ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉତ୍ତର : ସରକାରୀ ସଚତନତା କାମ ଦେଉନି, ବଢୁଛି ଏଚଆଇଭି ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର : ରାଜ୍ୟରେ ବଢୁଛି ଏଚଆଇଭି ଓ ଏଡସ ରୋଗୀଙ୍କ ସଂଖ୍ୟା । ଏଚଆଇଭି ନିୟନ୍ତ୍ରଣ ପାଇଁ ସରକାର ଯେତେ ଯାହା କଲେବି ଏଡସ ରୋଗ ନିୟନ୍ତ୍ରଣ କରିବାରେ ସରକାରଙ୍କୁ ମିଳିନି ସଫଳତା । ଗୁରୁବାର ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ରଖିଥିବା ଉତ୍ତରରୁ ଜଣାପଡ଼ିଛି ୨୦୧୮ ଡିସେମ୍ବର ସୁଦ୍ଧା ରାଜ୍ୟରେ ମୋଟ ୪୬ ହଜାର ୯୬୭ ଜଣ ଏଚଆଇଭି ତଥା ଏଡସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୨ ହଜାର ୮୧୬ ଜଣ ଶିଶୁ ୧୪ ବର୍ଷରୁ କମ ହୋଇଥିବା ବେଳେ ଏଆରଟି ରିପୋର୍ଟ ଅନୁଯାୟୀ ୬ ହଜାର ୯୩୧ ଜଣ ବୟସ୍କ ଓ ୨୭୯ ଜଣଙ୍କର ମୃତ୍ୟୁ ହୋଇଛି ।

ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ ଗଞ୍ଜାମ ଜିଲ୍ଲାରେ ସବୁଠୁ ବେଶୀ ଏଡସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ ୧୫ ହଜାର ୬୪ ଜଣ ଏଚଆଇଭି ରୋଗୀଙ୍କ ଭିତରେ ୧୪ ବର୍ଷରୁ କମ୍ ୫୬୦ଜଣ ପୁଅ ଥିବାବେଳେ ୪୭୭ଜଣ ଝିଅ ଅଛନ୍ତି । ଏଡସରେ ଆକ୍ରାନ୍ତ ହୋଇ ଜିଲ୍ଲାରେ ୯୨ ଜଣ ଶିଶୁଙ୍କ ପ୍ରାଣହାନି ଘଟିଲାଣି । ସେହିପରି ଗଞ୍ଜାମ ତଳକୁ କଟକରେ ମୋଟ ୩ ହଜାର ୨୪୪ ଜଣ ଆକ୍ରାନ୍ତଙ୍କ ଭିତରୁ ୧୧୮ ନାବାଳକ ପୁଅ ଓ ୭୦ଜଣ ନାବାଳକ ଝିଅ ଅଛନ୍ତି । ଗତ ଡିସେମ୍ବର ସୁଦ୍ଧା ଏଡସରେ କଟକ ଜିଲ୍ଲାରେ ମୋଟ ୨୦ଜଣ ଶିଶୁଙ୍କର ପ୍ରାଣହାନୀ ଘଟିଛି । ସେହିପରି ଖୋର୍ଦ୍ଧା ଜିଲ୍ଲା ଏଡସ୍ ଆକ୍ରାନ୍ତଙ୍କ ଭିତରେ ତୃତୀୟ ସ୍ଥାନରେ ରହିଛି । ଏହି ଜିଲ୍ଲାରେ ମୋଟ ୨ ହଜାର ୭୫୪ ଜଣ ଏଡସ ରୋଗୀ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ଭିତରୁ ୪୧୯ଜଣ ପୁରୁଷଙ୍କର ମୃତ୍ୟୁ ହୋଇଛି । ଏହାବ୍ୟତୀତ ଜିଲ୍ଲାରେ ୧୮୯ ଜଣ ଶିଶୁ ଏଚଆଇଭି ଆକ୍ରାନ୍ତ ହୋଇଥିବାବେଲେ ଗତ ଡିସେମ୍ବର ସୁଦ୍ଧା ୧୭ଜଣ ଶିଶୁ ପ୍ରାଣ ହରାଇଲେଣି । ସ୍ବାସ୍ଥ୍ୟମନ୍ତ୍ରୀ କହିବା ଅନୁଯାୟୀ ରାଜ୍ୟର ସବୁ ଜିଲ୍ଲାରେ ଏଡସ ରୋଗୀ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର