ଭୁବନେଶ୍ବର : ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ କ୍ଲିୟରାନ୍ସ  ଅଥରିଟି ପକ୍ଷରୁ ୯୨,୭୧୩ କୋଟି ଟଙ୍କା ମୂଲ୍ୟର ୫ଟି ମେଗା ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି । ଏସବୁ ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୩୧,୯୭୯ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

Advertisment

ଗୁରୁବାରଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ କ୍ଲିୟରାନ୍ସ  ଅଥରିଟି ପକ୍ଷରୁ ସବୁଜ ସଂକେତ ଦିଆଯାଇଥିବା ୫ଟି ପ୍ରକଳ୍ପ ହେଲା, ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ବାରର କ୍ଷମତା ସଂପ୍ରସାରଣ, ଜେଏସଏଲର କ୍ଷମତା ସଂପ୍ରସାରଣ, ଏସାର ମିନମେଟର ବେନିଫିସିଏସନ ଓ ପେଲେଟ ପ୍ରକଳ୍ପ, ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲର ବେନିଫିସିଏସନ ଓ ପେଲେଟ ପ୍ରକଳ୍ପର କ୍ଷମତା ସଂପ୍ରସାରଣ ଓ ସମ୍ବଲପୁରସ୍ଥିତ ଶ୍ୟାମ ମେଟାଲିକ୍ସର କ୍ଷମତା ସଂପ୍ରସାରଣ ପ୍ରକଳ୍ପ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ଶିଳ୍ପ ଅର୍ଥନୀତି ସ୍ବାଭାବିକ ଅବସ୍ଥାକୁ ଫେରିଆସିଛି । କରୋନା ମହାମାରୀ ସତ୍ତ୍ବେ ରାଜ୍ୟ ଗତ ଫେବ୍ରୁଆରିଠାରୁ ଏପର୍ଯ୍ୟନ୍ତ ପ୍ରାୟ ୧.୧୭ ଲକ୍ଷ କୋଟିର ପୁଞ୍ଜିନିବେଶ ଆକୃଷ୍ଟ କରିପାରିଛି । ରାଜ୍ୟରେ ଶିଳ୍ପ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ନିୟମିତ ସମୀକ୍ଷା କରି ରିପୋର୍ଟ ଦେବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  । ରାଜ୍ୟର ଦ୍ରୁତ ଶିଳ୍ପ ବିକାଶ ପାଇଁ ସବୁ ସରକାରୀ ଏଜେନ୍ସିମାନେ ପରସ୍ପର ସହ ସମନ୍ବୟ ରଖି କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।