ଏନ୍‌ଏନ୍‌ସିୟୁ ଓ ଏନ୍‌ଆରସିରେ ଆରମ୍ଭ ହେବ ଏଚ୍‌ଆଇଭି ସ୍କ୍ରିନିଂ

୨୦୨୦ ସୁଦ୍ଧା ଶୂନ୍ୟ ଏଚ୍‌ଆଇଭି ସଂକ୍ରମଣ ଶିଶୁ ପ୍ରସବ ଲକ୍ଷ୍ୟ

ଭୁବନେଶ୍ବର : ୨୦୨୦ ସୁଦ୍ଧା ରାଜ୍ୟରେ ଶୂନ୍ୟ ଏଚ୍‌ଆଇଭି ସଂକ୍ରମଣ ଶିଶୁ ପ୍ରସବ ଲକ୍ଷ୍ୟ ରଖିଛି ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି (ଓସାକ୍ସ)। ଏଥିପାଇଁ ରାଜ୍ୟରେ ଥିବା ୩୮ଟି ଏସ୍‌ଏନ୍‌ସିୟୁ ଓ ୪୫ଟି ଏନ୍‌ଆରସିରେ ଅକ୍ଟୋବର ମାସ ସୁଦ୍ଧା ଏଚ୍‌ଆଇଭି ସ୍କ୍ରିନିଂ କାର୍ଯ୍ୟକାରୀ କରାଯିବ। ଏହି କେନ୍ଦ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ୟୁନିସେଫ ସହାୟତାରେ ତାଲିମ ପ୍ରଦାନ କରାଯିବ। ଏହାସହ ରାଜ୍ୟରେ ଥିବା ସମସ୍ତ ଭିଏଚ୍‌ଏନ୍‌ଡି/ୟୁଏଚ୍‌ଏନ୍‌ଡିରେ ଏଚ୍‌ଆଇଭି/ସିଫିଲିସ୍‌ର ସ୍କ୍ରିନିଂକୁ ଅଧିକ ସକ୍ରିୟ କରିବା ପାଇଁ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଜିଲ୍ଲାସ୍ତରରେ ପରୀକ୍ଷା କିଟ୍‌ର ରକ୍ଷଣାବେକ୍ଷଣ ପାଇଁ ରେଫ୍ରିଜିରେଟରର ବ୍ୟବସ୍ଥା କରାଯିବ। ଏଚ୍‌ଆଇଭି ସ୍କ୍ରିନିଂକୁ ଅଧିକ ତ୍ବରାନ୍ବିତ କରିବା ପାଇଁ ଦୁର୍ଗମ ଅଞ୍ଚଳର ବିଭିନ୍ନ ବେସରକାରୀ ହସ୍ପିଟାଲରେ ପହଞ୍ଚାଇବାର ମଧ୍ୟ ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ବ ଦିଆଯାଇଛି।

ଓସାକ୍ସର ଅଷ୍ଟମ ଯୁଗ୍ମ ବୈଠକ ନିକଟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ ମେହେର୍ଦା ଅଧ୍ୟକ୍ଷତା କରିବା ସହିତ ୨୦୨୦ ସୁଦ୍ଧା ଶୂନ୍ୟ ଏଚ୍‌ଆଇଭି ସଂକ୍ରମିତ ଶିଶୁ ପ୍ରସବର ଲକ୍ଷ୍ୟ ହାସଲ ପାଇଁ ତ୍ବରିତ ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ରାଜ୍ୟରେ ଚାଲୁଥିବା ମା’ଠାରୁ ଶିଶୁକୁ ଏଚ୍‌ଆଇଭି ସଂକ୍ରମଣ ବା ପିପିଟିସିଟି କାର୍ଯ୍ୟକ୍ରମ ଦ୍ବାରା ଗତ ୩ବର୍ଷରେ ଏଚ୍‌ଆଇଭି ସ୍କ୍ରିନିଂ ୪୦ ପ୍ରତିଶତରୁ ୯୨ ପ୍ରତିଶତକୁ ବୃଦ୍ଧି ହୋଇଛି। ତେଣୁ ଶୂନ୍ୟ ଏଚ୍‌ଆଇଭି ସଂକ୍ରମଣ ଶିଶୁ ପ୍ରସବ ପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହିତ ଭିଡିଓ କନଫରେନ୍‌ସିଂ ଜରିଆରେ ଆଲୋଚନା ପାଇଁ ଡା. ମେହେର୍ଦା ପରାମର୍ଶ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ସ୍ବାସ୍ଥ୍ୟ ମିସନର ନିର୍ଦେଶିକା ଶାଳିନୀ ପଣ୍ଡିତ, ଓସାକ୍ସର ନିର୍ଦେଶିକା ଗୁହା ପୁନମ ତାପସ କୁମାର, ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ, ପରିବାର କଲ୍ୟାଣ ବିଭାଗର ନିର୍ଦେଶକ, ରକ୍ତ ନିରାପତ୍ତା ବିଭାଗ ନିର୍ଦେଶକ ଓ ଓସାକ୍ସର ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର