ହୋର୍ଡିଂ ହେଲା ପ୍ରସଙ୍ଗ : ଆରମ୍ଭରୁ ପରସ୍ପର ବିରୋଧରେ ଫେରାଦ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ତିନି ପ୍ରମୁଖ ଦଳ

ଭୁବନେଶ୍ବର : ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ୨୪ ଘଣ୍ଟା ପୂରିବା ଆଗରୁ ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡି ପରସ୍ପର ବିରୋଧରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ କରିଦେଇଛନ୍ତି। ଆଜି ବିଜେପି ପ୍ରଥମେ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଭେଟି ବିଭିନ୍ନ ସ୍ଥାନରେ ରାଜ୍ୟ ସରକାରଙ୍କ ହୋର୍ଡିଂ ଉଠୁ ନ ଥିବା ଅଭିଯୋଗ ଦାଖଲ କରିଥିଲା। କିଛି ଘଣ୍ଟା ପରେ କେନ୍ଦ୍ର ସରକାରଙ୍କ ହୋର୍ଡିଂ ବିଭିନ୍ନ ସ୍ଥାନରୁ ଉଠୁ ନ ଥିବାରୁ ନିର୍ବାଚନ ଅଧିକାରୀଙ୍କ ନିକଟରେ ପାଲଟା ଅଭିଯୋଗ ଦାଖଲ କଲା ବିଜେଡି। ଅପର ପକ୍ଷରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହୋର୍ଡିଂ ହଟାଇବାକୁ ସିଇଓଙ୍କ ନିକଟରେ କଂଗ୍ରେସ ଦାବି କରିଛି।

ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ‌େଭଟି ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଏଥିରେ କୁହାଯାଇଛି, ରାଜ୍ୟର ଅନେକ ସ୍ଥାନରେ ରାଜ୍ୟ ସରକାରଙ୍କ ଯୋଜନା ସମ୍ବଳିତ ବିଭିନ୍ନ ହୋ‌ର୍ଡିଂ ଓ ଇଲେକ୍ଟ୍ରୋନିକ୍ସ ହୋର୍ଡିଂ ଏବେ ବି ଲାଗିଛି। ଏହି ବିଜ୍ଞାପନ ଓ ହୋର୍ଡିଂଗୁଡ଼ିକ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିବା ସହ ଧାରା ୧୭୧ (ଗ) ଅନୁଯାୟୀ ଆଇନତଃ ଅପରାଧ। ନିର୍ବାଚନ କମିସନ୍‌ଙ୍କ ନିର୍ଦ୍ଦେଶନାମା ୩୫ ଓ ୩୯କୁ ଏହା ଉଲ୍ଲଂଘନ କରୁଛି। ଅନ୍ୟ ପଟେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ରହିିଥିବା ପୁସ୍ତିକା ଆଇନା ସରକାରୀ କଳ ଓ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ବାରା ଘରେ ଘରେ ବଣ୍ଟାଯାଉଛି। ରାଜ୍ୟରେ ଥିବା କଣ୍ଟ୍ରୋଲ ଡିଲର୍‌ମାନେ ୪ଟି ଏଲ୍‌ଇଡି ବଲ୍‌ବ ସହ ଆଇନା ପୁସ୍ତକ ମଧ୍ୟ ବଣ୍ଟନ କରୁଛନ୍ତି। ଏହି ପ୍ରତିନିଧି ଦଳରେ ଲେଖାଶ୍ରୀ ସାମନ୍ତସିଂହାର, ରବି ଶଙ୍କର ପଟ୍ଟନାୟକ, ଜୟନ୍ତ ଜେନା, ସତ୍ୟବ୍ରତ ନାୟକ, ଅନିଲ କୁମାର ଶତପଥୀ, ବିଜୟ ସିଂହ, ଉମାକାନ୍ତ ପଟ୍ଟନାୟକ, ବିଶ୍ବ ରଞ୍ଜନ ପଟ୍ଟନାୟକ, ସୂର୍ଯ୍ୟ ନାଥନ ଦାସ ଓ ପ୍ରଜ୍ଞା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ବିଜେଡି ପକ୍ଷରୁ ରାଜ୍ୟ ସମ୍ପାଦକ ବିଜୟ ନାୟକ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି, ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥି‌େଲ ବି ପେଟ୍ରୋଲ ପମ୍ପ ଓ ଗ୍ୟାସ୍‌ ଏଜେନ୍ସିରେ କେନ୍ଦ୍ର ସରକାର ଓ କେନ୍ଦ୍ରୀୟ ପିଏସ୍‌ୟୁଗୁଡ଼ିକର ହୋ‌ର୍ଡିଂ ଓ ଇଲେକ୍ଟ୍ରୋନିକ୍ସ ଡିସ୍‌ପ୍ଲେ ଖୋଲାଯାଇ ନାହିଁ। ନିର୍ବାଚନ କମିସନ୍‌ଙ୍କ ନିର୍ଦ୍ଦେଶ ଅନୁଯାୟୀ ତୁରନ୍ତ ଏହି ହୋର୍ଡିଂଗୁଡ଼ିକ ହଟାଯିବା ଦରକାର। କାରଣ ଏଥିରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ପ୍ରଚାର କରାଯିବା ସହ କେନ୍ଦ୍ରୀୟ ନେତାଙ୍କ ଫଟୋ ଲାଗିଛି। କିନ୍ତୁ ଏଗୁଡ଼ିକ ଆଜି ହଟାଇବା ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଭୁବନେଶ୍ବର ବିମାନବନ୍ଦରରେ ମଧ୍ୟ ଏମିତି ଇଲେକ୍ଟ୍ରୋନିକ୍ସ ହୋର୍ଡିଂ ଲାଗିଛି। ଏପରି ହୋର୍ଡିଂ ହଟାଇବା ପାଇଁ ତୁରନ୍ତ ପଦକ୍ଷେପ ନ ନେବା ଗଣତନ୍ତ୍ର ପାଇଁ ବିପଦ।

କଂଗ୍ରେସ ପକ୍ଷରୁ ପିସିସି ଉପସଭାପତି ଶିବାନନ୍ଦ ରାୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଫେରାଦ ହୋଇଛନ୍ତି। ସେ ଲିଖିତ ଭାବେ ଦର୍ଶାଇଛନ୍ତି, ଆଦର୍ଶ ଆଚରଣ ବିଧି ଲାଗୁ ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ବଳିତ ହୋର୍ଡିଂଗୁଡ଼ିକ ଅପସାରଣ କରିବା ଆବଶ୍ୟକ। ତେଣୁ ସେଗୁଡ଼ିକୁ ହଟାଇବା ପାଇଁ ସିଇଓ ତୁରନ୍ତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର