ଗର୍ଭାବସ୍ଥାରେ ଏଚ୍‌ଆଇଭି ପରୀକ୍ଷା କ୍ଷେତ୍ରରେ ୨୩ ଜିଲ୍ଲା ପଛୁଆ

ଏଏନ୍‌ସି ପାଇଁ ଜିଲ୍ଲା-ଜିଲ୍ଲା ମଧ୍ୟରେ ପ୍ରତିଯୋଗିତା ସୃଷ୍ଟି ପାଇଁ ଗୁରୁତ୍ୱ

ଭୁବନେଶ୍ୱର : ରାଜ୍ୟର ୨୩ଟି ଜିଲ୍ଲା ଗର୍ଭାବସ୍ଥାରେ ଏଚ୍‌ଆଇଭି ପରୀକ୍ଷା ବା ଆଣ୍ଟେ ନାଟାଲ କେୟାର(ଏଏନ୍‌ସି) କ୍ଷେତ୍ରରେ ପଛରେ ରହିଛି। ରାଜ୍ୟରେ ଏଏନ୍‌ସି ହାର ୭୯ପ୍ରତିଶତରେ ପହଞ୍ଚିଥିବା ବେଳେ ଏସବୁ ଜିଲ୍ଲା ରାଜ୍ୟ ହାରକୁ ମଧ୍ୟ ଛୁଇଁ ପାରି ନାହାନ୍ତି। ତେଣୁ ଜିଲ୍ଲା-ଜିଲ୍ଲା ମଧ୍ୟରେ ଏଏନ୍‌ସି ଚିହ୍ନଟ ପ୍ରକ୍ରିୟାଙ୍କ ପ୍ରତିଯୋଗିତାମୂଳକ କରିବା ପାଇଁ ଓସାକ୍ସ ପକ୍ଷରୁ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜୋର ଦିଆଯାଇଛି। ଯାହାଫଳରେ ମା’ଠାରୁ ଶିଶୁଙ୍କୁ ଏଚ୍‌ଆଇଭି ସଂକ୍ରମଣକୁ ରୋକା ଯାଇପାରିବ।

ସୂଚନା ଅନୁଯାୟୀ, ଗତବର୍ଷ ଏଏନ୍‌ସି ରାଜ୍ୟରେ ୪୨ପ୍ରତିଶତ ଥିବା ବେଳେ ୨୦୧୬/୧୭ରେ ଏହା ବୃଦ୍ଧି ପାଇ ୭୯ପ୍ରତିଶତରେ ପହଞ୍ଚିଛି। ସେହପରି ଚଳିତବର୍ଷ ପ୍ରଥମ ୩ ମାସରେ ଏହାର ୮୬ପ୍ରତିଶତରେ ପହଞ୍ଚିଥିବା ଜଣାପଡ଼ିଛି। ୭ଟି ଜିଲ୍ଲାରେ ଏଏନ୍‌ସି ହାର ରାଜ୍ୟ ହାରଠାରୁ ଅଧିକ ରହିଛି। ଅନୁଗୁଳ, କଟକ, ଗଞ୍ଜାମ, ଭଦ୍ରକ, ବଲାଙ୍ଗୀର, ବାଲେଶ୍ୱର ଓ ନୟାଗଡ଼ ଜିଲ୍ଲାରେ ଏଏନ୍‌ସି ଅଧିକ ରହିଛି। ମାତ୍ର ରାଜ୍ୟ ଅନ୍ୟ ଜିଲ୍ଲାଗୁଡ଼ିକ ଏ କ୍ଷେତ୍ରରେ ପଛରେ ରହିଛନ୍ତି। ମାଲକାନାଗିରିରେ ୨୦୧୬/୧୭ବର୍ଷରେ ଏହା ୩୫ପ୍ରତିଶତ ରହିଛି। ତେଣୁ ଏସବୁ ଜିଲ୍ଲାଗୁଡ଼ିକ କିଭଳି ରାଜ୍ୟ ହାର ନିକଟରେ ପହଞ୍ଚିବ ସେଥିପାଇଁ ଓସାକ୍ସ ପକ୍ଷରୁ ଗୁରୁତ୍ୱ ଦିଆଯାଇଥିଲା।

ଏହାସହ ଟିବି-ଏଚ୍‌ଆଇଭି ରୋଗୀଙ୍କ କ୍ରସ୍‌ ରେଫରାଲ ରାଜ୍ୟରେ ୯୫ପ୍ରତିଶତରେ ପହଞ୍ଚିଛି। ମାତ୍ର କିଛି ଜିଲ୍ଲାରେ ଏହାର ହାର କମ୍‌ ରହିଛି। ତେଣୁ ନିୟମିତ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ବୈଠକ କରି କିପରି କ୍ରସ୍‌ ରେଫରାଲ ସଂଖ୍ୟା ବଢ଼ାଯାଇ ପରିବ ତାହାକୁ ଅଧିକାରୀମାନେ ଜୋର ଦେଇଥିଲେ। କିନ୍ତୁ ଜିଲ୍ଲାର ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ଏଚ୍‌ଆଇଭି ଆକ୍ରାନ୍ତଙ୍କୁ ଉପଯୁକ୍ତ ସେବା ମିଳୁ ନ ଥିବା ଓସାକ୍ସ କର୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏପରିକି ସେଠାରେ ଚିକିତ୍ସା କରିବା ପରିବର୍ତେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରି ଦିଆଯାଉଥିବା ଜଣାପଡ଼ିଥିଲା। ତେଣୁ ତୃଣମୂଳସ୍ତରରେ ଥିବା ଡାକ୍ତରଖାନାଗୁଡ଼ିକରେ ଏଚ୍‌ଆଇଭି ଆକ୍ରନ୍ତଙ୍କୁ କିଭଳି ଶତ ପ୍ରତିଶତ ଚିକିତ୍ସା ମିଳିବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାର ଏଡିଏମ୍‌ଓଙ୍କୁ ନିର୍ଦେଶ ବୈଠକରେ ନିର୍ଦେଶ ଦିଆଯାଇଛି।ଏହି ବୈଠକରେ ଓସାକ୍ସର ପ୍ରକଳ୍ପ ନିର୍ଦେଶକ ଅଜିତ ମିଶ୍ର, ସ୍ୱାସ୍ଥ୍ୟସେବା ନିର୍ଦେଶକ ଡା.ବି.କେ ବ୍ରହ୍ମା ଓ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡା.ଜେ.କେ ତ୍ରିପାଠୀ ଯୋଗ ଦେଇଥିଲେ। ଡା.ସୁଶାନ୍ତ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର