ରାଉରକେଲା: ଦୀର୍ଘ ୮ ବର୍ଷ ପରେ ‘ହକି ଉତ୍କର୍ଷ କେନ୍ଦ୍ର’ ବା ‘ବରିଷ୍ଠ ଛାତ୍ରାବାସ/ଛାତ୍ରୀନିବାସ’ ରାଉରକେଲାକୁ ଫେରିବାପରେ ଜିଲ୍ଲା ହକିପ୍ରେମୀ ମହଲରେ ଖୁସିର ଲହରୀ ଖେଳିଯାଇଛି। ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଥିବା ଏହି କେନ୍ଦ୍ରରୁ ହିଁ ଏକାଧିକ ଅନ୍ତର୍ଜାତୀୟ ହକି ତାରକା ସୃଷ୍ଟି ହୋଇଥିଲେ। ରାଜ୍ୟ ସରକାର ଏହି କେନ୍ଦ୍ରକୁ ସ୍ଥାନାନ୍ତର କରି ଏକ ପ୍ରକାର ଯୁବ ହକି ପ୍ରତିଭାଙ୍କ କଳାକୁ ଦମନ କରିବାପରେ ଏବେ ପୁନର୍ବାର ଫେରାଇ ଆଣିବା ପଛରେ ଅନେକ କାରଣ ରହିଛି। ତୃଣମୂଳସ୍ତରରୁ ରାଉରକେଲାରେ ହକିର ବିକାଶ ପାଇଁ ନୁହେଁ ବରଂ; ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ସ୍ଥାନାଭାବ ଯୋଗୁଁ ଏହି ଖେଳାଳିଙ୍କୁ ଫେରାଇ ଆଣିବାକୁ ବାଧ୍ୟ ହୋଇଛନ୍ତି। କେଉଁ ଉଦ୍ଦେଶ୍ୟରେ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା? ସ୍ଥାନାନ୍ତରପରେ ଏହି ‌ଉତ୍କର୍ଷ କେନ୍ଦ୍ରର ବିକାଶ କରାଗଲଶନାହିଁ କାହିଁକି? କଳିଙ୍ଗ ଷ୍ଟାଡିୟମରେ ଟାଟା ନାଭାଲ ଏକାଡେମୀର ହାଇ ପର୍‌ଫର୍ମାନ୍ସ ସେଣ୍ଟର୍‌ ସ୍ଥାପନକୁ କେଉଁ ଉଦ୍ଦେଶ୍ୟରେ ପ୍ରୋତ୍ସାହିତ କରାଗଲା? ସାଧାରଣରେ ଏଭଳି ଅନେକ ପ୍ରଶ୍ନ ଏବେ ଉଠିଲାଣି।

Advertisment

୨୦୧୪ ମସିହାରେ କଡ଼ା ବିରୋଧ ସତ୍ତ୍ବେ ଉତ୍କର୍ଷ କେନ୍ଦ୍ରକୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା। ଫଳରେ ଉଭୟ ବାଳକ ଓ ବାଳିକାରେ ୩୦ ଜଣ ଲେଖାଏ, ଅର୍ଥାତ୍‌ ୬୦ ଜଣ ବଛା ବଛା ବରିଷ୍ଠ ଖେଳାଳିଙ୍କୁ ଭୁବନେଶ୍ବର ନିଆଯାଇଥିଲା। ତେବେ କଳିଙ୍ଗ ଷ୍ଟାଡିୟମରେ ପିଲାଙ୍କୁ ରଖିବାକୁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇନଥିଲା। ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଖେଳାଳିଙ୍କ ଅଭ୍ୟାସ ପାଇଁ ଦୁଇଟି ଆଷ୍ଟ୍ରୋଟର୍ଫ‌୍ ପଡ଼ିଆ ଥିବାବେଳେ ଭୁବନେଶ୍ବରରେ କେବଳ ଗୋଟିଏ ମାତ୍ର ଆଷ୍ଟ୍ରୋଟର୍ଫ‌୍ ରହିଥିଲା। ପାନପୋଷ କ୍ରୀଡ଼ା ଛାତ୍ରାବାସ ତୁଳନାରେ ସେଠାରେ ଅତିରିକ୍ତ ସୁବିଧାଭାବେ କେବଳ ଫ୍ଲଡ୍‌ ଲାଇଟ୍‌ ବ୍ୟବସ୍ଥା ଥିଲା। ଏମିତିକି ଖେଳାଳିଙ୍କ ରହଣୀ ପାଇଁ ଆରମ୍ଭରୁ ଯାବତୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏମିତିକି ଖେଳାଳିମାନେ ହଷ୍ଟେଲ ଛାଡ଼ି ରାଉରକେଲାକୁ ଫେରିଆସିଥିଲେ। ଅବଶ୍ୟ, ପରବର୍ତ୍ତୀ ସମୟରେ ସମସ୍ତଙ୍କୁ ପୁନର୍ବାର ଫେରାଇ ନିଆଯାଇଥିଲା। ଏସବୁ ସତ୍ତ୍ବେ ସେଠାରେ ଖେଳାଳି ନିଜର ପ୍ରଶିକ୍ଷଣ ଜାରି ରଖିଥିଲେ। ତେବେ ତିନି ବର୍ଷ ପୂର୍ବେ ଅଗଷ୍ଟ ମାସରୁ ରାଜ୍ୟ କ୍ରୀଡ଼ା ଛାତ୍ରାବାସର ବରିଷ୍ଠ ଖେଳାଳିଙ୍କ ଅଭ୍ୟାସ ବାଧାପ୍ରାପ୍ତ ହେବାରେ ଲାଗିଥିଲା।

କାରଣ, ୨୦୧୯ ଅଗଷ୍ଟ ୧୩ ତାରିଖରେ ରାଜ୍ୟ ସରକାରଙ୍କ ସହଯୋଗରେ ନାଭାଲ ଟାଟା ହକି ଏକାଡେମୀ ହାଇ ପର୍‌ଫର୍ମାନ୍ସ ସେଣ୍ଟର୍‌ ସ୍ଥାପନ କରାଯାଇଥିଲା। ଏମିତିକି ନାଭାଲ ଟାଟା ଏକାଡେମୀର ଖେଳାଳିମାନେ କଳିଙ୍ଗ ଷ୍ଟାଡିୟମରେ ଥିବା ଆଷ୍ଟ୍ରୋଟର୍ଫ‌୍ ପଡ଼ିଆରେ ଅଭ୍ୟାସ ଆରମ୍ଭ କରିଥିଲେ। ଅର୍ଥାତ୍‌, ଏଠାରେ ଥିବା ଦୁଇ ଆଷ୍ଟ୍ରୋଟର୍ଫ‌୍ ପଡ଼ିଆରେ ଉଭୟ ରାଜ୍ୟ କ୍ରୀଡ଼ା ଛାତ୍ରାବାସ ଓ ନାଭାଲ ଟାଟା ଏକାଡେମୀର ଖେଳାଳି ଅଭ୍ୟାସ କରୁଥିଲେ। ଏତଦ୍‌ବ୍ୟତୀତ ଏଠାରେ ଖେଲୋ ଇଣ୍ଡିଆ, ଭାରତୀୟ ଦଳ, ୧୭ ବର୍ଷରୁ କମ୍‌ ଭାରତୀୟ ବାଳକ ଓ ବାଳିକା ଦଳ; ଆଦି ଏକାଧିକ ଚୟନ ଶିବିର ଅନୁଷ୍ଠିତ ହେଉଥିଲା। ଏମିତିକି ରାଜ୍ୟ କ୍ରୀଡ଼ା ଛାତ୍ରାବାସର ଖେଳାଳି ଆଥ୍‌ଲେଟିକ୍‌, ଫୁଟବଲ ପଡ଼ିଆରେ ଅଭ୍ୟାସ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ନାଭାଲ ଟାଟା ଏକାଡେମୀର ହାଇ ପର୍‌ଫର୍ମାନ୍ସ ସେଣ୍ଟରର କ୍ରୀଡ଼ାବିତ୍‌ଙ୍କୁ ଥଇଥାନ କରାଯିବାପରେ ରାଜ୍ୟ କ୍ରୀଡ଼ା ଛାତ୍ରାବାସ ଖେଳାଳି ପର୍ଯ୍ୟାପ୍ତ ଅଭ୍ୟାସ କରିବାରୁ ବଞ୍ଚିତ ହେବା ଯୋଗୁଁ ରାଜ୍ୟ ହକିର ଅଧୋଗତି ଆରମ୍ଭ ହୋଇଥିବା କ୍ରୀଡ଼ା ସମୀକ୍ଷକ କହିଛନ୍ତି। ଭାରତୀୟ ପୁରୁଷ ଓ ମହିଳା ଦଳରେ ଓଡ଼ିଶା ଖେଳାଳିଙ୍କ ପ୍ରତିନିଧିତ୍ବ ହାର ଆଖିଦୃଶିଆ ହ୍ରାସ ହେବା; ଏହି ଯୁକ୍ତିରେ ଯଥାର୍ଥତା ଥିବା ସ୍ପଷ୍ଟ କରେ।

କେମିତି ଉଠାଇନେଇଥିଲେ କେନ୍ଦ୍ର

୨୦୧୩-୧୪ ମସିହା କଳିଙ୍ଗ ଷ୍ଟାଡିୟମରେ ବିଶ୍ବସ୍ତରୀୟ ହକି ପଡ଼ିଆ ନିର୍ମାଣ କରାଯାଇଥିଲା। ଫ୍ଲଡ୍‌ ଲାଗିବା ସହ ସମସ୍ତ ସୁବିଧାସୁଯୋଗ କରାଯାଇଥିଲା। ଏହାପରେ ସେଠାରେ ହକି ଇଣ୍ଡିଆ ଲିଗ୍‌ ମ୍ୟାଚ୍‌ ଖେଳାଯିବାପରେ ଷ୍ଟାଡିୟମ ଅବ୍ୟବହୃତ ହୋଇ ପଡ଼ିରହିଲା। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଷ୍ଟାଡିୟମ ଖାଲି ପଡ଼ିଲେ ସମାଲୋଚନାର ଶିକାର ହେବାର ଆଶଙ୍କା ସୃଷ୍ଟି ହୋଇଥିଲା। ଏହି ଆଶଙ୍କାକୁ ଏଡ଼ାଇବାକୁ ରାଉରକେଲାର ସ୍ବାର୍ଥକୁ ଅଣଦେଖା କରି ପାନପୋଷସ୍ଥ ହକି ଉତ୍କର୍ଷ କେନ୍ଦ୍ରକୁ ସ୍ଥାନାନ୍ତର କରିବାକୁ ୨୦୧୪ ମାର୍ଚ୍ଚ-ଏପ୍ରିଲ ମାସରେ ଗୁପ୍ତ ଯୋଜନା ଆରମ୍ଭ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି କେନ୍ଦ୍ରରେ ନୂଆ ପିଲାଙ୍କୁ ଆଉ ବଛାଯାଇନଥିଲା। ଯୋଜନା ଥିଲା, କେନ୍ଦ୍ରରେ ନୂଆ ପିଲା ଭର୍ତ୍ତି ନହେଲେ ସହଜରେ କେନ୍ଦ୍ରକୁ ଭୁବନେଶ୍ବରକୁ ସ୍ଥାନାନ୍ତର କରିହେବ। ଶେଷରେ ସେଇୟା ହିଁ ହେଲା; ତୀବ୍ର ବିରୋଧ, ଆନ୍ଦୋଳନକୁ ବେଖାତିର୍‌ କରି ଉକ୍ତ ବର୍ଷ ହକି ଉତ୍କର୍ଷ କେନ୍ଦ୍ରକୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା।