ଭୁବନେଶ୍ବର: ଜଣେ ଯୌତୁକ ପାଇଁ ବଧୂହତ୍ୟା କଲା। ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ଗଳାକାଟି ହତ୍ୟା କଲା। ଆଉ ଜଣେ ପ୍ରେମିକା ବାହାେହବା ପାଇଁ ଜିଦ୍‌ କରିବାରୁ ମାରିଦେଲା ପ୍ରେମିକ। ଗୋଟିଏ ଦିନରେ ଭୁବନେଶ୍ବରର ଗୋଟିଏ ଥାନା ଅଞ୍ଚଳରେ ତିନିତିନି ଜଣଙ୍କୁ ଏଭଳି ହତ୍ୟା କରାଯାଇଛି। ଏୟାରଫିଲ୍ଡ ଥାନା ଅଞ୍ଚଳରେ ଘଟିଥିବା ଏହି ତିନି ଘଟଣାକୁ ନେଇ ସାରା ରାଜଧାନୀରେ ରାତିଅଧରେ ଚର୍ଚ୍ଚା। ଅଭିଯୋଗ ମୁତାବକ, କେନ୍ଦ୍ରାପଡ଼ା ଅଞ୍ଚଳର ପ୍ରିୟଙ୍କା ମିଶ୍ର (୨୬) ଅଢ଼େଇ ବର୍ଷ ତଳେ ପୁରୁଣା ଭୁବନେଶ୍ବର ଅଞ୍ଚଳର ସୁରଜ ଦାସଙ୍କୁ ବିବାହ କରିଥିଲେ। ବିବାହର କିଛିଦିନ ସବୁ ଠିକ୍‌ ଚାଲିଥିଲା। ତେବେ ପରେ ଶ୍ବଶୁର ଘର ଲୋକ ୫ଲକ୍ଷ ଟଙ୍କା ଯୌତୁକ ଆଣିବା ପାଇଁ ପ୍ରିୟଙ୍କାଙ୍କ ଉପରେ ଚାପ ପକାଇଥିଲେ। ସେଥିପାଇଁ ବିଭିନ୍ନ ସମୟରେ ମାନସିକ ଓ ଶାରୀରିକ ନିର୍ଯାତନା ବି ଦେଉଥିଲେ। ନିର୍ଯାତନା ସୀମା ଟପିବା ପରେ ପ୍ରିୟଙ୍କା ତାଙ୍କ ବାପା ବିଦ୍ୟାଧର ମିଶ୍ରଙ୍କୁ ଜଣାଇଥିଲେ। ଉଭୟ ପରିବାର ବୁଝାମଣା ପରେ କିଛିଦିନ ଭଲରେ ବିତିଲା ସତ, ହେଲେ ଶ୍ବଶୁର ଘର ଲୋକେ ସତରେ ବଦଳି ନଥିଲେ। ଆଜି ଅର୍ଥାତ୍‌ ସୋମବାର ସନ୍ଧ୍ୟାରେ ଶାଶୂ ପ୍ରିୟଙ୍କାଙ୍କ ମାମୁ ରଂଜନ ତ୍ରିପାଠୀଙ୍କୁ ଫୋନ୍‌କରି କହିଥିଲେ, ‘‘ତମ ଭାଣିଜୀ ଆତ୍ମହତ୍ୟା କରିଛି।’’ ଏହା ଶୁଣି ପରିବାର ଲୋକ ରାତାରାତି ଆସି ପୁରୁଣା ଭୁବନେଶ୍ବରରେ ପହଞ୍ଚିଥିଲେ। ସେମାନେ ଆସିବା ବେଳକୁ ପ୍ରିୟଙ୍କାଙ୍କୁ ତଳେ ଶୁଆଇ ଦିଆ ଯାଇଥିଲା। ତାଙ୍କ ବେକରେ ଏକ ରଶିର ଦାଗ ଥିଲା। ସେମାନେ ତୁରନ୍ତ ପୁଲିସକୁ ଫୋନ୍‌କରି ଘଟଣା ବିଷୟରେ ଜଣାଇଥିଲେ। ପ୍ରିୟଙ୍କାଙ୍କୁ ହତ୍ୟା କରାଯାଇଥିବା ସେମାନେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଏୟାରଫିଲ୍ଡ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଏ ନେଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି।

Advertisment

ଯୌତୁକ ପାଇଁ ବୋହୂକୁ ହତ୍ୟା
ଦୁଷ୍କର୍ମ କରି ନାବାଳିକାକୁ ମାରିଦେଲା
ପ୍ରେମ ପାଇଁ ପ୍ରେମିକାର ଜୀବନ ଗଲା

ସେହିପରି ସୁନ୍ଦରପଦା କେଳାସାହି ବସ୍ତିର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଗଳାକାଟି ହତ୍ୟା କରାଯାଇଛି। ସ୍ଥାନୀୟ ଅଞ୍ଚଳର ଘନିଆ ନାମକ ଜଣେ ଯୁବକର ଲୋଲୁପଦୃ‌ଷ୍ଟି ଉକ୍ତ ନାବାଳିକାଙ୍କ ଉପରେ ଥିଲା। ସୋମବାର ସନ୍ଧ୍ୟାରେ ନାବାଳିକାଙ୍କ ବାପା ମା’ କାମକୁ ଯାଇଥିବା ବେଳେ ସୁଯୋଗ ପାଇ ତାଙ୍କ ଘରେ ପଶିଥିଲା। ଚକୋଲେଟ୍‌ ଦେବା ଆଳରେ ନାବାଳିକାଙ୍କୁ ପାଖକୁ ଡ଼ାକି ଦୁଷ୍କର୍ମ କରିଥିଲା। ନାବାଳିକା ପାଟିକରି ଡାକିବାରୁ ଘନିଆ ତାଙ୍କ ଗଳାକାଟି ନିର୍ମମ ଭାବେ ହତ୍ୟା କରିଥିଲା। ତା’ପରେ ସେଠାରୁ ଫେରାର୍‌ ହୋଇ ଯାଇଥିଲା। ନାବାଳିକାଙ୍କ ବାପା ମା’ ଘରକୁ ଫେରିବା ବେଳକୁ ଝିଅ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିରହିଥିବା ଦେଖି ତୁରନ୍ତ ହସ୍ପିଟାଲ୍‌ ନେଇ ଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଏୟାରଫିଲ୍ଡ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଘନିଆକୁ ଖୋଜୁଛି। ତାପଙ୍ଗ ଅଞ୍ଚଳର ଅଞ୍ଜଳି ବେହେରା(୨୭) ନାମକ ଜଣେ ଯୁବତୀ ଓ କ୍ଷେତ୍ରପାଳ ଅଞ୍ଚଳର ଜଣେ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଯୁବକ ଜଣକ ବିବାହର ପ୍ରତିଶ୍ରୁତି ଦେଇ ଅଞ୍ଜଳିଙ୍କ ସହ ସମ୍ପର୍କ ରଖିଥିଲା। କିଛିଦିନ ତଳେ ଅଞ୍ଜଳି ବିବାହ ପାଇଁ କହିବାରୁ ଯୁବକ ପଛଘୁଞ୍ଚା ଦେଇଥିଲେ। ଫଳରେ ଜିଦ୍‌କରି ଅଞ୍ଜଳି ୩ଦିନ ତଳେ ଘରୁ ଚାଲିଆସି କ୍ଷେତ୍ରପାଳନଗର ସ୍ଥିତ ତାଙ୍କ ପ୍ରେମିକର ଘରେ ରହିଥିଲେ। ସେ ବିବାହ ପାଇଁ ନିଜ ଜିଦ୍‌ରେ ଅଟଳ ଥିଲେ। ସେ ଆସିବାର ୩ଦିନ ପରେ, ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଯୁବକ ଜଣକ ଅଞ୍ଜଳିଙ୍କ ବାପାଙ୍କୁ ଫୋନ୍‌ କରି କହିଥିଲେ, ‘‘ତମ ଝିଅ ଆତ୍ମହତ୍ୟା କରିଛି।’’ ଖବର ପାଇ ଅଞ୍ଜଳିଙ୍କ ପରିବାର ଲୋକ ଏୟାରଫିଲ୍ଡ ଥାନାକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ସେମାନେ ତାଙ୍କ ଝିଅକୁ ହତ୍ୟା କରିଥିବା ସେମାନେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁକରି ଯୁବକକୁ ଅଟକ ରଖିଛି।