ନିଷ୍ପତ୍ତି ବଦଳିଲା: ଦିଲୀପ ହେଲେ ଅଧ୍ୟକ୍ଷ, ହକି ଆଡ୍‌ହକ୍‌ କମିଟି ପୁନର୍ଗଠିତ

ଭୁବନେଶ୍ବର : ‘ସମ୍ବାଦ’ର ପ୍ରଭାବ ଆଗରେ ଶେଷରେ ହକି ଇଣ୍ଡିଆ ଓ ରାଜ୍ୟ ସରକାର ମୁଣ୍ଡ ନୁଆଁଇଛନ୍ତି। ହକି ଇଣ୍ଡିଆର ଉପସଭାପତି ତଥା ଝାଡ଼ଖଣ୍ଡର ଭୋଳାନାଥ ସିଂହଙ୍କୁ ହକି ଓଡ଼ିଶା ଆଡହକ୍‌ ସମିତିର ଅଧ୍ୟକ୍ଷ ନିଯୁକ୍ତ କରାଯିବା ପରେ ଏହାକୁ ପ୍ରବଳ ବିରୋଧ କରାଯିବାରୁ ସପ୍ତାହକ ଭିତରେ ଏଥିରେ ପରିବର୍ତ୍ତନ କରାଯାଇଛି। ଶେଷରେ ସଦସ୍ୟ ରଖାଯାଇଥିବା ହକି କିଂବଦନ୍ତି ଦିଲୀପ ତିର୍କିଙ୍କୁ ଏହି ଆଡହକ୍ ସମିତିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଭୋଳାନାଥଙ୍କୁ ସଦସ୍ୟ କରିଦିଆଯାଇଛି। ଶୁକ୍ରବାର ଅନୁଷ୍ଠିତ ସମିତିର ପ୍ରଥମ ଭର୍ଚୁଆଲ୍ ବୈଠକରେ ଦିଲୀପଙ୍କୁ ସର୍ବସମ୍ମତି କ୍ରମେ ଅଧ୍ୟକ୍ଷ ମନୋନୀତ କରାଯାଇଥିଲା। ଫଳରେ ଓଡ଼ିଶା ହକି ବିକାଶ ପରିଷଦ (ଓଏଚ୍‌ଡିସି)ର ଅଧ୍ୟକ୍ଷ ଥିବା ଦିଲୀପଙ୍କୁ ଏବେ ଓଡ଼ିଶାରେ ହକିର ବିକାଶ ପାଇଁ ଆଉ ଏକ ବଡ଼ ଦାୟିତ୍ବ ମିଳିଛି।

ହକି ଓଡ଼ିଶା ନିକଟରୁ ହକି ଇଣ୍ଡିଆର ସ୍ବୀକୃତି ପ୍ରତ୍ୟାହାର କରିନିଆଯିବା ପରେ ସୃଷ୍ଟି ହୋଇଥିବା ସଙ୍କଟ ଏବଂ ବିବାଦର ଏକ ପ୍ରକାର ଅବସାନ ଘଟିଛି। ଏବେ ରାଜ୍ୟରେ ହକିର ପରିଚାଳନା ଏବଂ ବିକାଶ ଦାୟିତ୍ବ ଦିଲୀପ ତିର୍କିଙ୍କ ନେତୃତ୍ବାଧୀନ ଅସ୍ଥାୟୀ ସମିତି ତୁଲାଇବ।

ତୃଣମୂଳସ୍ତରରୁ ବିକାଶ ଏବଂ ଯୁବ ପ୍ରତିଭାଙ୍କୁ ଗଢ଼ିତୋଳିବା ଦାୟିତ୍ବ ଏହି ସମିତି କରିବ। ସମିତିରେ ଓଡ଼ିଶା ଅଲିମ୍ପିକ୍ ସଂଘ ପ୍ରତିନିଧି ଭାବେ ଅଧୀପ ଦାସ, ହକି ଇଣ୍ଡିଆ ଉପସଭାପତି ଭୋଳାନାଥ ସିଂହ, ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଉପସଚିବ ଶୈଳେନ୍ଦ୍ର ଜେନା, ଅନୁସଚିବ ରାଜେନ୍ଦ୍ର ପ୍ରସାଦ ପାଣି ପ୍ରମୁଖ ସଦସ୍ୟ ରହିଛନ୍ତି। ରାଜ୍ୟରୁ ଅଧିକରୁ ଅଧିକ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିବା ଏହି ଅସ୍ଥାୟୀ ସମିତିର ଦାୟିତ୍ବ ହେବ।

ସୂଚନାଯୋଗ୍ୟ, ଝାଡ଼ଖଣ୍ଡର ଭୋଳାନାଥ ସିଂହଙ୍କୁ ଓଡ଼ିଶା ଅସ୍ଥାୟୀ ହକି ସମିତିର ଅଧ୍ୟକ୍ଷ କରାଯିବା ପରେ ଜୁନ୍‌ ୧୩ ତାରିଖ ‘ସମ୍ବାଦ’ ‘ଓଡ଼ିଶା କ୍ରୀଡ଼ାର କ’ଣ କେହି ନାହାନ୍ତି’ ଶୀର୍ଷକ ଖବର ପ୍ରକାଶ କରିବା ସହ ଲଗାତାର ଭାବେ ଏହାକୁ ବିରୋଧ କରିଆସୁଥିଲା। ଶେଷରେ ହକି ଇଣ୍ଡିଆ ଓ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ଏଥିରେ ପରିବର୍ତନ କରାଯାଇଛି।

ଦିଲୀପ ତିର୍କିଙ୍କୁ ସମିତିର ଅଧ୍ୟକ୍ଷ ଭାବେ ପାଇବା ପରେ ଓଡ଼ିଶା ଅଲିମ୍ପିକ୍‌ ସଂଘ ପ୍ରତିନିଧି ଅଧୀପ ଦାସ କହିଛନ୍ତି ‘ଓଡ଼ିଶା ଓ ହକି’ ପରିପୂରକ ଭଳି। ରାଜ୍ୟରେ ହକି ପାଇଁ ଅଧିକ କିଛି କରିବାର ଅଛି। ଓଡ଼ିଶାରେ ହକିର ସାମଗ୍ରିକ ବିକାଶ ନେଇ ଆମ ଆଶାବାଦୀ ରହିଛୁ। ଦିଲୀପଙ୍କୁ ମୁଁ ନୂଆ ଦାୟିତ୍ବ ନେଇ ଅଭିନନ୍ଦନ ଜଣାଉଛି। ଓଡ଼ିଶା ଏବେ ଭାରତୀୟ ହକିର ଅନ୍ତୁଡ଼ିଶାଳ ଥିବାରୁ ଏବେ ରାଜ୍ୟର ପ୍ରତି ଜିଲ୍ଲାରେ ହକିର ବିକାଶର ଆବଶ୍ୟକତା ରହିଛି। ଓଡ଼ିଶା ସରକାରଙ୍କ ସମର୍ଥନ ରହୁଥିବାରୁ ରାଜ୍ୟରେ ହକିକୁ ପରବର୍ତୀ ସ୍ତରକୁ ନେବାକୁ ହେବ’ ବୋଲି ପ୍ରକାଶ କରିଥିଲେ ସମିତିର ସଦସ୍ୟ ଭୋଳାନାଥ ସିଂହ।

ଜିଲ୍ଲା ସଂଘର ଦାୟିତ୍ବ ନେବୁ: ଦିଲୀପ
ଓଡ଼ିଶା ହକି ଅସ୍ଥାୟୀ ସମିତିର ଅଧ୍ୟକ୍ଷ ନିଯୁକ୍ତ ହେବା ପରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲୀପ ତିର୍କି କହିଛନ୍ତି ‘ଏହା ମୋ ପାଇଁ ଏକ ‌ବଡ଼ ସୌଭାଗ୍ୟର ବିଷୟ, ମୁଁ ଏଥିପାଇଁ ନିଜକୁ ଗଭୀର ଭାବେ ସମ୍ମାନିତ ମନେ କରୁଛି। ସମିତି ତୁରନ୍ତ ରାଜ୍ୟବ୍ୟାପୀ ହକି ଖେଳାଳିଙ୍କ ସ୍ବାର୍ଥକୁ ସୁରକ୍ଷିତ କରିବା ସହ ତଦନୁଯାୟୀ କାର୍ଯ୍ୟ କରିବ। ସମାନ ସମୟରେ ବିଭିନ୍ନ ଜିଲ୍ଲା ହକି ସଂଘଗୁଡିକର ପରିଚାଳନାକୁ ମଧ୍ୟ ସମିତି ଦେଖିବ। ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିବା ୩ ଜଣଙ୍କୁ ଅଭିନନ୍ଦନ ଜଣାଉଛି। ଭବିଷ୍ୟତରେ ରାଜ୍ୟରୁ ଅଧିକ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିବା ମୁଖ୍ୟ ଲକ୍ଷ୍ୟ ହେବ’।

ସମ୍ବନ୍ଧିତ ଖବର