ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରହିବ ଏଚ୍‌ଆଇଭି ଟେଷ୍ଟ୍‌ କିଟ୍‌

ଭୁବନେଶ୍ୱର : ରାଜ୍ୟର ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଚ୍‌ଆଇଭି ଟେଷ୍ଟ କିଟ୍‌ ଉପଲବ୍ଧ ହେବ। ଏହାସହ ଆବଶ୍ୟକ ଜରୁରୀ ଔଷଧ ରଖିବା ପାଇଁ ଫ୍ରିଜ୍‌ର ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ନେଇଛି ସ୍ୱାସ୍ଥ୍ୟ ବିଭାଗ।

ଗତକାଲି ଏଚ୍‌ଆଇଭି-ଯକ୍ଷ୍ମା ରାଜ୍ୟ ସମନ୍ଵୟ କମିଟି ବୈଠକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଡା.ପ୍ରମୋଦ କୁମାର ମେହେର୍ଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ କୁହାଯାଇଥିଲା ଯେ, ରାଜ୍ୟରେ ଏବେ ୬୮୯ଜଣ ଯକ୍ଷ୍ମା-ଏଚ୍‌ଆଇଭି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିକିତ୍ସା ପରେ ୨୮୨ଜଣ ଆରୋଗ୍ୟ ହୋଇଥିବା ବେଳେ ୪୦୧ଜଣ ଚିକିତ୍ସାଧୀନ ରହିଛନ୍ତି। ଯକ୍ଷ୍ମା ଆକ୍ରାନ୍ତଙ୍କ ଏଚ୍‌ଆଇଭି ପରୀକ୍ଷା ପାଇଁ ସ୍ୱତନ୍ତ୍ର ପଦ୍ଧତି, ସବିନାଟ୍‌ ମେସିନ୍‌ର ଉପଯୋଗ, ଏଆଟି କେନ୍ଦ୍ରରୁ ଆଇସିଟିସିକୁ ରେଫର କରିବା, ଯକ୍ଷ୍ମା ପ୍ରବଣ ଜିଲ୍ଲାଗୁଡ଼ିକରେ ଆକ୍ରାନ୍ତ ଚିହ୍ନଟ ପ୍ରକ୍ରିୟାକୁ ଜୋରଦାର କରିବା, ତାଲିମ ଓ ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ କରାଯିବା ଉପରେ ବୈଠକରେ ଆଲୋଚନା ହୋଇଥିଲା।

ବୈଠକରେ ଓସାକ୍ସର ପ୍ରକଳ୍ପ ନିର୍ଦେଶକ ଡା.ଅଜିତ ମିଶ୍ର, ଜାତୀୟ ସ୍ୱାସ୍ଥ୍ୟ ମିସନ ଅତିରିକ୍ତ ନିର୍ଦେଶକ ସରୋଜ ସାମଲ, ଓସାକ୍ସର ଯୁଗ୍ମ ନିର୍ଦେଶକ ଡା.ବିଜୟ କୁମାର ସ୍ୱାଇଁ, ଯକ୍ଷ୍ମା ଯୁଗ୍ମ ନିର୍ଦେଶିକା ଡା.ସଂଯୁକ୍ତା ସାହୁଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର