହେଉଥିବାରୁ ରାତିରେ ବି ସ୍ଥିତି ଜଟିଳ ରୂପ ଧାରଣ କରିଛି। ପ୍ରଚଣ୍ଡ ଖରା ବଢ଼ିବା ସାଂଗକୁ ସହରର ଇଲେକ୍ଟ୍ରୋନିକ୍ସ ବଜାରରେ କାରବାର ବୃଦ୍ଧି ପାଇଛି। ଖରା ଦିନେ ସହରର ବିଭିନ୍ନ ଅଂଚଳରେ ଲୋ-ଭୋଲ୍‌ଟେଜ୍‌ ସମସ୍ୟା ଲାଗି ରହିଛି। ଯଦ୍ୱାରା ଇନ୍‌ଭର୍ଟର୍‌ ଏବଂ ଷ୍ଟେବିଲାଇଜର୍‌ କାରବାର ମଧ୍ୟ ବଢ଼ିଛି।

ଗତବର୍ଷ ତୁଳନାରେ ଏଥର ୨୦ ପ୍ରତିଶତ ଅଧିକ କାରବାର ହୋଇଥିବା ବେପାରୀମାନେ ଆକଳନ କରିଛନ୍ତି। ଆଗକୁ ପ୍ରବଳ ଗୁଳୁଗୁଳି ଏବଂ ତାପମାତ୍ରା ବଢ଼ିବ ବୋଲି ପାଣିପାଗ ପୂର୍ବାନୁମାନ କହୁଛି। ପୂର୍ବାନୁମାନ ସତ ହେଲେ ଇଲେକ୍ଟ୍ରୋନିକ୍ସ ବଜାରରେ କାରବାର ଅାହୁରି ବଢ଼ିବା ନିଶ୍ଚିତ। ଅନ୍ୟପକ୍ଷରେ ବରଗଡ଼ ଜିଲ୍ଲା ପାଣିପାଗ କାର୍ଯ୍ୟାଳୟ ସୂଚୀରେ ବର୍ତମାନ ଯାଏଁ ସ୍ଥାନ ପାଇନାହିଁ।  ମୋବାଇଲ୍ ଆପ୍‌ ଜରିଆରେ ଲୋକେ ପାଣିପାଗ ତଥ୍ୟ ପାଉଛନ୍ତି।