ଅନ୍ତର୍ଜାତୀୟ ଯୁବ ଦିବସରେ ଏଚ୍‌ଆଇଭି/ଏଡ୍‌ସ ସଚେତନତା

୧୫ଲକ୍ଷ ମୋବାଇଲ ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବ ବାର୍ତା

ଭୁବନେଶ୍ବର : ଆସନ୍ତା ୧୨ତାରିଖ ଅନ୍ତର୍ଜାତୀୟ ଯୁବ ଦିବସ। ଏହି ଦିବସକୁ ରାଜ୍ୟରେ ଯୁବଗୋଷ୍ଠୀଙ୍କୁ ଏଚ୍‌ଆଇଭି/ଏଡ୍‌ସ ସଂକ୍ରମଣ ଓ ନିଜ ଶାରୀରିକ ସୁସ୍ଥତା ପ୍ରତି ସଚେତନ ପାଇଁ ଆଗେଇ ଆସିଛି ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି (ଓସାକ୍ସ)। ଏହି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୨୦୩୦ ସୁଦ୍ଧା ଏଚ୍‌ଆଇଭି/ଏଡ୍‌ସକୁ ସମାପ୍ତ କରିବା ପାଇଁ ମିଳିତ ଜାତିସଂଘର ଲକ୍ଷ୍ୟ ହାସଲ କରିବା ଦିଗରେ ଏଭଳି ପଦକ୍ଷେପ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି।

ଯୁବ ଦିବସ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଚ୍‌ଆଇଭି/ଏଡ୍‌ସ ନିରାକରଣ ସଂପର୍କିତ କାନ୍‌ଭାସ ପେଣ୍ଟିଂ ପ୍ରତିଯୋଗିତା ଅନୁଷ୍ଠିତ ହେବ। ୧୧ତାରିଖରେ ରେଡକ୍ରସ ସୋସାଇଟିର ମିଳିତ ସହଯୋଗରେ ବିଭିନ୍ନ କଲେଜରେ ରେଡ୍ ରିବନ କ୍ଲବ୍‌ର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ତର୍କ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ମାଧ୍ୟମରେ ଏଚ୍‌ଆଇଭି ସଚେତନତାର ବାର୍ତା ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟର ବିଭିନ୍ନ କଲେଜର ଛାତ୍ରଛାତ୍ରୀ‌ମାନେ ଏଥିରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ କୃତୀ ପ୍ରତିଯୋଗୀମାନଙ୍କୁ ୧୨ତାରିଖରେ ହେବାକୁ ଥିବା ରାଜ୍ୟସ୍ତରୀୟ ଉତ୍ସବରେ ପୁରସ୍କୃତ କରାଯିବ। ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଓସାକ୍ସ ସହିତ ରିଲାଏନ୍‌ସ ଫାଉଣ୍ଡେସନ୍, ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ, ମହାନଦୀ କୋଲ୍‌ ଫିଲ୍ଡ ସହଯୋଗର ହାତ ବଢ଼ାଇଛନ୍ତି। ଷ୍ଟେଟ୍ ବ୍ୟାଙ୍କ ସହଯୋଗତରେ ବାଲୁକା କଳା ଜରିଆରେ ସଚେତନତା ବାର୍ତା ପ୍ରଦାନ କରାଯିବ। ରିଲାଏନ୍‌ସ ଫାଉଣ୍ଡେସନ୍‌ ଦ୍ବାରା ୧୫ଲକ୍ଷ ଲୋକଙ୍କ ମୋବାଇଲକୁ ସଚେତନତା ବାର୍ତା, ୟୁଟ୍ୟୁବ୍ ଲାଇଭ, ଫୋନ୍-ଇନ କାର୍ଯ୍ୟକ୍ରମରେ ରାଜ୍ୟର ୩୦ଟି ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କୁ ଏଚ୍‌ଆଇଭି ସଂପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ଅନେକ ସ୍ଥାନରୁ ଆସୁଥିବା ପ୍ରଶ୍ନକୁ ବିଶେଷଜ୍ଞଙ୍କ ଦ୍ବାରା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ, ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଜିଲ୍ଲାସ୍ତରରେ ପଦଯାତ୍ରା, ସାଧାରଣ ସଭା ଓ ପିଲାଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଓସାକ୍ସ ପକ୍ଷରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର