୪୫ଜଣଙ୍କୁ ସମ୍ପତ୍ତି ବାଜ୍ୟାପ୍ତି ନୋଟିସ୍

ସାର୍ଟିଫିକେଟ୍‌ କେସ୍‌ ରୁଜୁ ହେଲା, ୩୦୦ଜଣ ଖିଲାପକାରୀଙ୍କ ତାଲିକା ପ୍ରସ୍ତୁତ, ୫୦ହଜାରରୁ ୫କୋଟି ପର୍ଯ୍ୟନ୍ତ ଟିକସ ଫାଙ୍କିଛନ୍ତି

ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)କୁ ହୋଲଡିଂ ଟିକସ ନଦେବା ଏବେ ମହଙ୍ଗା ପଡ଼ିବାକୁ ଯାଉଛି। ଭୁବନେଶ୍ବରରେ ଏବେ ପ୍ରାୟ ୩୦୦ଜଣ ଘର ମାଲିକ ଦୀର୍ଘ ବର୍ଷ ହେଲା ବିଏମ୍‌ସିକୁ ଟିକସ ଫାଙ୍କି ଆସୁଥିବାରୁ ସେମାନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସମେତ ବ୍ୟାଙ୍କ ଆକାଉଣ୍ଟ ସିଜ୍‌ କରିବାକୁ ବିଏମ୍‌ସି ପଦକ୍ଷେପ ନେଇଛି। ଆଜି ପ୍ରଥମ ପର୍ଯ୍ୟାୟରେ ୪୫ଜଣଙ୍କ ନାମରେ ସାର୍ଟିଫିକେଟ୍‌ କେସ୍‌ ରୁଜୁ ହୋଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି।

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭୁବନେଶ୍ବର ଉତ୍ତର ଜୋନ୍‌(ଚନ୍ଦ୍ରଶେଖରପୁର ଓ ପାହାଳ ଅଞ୍ଚଳ)ରେ ୪୫ଜଣ ଖିଲାପକାରୀଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ବହୁ ଆବାସିକ ଘର, ଶିକ୍ଷାନୁଷ୍ଠାନ, ଦୋକାନ ଘର, ସୋ’ରୁମ୍ ଆଦି ରହିଛି। ଏହି ମାଲିକମାନେ ବ‌େର୍ଷରୁ ଆରମ୍ଭ କରି ୫ବର୍ଷରୁ ଅଧିକ ସମୟ ହେଲା ଟିକସ ଦେଉନାହାନ୍ତି। ଏପରିକି ବାରମ୍ବାର ନୋଟିସ୍‌ ସତ୍ତ୍ବେ ବିଏମ୍‌ସିରେ ହାଜର ହେଉନାହାନ୍ତି କି ହୋଲଡିଂ ଟିକସ ‌ଜମା କରୁନାହାନ୍ତି। ତେଣୁ ସେମାନଙ୍କ ବିରୁଦ୍ଧରେ ଓଡ଼ିଶା ପବ୍ଲିକ ଡିମାଣ୍ଡ ରିକଭରି ଆକ୍ଟ, ୧୯୬୨ ଅନୁଯାୟୀ, ବିଏମ୍‌ସି ସାର୍ଟିଫ‌ିକେଟ୍‌ କେସ୍ ରୁଜୁ କରିଛି। ସପ୍ତାହକ ମଧ୍ୟରେ ଟିକସ ଜମା ନକଲେ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପଦକ୍ଷେପ ନିଆଯିବ।

ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି ଯେ, ଏବେ ଯେଉଁ ୪୫ଜଣଙ୍କ ନାମରେ ସାର୍ଟିଫିକେଟ୍‌ କେସ୍ ହୋଇଛି ସେମାନେ ୫୦ହଜାରରୁ ଆରମ୍ଭ କରି ୫କୋଟି ପର୍ଯ୍ୟନ୍ତ ଟିକସ ଫାଙ୍କିଛନ୍ତି। ଏପରିକି କେତେକ ସ୍ଥାନରେ ସ୍ବାମୀ ଓ ସ୍ତ୍ରୀ ପୃଥକ ପୃଥକ ସମ୍ପତ୍ତିର ମାଲିକ ହୋଇଥିଲେ ବି ହୋଲଡିଂ ଟିକସ ଦେଇନାହାନ୍ତି। ଏହି ଟିକସ ଖିଲାପକାରୀଙ୍କ ଠାରୁ ବିଏମ୍‌ସି ୯କୋଟି ୩୩ଲକ୍ଷ ୫୮ହଜାର ୭୬୪ ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟ ରଖିଛି। ସେହିପରି ବାକି ଦୁଇଟି ଜୋନ୍‌ରେ ଥିବା ୨୫୦ରୁ ଅଧିକ ଟିକସ ଖିଲାପକାରୀଙ୍କ ବିରୁଦ୍ଧରେ ଦୁଇରୁ ତିନି ଦିନ ମଧ୍ୟରେ ସାର୍ଟିଫିକେଟ୍‌ କେସ୍‌ ରୁଜୁ ହେବ। ସମସ୍ତ ଖିଲାପକାରୀ ଟିକସ ଦେଲେ ବିଏମ୍‌ସି ଚଳିତ ମାସରେ ୨୦କୋଟି ଟଙ୍କା ହୋଲଡିଂ ଟିକସ ବାବଦକୁ ପାଇବ।

ସୂଚନାଯୋଗ୍ୟ ଯେ, ବିଏମ୍‌ସି ଚଳିତ ଆର୍ଥିକ ବର୍ଷରେ ବିଏମ୍‌ସି ୧୫୦କୋଟି ରାଜସ୍ବ ଆଦାୟ କରିବାକୁ ଟାର୍ଗେଟ୍ ରଖିଥିବାବେଳେ ବର୍ତ୍ତମାନ ସୁଦ୍ଧା ୯୬କୋଟି ଆଦାୟ ହୋଇଛି।

ସମ୍ବନ୍ଧିତ ଖବର