ଏଚ୍‌ଆଇଭି ଆକ୍ରାନ୍ତଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାକୁ ନିର୍ଦେଶ

ଭୁବନେଶ୍ବର : ଏଚ୍‌ଆଇଭି ଆକ୍ରାନ୍ତଙ୍କୁ ଟିକା ଦେବା ନେଇ ସ୍ବାସ୍ଥ୍ୟ ବିଭାଗର ନିଦ ଭାଙ୍ଗିଛି। ଏଚ୍‌ଆଇଭି ସଂକ୍ରମିତଙ୍କୁ ପ୍ରାଥମିକତା ଭିତ୍ତିରେ ଆଗୁଆ ପଞ୍ଜୀକରଣ ବିନା ଟିକାକରଣ କେନ୍ଦ୍ରରେ ପଞ୍ଜୀକରଣ କରି ଟିକା ଦେବାକୁ ସବୁ ଜିଲ୍ଲାପାଳମାନଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି। ରାଜ୍ୟରେ ପ୍ରାୟ ୨୨ହଜାର ଏଚ୍‌ଆଇଭି ଆକ୍ରାନ୍ତ କିଭଳି କୋ-ମର୍ବିଡ ସାର୍ଟିଫିକେଟ୍‌ ନ ପାଇବା କାରଣରୁ ଟିକା ନେଇ ପାରୁ ନ ଥିବା ସାମ୍ନାକୁ ଆସିଥିଲା। ଜାତୀୟ ଏଡ୍‌ସ ନିୟନ୍ତ୍ରଣ ସଂସ୍ଥା ବା ନାକୋ ପକ୍ଷରୁ ଏକାଧିକ ଥର ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତିବା ବା ଓସାକ୍ସକୁ ଚିଠି ଲେଖା ଯାଇଥିଲା। ମାତ୍ର ଓସାକ୍ସ ପକ୍ଷରୁ ସେଭଳି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଅଭିଯୋଗ ହୋଇଥିଲା। ଏଚ୍‌ଆଇଭି ସଂକ୍ରମିତମାନେ ଟିକାକରଣରୁ ବାଦ୍ ପଡ଼ିଥିବା ନେଇ ଖବର ଚଳିତମାସ ୭ତାରିଖ‌ରେ ପ୍ରଥମେ ‘ସମ୍ବାଦ’ରେ ଖବର ପ୍ରକାଶିତ ହୋଇଥିଲା। ପରେ ଓସାକ୍ସର ପ୍ରକଳ୍ପ ନିର୍ଦେଶିକା ରାଜ୍ୟ ପରିବାର କଲ୍ୟାଣ ନିର୍ଦେଶକଙ୍କୁ ଚିଠି ଲେଖିଥିଲେ। ଓସାକ୍ସର ପ୍ରକଳ୍ପ ନିର୍ଦେଶିକାଙ୍କ ଚିଠିକୁ ଭିତ୍ତି କରି ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି।

ସମ୍ବନ୍ଧିତ ଖବର