ଗର୍ଭବତୀ ମା’ଠାରୁ ଶିଶୁକୁ ଏଚ୍‌ଆଇଭି ସଂକ୍ରମଣରେ ହ୍ରାସ

ଭୁବନେଶ୍ବର: ରାଜ୍ୟରେ ସଂକ୍ରମିତ ମା’ଠାରୁ ଶିଶୁକୁ ଏଚ୍‌ଆଇଭି/ସିଫିଲିସ୍‌ ସଂକ୍ରମଣରେ ହ୍ରାସ ଘଟିଛି। ୨୦୧୫/୧୬ରେ ଏହା ୮ ପ୍ରତିଶତରୁ ହ୍ରାସ ପାଇ ୩ ପ୍ରତିଶତରେ ପହଞ୍ଚିଛି। ତେବେ ଆସନ୍ତା ୨୦୨୦ ସୁଦ୍ଧା ଏହି ସଂଖ୍ୟାକୁ ଆହୁରି ହ୍ରାସ କରିବା ଦିଗରେ ଜୋର ଦେଇଛି ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ଓସାକ୍ସ। ଆଜି ଓସାକ୍ସ ପକ୍ଷରୁ ସ୍ଥାନୀୟ ପାନ୍ଥନିବାସରେ ସଂକ୍ରମିତ ମା’ଠାରୁ ଶିଶକୁ ସଂକ୍ରମଣ ହ୍ରାସ ବା ଇଏମ୍‌ଟିସିଟିର ସମୀକ୍ଷା ତଥା ଓରି‌ଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଓସାକ୍ସର ପ୍ରକଳ୍ପ ନିର୍ଦେଶିକା ଯାମିନୀ ଷଡ଼ଙ୍ଗୀଙ୍କ ନେତୃତ୍ବରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସଂକ୍ରମିତ ମା’ଠାରୁ ଶିଶୁକୁ ଏଚ୍‌ଆଇଭି/ସିଫିଲିସ୍ ସଂକ୍ରମଣକୁ ରୋକିବା ଦିଗରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ‌ବୈଠକରେ ଆଲୋଚନା ହୋଇଥିଲା। ଗତ ୩ବର୍ଷରେ ଗର୍ଭବତୀ ମହିଳାଙ୍କ ଏଚ୍‌ଆଇଭି ସ୍କ୍ରିନିଂ କ୍ଷେତ୍ରରେ ୫୪ ପଏଣ୍ଟ ବୃଦ୍ଧି ଘଟିଛି। ମଲ୍‌ଟି ଡ୍ରଗ୍‌ ଥେରାପି ଆରମ୍ଭ ହେବା ପରେ ମା’ଠାରୁ ଶିଶୁକୁ ସଂକ୍ରମଣରେ ହ୍ରାସ ଘଟିଥିବା ‌କୁହାଯାଇଛି। ଏହି ବୈଠକରେ ଏଡିଏମ୍‌ଓ (ଏଫ୍‌ଡବ୍ଳ୍ୟୁ), ଡିପିଏମ୍ (ଡିଏପିସିୟୁ), ଡିଏଆରସିଏଚ୍ (ଏନ୍‌ଆରଏଚ୍‌ଏମ) ଓ ୧୦ଟି ଜିଲ୍ଲାର ଆଇସିଟିସି-୨ କାଉନ୍‌ସିଲର ଯୋଗ ଦେଇଥିଲେ। ବୈଠକରେ ୨୦ଟି ଜିଲ୍ଲାର ଅଧିକାରୀ ଯୋଗ ଦେଇଥିବା ବେଳେ ଏହା ଆସନ୍ତାକାଲି ମଧ୍ୟ ଜାରି ରହିବ।

ସମ୍ବନ୍ଧିତ ଖବର