ରାଇରଙ୍ଗପୁର: ଓଡିଶା ପ୍ରଦେଶ ତଥା ରାଜ୍ୟରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ସରକାରୀ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ୬୦୨୫ ପଦବି ଏଲଟିଆର ଶିକ୍ଷକ ନିଯୁକ୍ତି ଦିଆ ଯିବା ପାଇଁ ଗତ ଅକ୍ଟୋବର ୨୨ରେ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ଏଥିରେ ହୋ' ଭାଷା ଶିକ୍ଷକ ନିଯୁକ୍ତି ପାଇଁ ଉଲ୍ଲେଖ ନ ଥିବା ପ୍ରତିବାଦରେ ଏକ ସ୍ମାରକପତ୍ର ହୋ' ସମାଜ ପକ୍ଷରୁ ବରିଷ୍ଠ ଶିକ୍ଷାବିତ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରାଙ୍କ ସ୍ବାକ୍ଷରିତ ଦାବିପତ୍ର ହୋ' ସମାଜସେବୀ ଗାମାୟ ରୀମିଲ ସିଂ ଗୋଇପାଇଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖଙ୍କ ଉଦ୍ଦେଶ୍ୟରେ ରାଇରଙ୍ଗପୁର ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ପ୍ରଦାନ କରାଯାଇଛି।
ସ୍ମାରକପତ୍ରରେ ଦର୍ଶାଯାଇଛି ଯେ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ ପକ୍ଷରୁ ଗତ ୨୨ ତାରିଖରେ ୪୨୩୧ ନମ୍ବର ବିଜ୍ଞପ୍ତି ଅନୁଯାୟୀ ୬୦୨୫ ଏଲଟିଆର ଶିକ୍ଷକଙ୍କୁ ସରକାରୀ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ନିଯୁକ୍ତି ଦିଆଯିବ। ନିଯୁକ୍ତି ଦିଆ ଯିବାକୁ ଥିବା ୬୦୨୫ ଶିକ୍ଷକଙ୍କ ମଧ୍ୟରୁ ୧୯୮୪ ଜଣ ଟିଜିଟି କଳା, ୧୦୨୦ ଜଣ ଟିଜିଟି ବିଜ୍ଞାନ (ପିସିଏମ), ୮୮୦ ଜଣ ଟିଜିଟି ବିଜ୍ଞାନ (ସିବିଜେଡ), ୭୧୧ ଜଣ ହିନ୍ଦୀ ଶିକ୍ଷକ, ୭୨୯ ଜଣ ସଂସ୍କୃତ ଶିକ୍ଷକ, ୦୬ ଜଣ ତେଲୁଗୁ ଶିକ୍ଷକ, ୧୪ ଜଣ ଉର୍ଦ୍ଦୁ ଶିକ୍ଷକ ଏବଂ ୬୮୧ ଜଣ ପିଇଟି ଶିକ୍ଷକ ନିଯୁକ୍ତି ଦିଆଯିବ।
ଏତେ ବଡ଼ ନିଯୁକ୍ତି ପ୍ରକ୍ରିୟା ରାଜ୍ୟରେ ଥିବାକୁ ବେଳେ ହୋ' ଭାଷା ଶିକ୍ଷକ ନିଯୁକ୍ତିକୁ ଏଥିରେ ସ୍ଥାନ ମିଳିପାରି ନ ଥିବାରୁ ହୋ' ଭାଷାଭାଷୀଙ୍କ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହା ବ୍ୟତୀତ ଓଡ଼ିଶାରେ ବସବାସ କରୁଥିବା ୧୦ ଲକ୍ଷରୁ ଉର୍ଦ୍ଧ୍ବ ହୋ' ଭାଷାଭାଷୀଙ୍କ ମଧ୍ୟରେ ଅଧିକାଂଶ ମୟୂରଭଞ୍ଜ, କେନ୍ଦୁଝର,ବାଲେଶ୍ୱର, ଭଦ୍ରକ, ଦେବଗଡ଼, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ରହିଛନ୍ତି। ଓଡ଼ିଶାରେ ଦ୍ଵିତୀୟ ରାଜଭାଷା ରୂପେ ହୋ' ଭାଷାକୁ ଗ୍ରହଣ କରାଯିବାକୁ ଦାବି କରାଯାଉଥିବା ପରିପ୍ରେକ୍ଷୀରେ ହୋ' ଭାଷାଭାଷୀଙ୍କ ଏକ ପ୍ରତିନିଧି ଦଳ ନିକଟରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ଏବଂ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରାଯିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିବା ପ୍ରକାଶ। ପଡୋଶୀ ରାଜ୍ୟ ଝାଡଖଣ୍ଡରେ ହୋ' ଭାଷାକୁ ଦ୍ବିତୀୟ ରାଜଭାଷା ରୂପେ ଗ୍ରହଣ କରାଯାଇଛି। ରାଇରଙ୍ଗପୁର ଉପଖଣ୍ଡ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ ସମାଜସେବକ ଧନି ଗୋଇପାଇ, କର୍ମଧର ଜାମୁଡା, ରାଜୁ ଗୁନ୍ଧୁଆ, ମାନୁ ସାଉୟା,
କୁସୁନୁ ଗିଲୁଆ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/14/AwoHNbEErJeOZMnysdT1.jpg)