ଭୁବନେଶ୍ବର: ରବିବାର ଦିନ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ପାଞ୍ଚ ଜଣ ବ୍ୟକ୍ତିଙ୍କ ଗସ୍ତ ବିବରଣୀ ପ୍ରକାଶ କରିଛନ୍ତି। ସେମାନେ ହେଉଛନ୍ତି ୧୪୭, ୧୪୮, ୧୪୯, ୧୫୦ ଓ ୧୫୨ ନମ୍ବର ଆକ୍ରାନ୍ତ।
୧୪୭ ଓ ୧୪୮ ନମ୍ବର ଆକ୍ରାନ୍ତ ହେଉଛନ୍ତି ବଲାଙ୍ଗୀର ଜିଲ୍ଲାର ଗୁଡ଼ଭେଲା ଅନ୍ତର୍ଗତ ଲେଖିରିଆର ତାମିଲନାଡୁ ଫେରନ୍ତା ଜଣେ ୧୮ ବର୍ଷିୟ ଓ ଜଣେ ୨୦ ପୁରୁଷ।
୧୪୭ ନମ୍ବର ଆକ୍ରାନ୍ତ ଟ୍ରେନ୍ ଯୋଗେ ତିରୁପୁରୁ ଆସି ମାର୍ଚ ୧୭ ତାରିଖ ଦିନ ବଲାଙ୍ଗୀରରେ ଷ୍ଟେସନରେ ପହଞ୍ଚି ଗାଡ଼ି ଭଡ଼ା କରି ଅନ୍ୟ ୪ ଜଣଙ୍କ ସହ ନିଜ ଗାଆଁକୁ ଫେରିଥିଲେ। ମାର୍ଚ ୧୮ରୁ ଏପ୍ରିଲ୍ ୫ ଯାଏଁ ସେ ହୋମ୍ କ୍ବାରେଣ୍ଟିନ୍ରେ ଥିଲେ। କିନ୍ତୁ, ସବୁବେଳେ ସାଙ୍ଗମାନଙ୍କ ସହ କ୍ରିକେଟ୍ ଖେଳୁଥିଲେ ଓ ସେଲୁନ୍କୁ ଚୂଳକାଟିବାକୁ ଯାଇଥିଲେ। ଲକ୍ଷଣ ନ ଥାଇ ମଧ୍ୟ ମେ ୧ ଦିନ ତାଙ୍କ ନମୁନା ପରୀକ୍ଷା କରାଯାଇଥିଲା ଏବଂ ତାଙ୍କୁ ସେହି ଦିନ ବଲାଙ୍ଗୀର କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା।
୧୪୮ ନମ୍ବର ଆକ୍ରାନ୍ତଙ୍କ ବିବରଣୀ ମଧ୍ୟ ଠିକ୍ ୧୪୭ ନମ୍ବର ଆକ୍ରାନ୍ତଙ୍କ ପରି ଆସି ସେହିଭଳି ହୋମ୍ କ୍ବାରେଣ୍ଟିନ୍ରେ ଥିଲେ। କିନ୍ତୁ, ଥରେ ସେ ତାଙ୍କ ବନ୍ଧୁ ଘରକୁ ଯାଇଥିଲେ ଏବଂ ଆଉ ଦିନେ ଚାଉଳ ମିଲ୍କୁ ଯାଇଥିଲେ।
୧୪୯ ନମ୍ବର ଆକ୍ରାନ୍ତ ହେଉଛନ୍ତି ଯାଜପୁର ଜିଲ୍ଲା ଅନ୍ତର୍ଗତ ନାଥସାହି ଗ୍ରାମର କୋଲକାତା ଫେରନ୍ତା ୫୬ ବର୍ଷିୟ ପୁରୁଷ। ସେ ଘରୋଇ ବସ୍ ଯୋଗେ ଅନ୍ୟ ୫ ଜଣଙ୍କ ସହ ଆସି ମାର୍ଚ ୨୩ ତାରିଖରେ ପାଣିକୋଇଲିରେ ପହଞ୍ଚିଥିଲେ। ସେଠାରୁ ସିଧା ଯାଇ ଡିଏଚ୍ଏଚ୍ରେ ରେଜିଷ୍ଟ୍ରେସନ୍ କରାଇ ବାଇକ୍ ଯୋଗେ ଘରକୁ ଫେରିଥିଲେ। ସେ ମାର୍ଚ ୨୩ ରୁ ଏପ୍ରିଲ୍ ୩୦ ଯାଏଁ ହୋମ୍ କ୍ବାରେଣ୍ଟିନ୍ରେ ରହିବା ପରେ ମେ ୧ ତାରିଖ ଦିନ ନମୁନା ପରୀକ୍ଷା କରାଯାଇ କଳିଙ୍ଗ ନଗରସ୍ଥିତ ଟାଟା କୋଭିଡ୍ ହସ୍ପିଟାଲ୍ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।
୧୫୦ ନମ୍ବର ଆକ୍ରାନ୍ତ ମଧ୍ୟ କୋଲ୍କାତା ଫେରନ୍ତା ଏବଂ ତାଙ୍କ ଘର ସେହି ଯାଜପୁର ଜିଲ୍ଲାର ବିଞ୍ଝାରପୁର ଅଞ୍ଚଳର ବେଲାମପୁର ଗ୍ରାମରେ। ସେ ଅନ୍ୟ ସାତଜଣଙ୍କ ସହ ଭଡ଼ା ଗାଡ଼ିରେ କୋଲ୍କାତାରୁ ମାର୍ଚ ୨୯-୩୦ରେ ଘରକୁ ଫେରିଥିଲେ। ମାର୍ଚ ୩୦ ରୁ ଏପ୍ରିଲ୍ ୩୦ ଯାଏଁ ହୋମ୍ କ୍ବାରେଣ୍ଟିନ୍ରେ ରହିବା ପରେ ଲକ୍ଷଣ ନ ଥାଇ ମଧ୍ୟ ତାଙ୍କ ନମୁନା ପରୀକ୍ଷା କରାଯିବା ପରେ ପଜିଟିଭ୍ ବାହାରିଥିଲା। ସେ ମଧ୍ୟ କଳିଙ୍ଗ ନଗରସ୍ଥିତ ଟାଟା କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି।
୧୫୨ ନମ୍ବର ଆକ୍ରାନ୍ତ ହେଉଛନ୍ତି ଯାଜପୁର ଜିଲ୍ଲାର ବରି ଅନ୍ତର୍ଗତ ତଳକାଇପଡ଼ାର କୋଲକତା ଫେରନ୍ତା ୨୮ ବର୍ଷିୟ ପୁରୁଷ। ସେ ସପରିବାର ହୋମ୍ କ୍ବାରେଣ୍ଟିନ୍ରେ ଥିଲେ କିନ୍ତୁ, ମାର୍ଚ ୩୦ ତାରିଖରୁ ଏପ୍ରିଲ୍ ୩୦ ତାରିଖ ମଧ୍ୟରେ ବନ୍ଧୁମାନଙ୍କ ସହ ବରାବର ତାସ୍ ଓ କ୍ରିକେଟ୍ ଖେଳୁଥିଲେ। ତାଙ୍କଠାରେ କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥିଲେ ମଧ୍ୟ ଗସ୍ତ ଇତିହାସ କାରଣରୁ ତାଙ୍କର ନମୁନା ସଂଗ୍ରହ କରାଯାଇଥିଲା। ମେ ୧ ତାରିଖ ଦିନ ତାଙ୍କୁ କଳିଙ୍ଗ ନଗରସ୍ଥିତ ଟାଟା କୋଭିଡ୍ ହସ୍ପିଟାଲ୍ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।