ଭୁବନେଶ୍ୱର : ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଗର୍ଭବତୀ ମହିଳାଙ୍କ ଏଚ୍ଆଇଭି ଓ ସିଫିଲିସ୍ର ସ୍କ୍ରିନିଂ କରାଯିବ। ସ୍କ୍ରିନିଂ ପାଇଁ ଆବଶ୍ୟକ କିଟ୍କୁ ଜାତୀୟ ଏଡ୍ସ ନିୟନ୍ତ୍ରଣ ସମିତିି ବା ନାକୋ ପକ୍ଷରୁ ସମସ୍ତ ପଏଣ୍ଟ ଅଫ୍ କେୟାର ବା ପିଓସିକୁ ଯୋଗାଇ ଦିଆଯିବ। ଏହି ସ୍କ୍ରିନିଂ ପାଇଁ ଏଏନ୍ଏମ୍/ଷ୍ଟାଫ୍ ନର୍ସଙ୍କୁ ସ୍ୱତନ୍ତ୍ରଭାବେ ଟ୍ରେନିଂ ପ୍ରଦାନ କରାଯିବ। ଏଥିପାଇଁ ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାର ଜନସ୍ୱାସ୍ଥ୍ୟ ଅଧିକାରୀ ଓ ମେଡିକାଲ ଅଧିକାରୀଙ୍କୁ ଚିଠି ଦିଆଯାଇଛି।
ଦେଶରେ ବର୍ଷକୁ ୨୮ମିଲିଅନ୍ ଗର୍ଭବତୀ ମହିଳାଙ୍କ ପଞ୍ଜୀକରଣ ହେଉଥିବାବେଳେ ତହିଁରୁ ୫ ମିଲିଅନ୍ ସିଫିଲିସ୍ ଓ ୧୨ ମିଲିଅନ୍ ଏଚ୍ଆଇଭିଙ୍କ ପରୀକ୍ଷା ହୋଇପାରୁଛି। ଆହୁରି ୧୧ମିଲିଅନ୍ ଗର୍ଭବତୀ ମହିଳାଙ୍କ ଏଚ୍ଆଇଭି ଓ ସିଫିଲିସ୍ର ସ୍କ୍ରିନିଂ କରାଯାଇପାରୁ ନାହିଁ। ବଳକା ଗର୍ଭବତୀ ମହିଳାଙ୍କୁ ସ୍କି୍ରନିଂରେ ସାମିଲ କରିବାକୁ ଜାତୀୟ ଏଡ୍ସ ନିୟନ୍ତ୍ରଣ ସିମିତି ପକ୍ଷରୁ ଏକ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ ହୋଇଛି। ଏହା ଜରିଆରେ ସମସ୍ତ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯିବ। ରାଜ୍ୟ ସରକାର ଏହି ଯୋଜନାକୁ ମଞ୍ଜୁର କରିଛନ୍ତି। ଫଳରେ ପିଏଚ୍ସି, ସିଏଚ୍ସି, ଉପଖଣ୍ଡ ଡାକ୍ତରଖାନା ଓ ସ୍ୱାସ୍ଥ୍ୟ କ୍ୟାମ୍ପ୍ରେ ଏହି ସ୍କ୍ରିନିଂ କରିବାକୁ ନିଷ୍ପତ୍ତି ନିଆଯାଇଛି।
୨୦୨୦ ମସିହା ସୁଦ୍ଧା ରାଜ୍ୟରେ ମା’ରୁ ଶିଶୁ ଓ ସିଫିଲିସ୍ର ନିରାକରଣ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ପିତାମାତାଙ୍କଠାରୁ ଶିଶୁକୁ ହେଉଥିବା ସଂକ୍ରମଣ ବା ପିପିଟିସିଟି କାର୍ଯ୍ୟକ୍ରମ ରାଜ୍ୟରେ ଗତ କିଛିବର୍ଷ ହେବ ଜାରି ରହିଛି। ସେହିପରି ପ୍ରସବ ପରବର୍ତୀ ଯତ୍ନ ବା ଏଏନ୍ସି କ୍ଷେତ୍ରରେ ୨୦୧୭ ସେପ୍ଟେମ୍ବର ମାସ ସୁଦ୍ଧା ୮୮ ପ୍ରତିଶତ ସ୍କ୍ରିନିଂ କରାଯାଇଛି। ତେଣୁ ଏଚ୍ଆଇଭି ଓ ସିଫିଲିସ୍ର ସ୍କ୍ରିନିଂକୁ ଅଧିକ ତ୍ୱରାନ୍ଵିତ କରିବା ପାଇଁ ଗୋଷ୍ଠୀ ସ୍ତରରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଯୋଜନା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/hiv.jpg)