ହକିରେ ହୋର୍ଡିଂ ରାଜନୀତି

ନବୀନଙ୍କ ଫଟୋ ଥିବା ହୋର୍ଡିଂ ଲଗାଇଲେ ରାଜ୍ୟ ସରକାର

ମୋଦିଙ୍କ ଫଟୋ ଥିବା ହୋର୍ଡିଂ ଛାଇଦେଲା ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ

ଭୁବନେଶ୍ୱର : ଓଡ଼ିଶା ମାଟିରେ ହେଉଛି ହକି ବିଶ୍ୱ ଲିଗ୍‌। ଆସୁଛନ୍ତି ଦେଶ, ବିଦେଶର ନାମୀଦାମୀ ଖେଳାଳି। ହକିକୁ ନେଇ କ୍ରୀଡ଼ାପ୍ରେମୀ ଉତ୍ସାହିତ ଥିଲା ବେଳେ ରାଜନୀତି ବି ବେଶ୍‌ ଜମିଯାଇଛି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥାଇ ସ୍ୱାଗତ ହୋର୍ଡିଂ ସହରର ପ୍ରମୁଖ ସ୍ଥାନରେ ଶୋଭା ପାଉଛି। ଅନ୍ୟ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଥାଇ ବି ସ୍ୱାଗତ ହୋର୍ଡିଂ ଲଗାଯାଇଛି। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥାଇ ଏପରି ହୋର୍ଡିଂ ଯୁଦ୍ଧ ସହରରେ ଚର୍ଚ୍ଚାର ବିଷୟ ହୋଇଛି।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋଗୋ ଥାଇ ଉଭୟ ହୋର୍ଡିଂ ସରକାରୀ ମାନ୍ୟତା ପାଇଥିଲେ ବି ପରଦା ପଛରେ ଏହା ବିଜେଡି-ବିଜେପି ଯୁଦ୍ଧକୁ ସୂଚାଇ ଦେଉଛି। କ୍ରୀଡ଼ା ବାହାନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ବଢ଼ାଇବାର ସୁଯୋଗକୁ ହାତଛଡ଼ା କରିବାକୁ ସରକାରୀ ଦଳ ପ୍ରସ୍ତୁତ ନୁହେଁ। ଠିକ୍‌ ସେହିପରି ହକି ଜାତୀୟ ଖେଳ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ବ୍ୟବହାର କରି ବିଜେପି ନିଜ ପତିଆରା ବୃଦ୍ଧି କରିବାରେ ଆଦୌ ହେଳା କରି ନାହିଁ। ନବୀନଙ୍କ ଫଟୋ ଥାଇ ହୋର୍ଡିଂ ପ୍ରଚାର ସିଧାସଳଖ ରାଜ୍ୟ ସରକାର କରୁଥିଲା ବେଳେ ମୋଦିଙ୍କ ହୋର୍ଡିଂ ପ୍ରଚାର ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ କରୁଛି। ଏହି ହୋର୍ଡିଂରେ ଖେଳାଳିମାନଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ମଧ୍ୟ ଦେଖିବାକୁ ମିଳୁଛି।

ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ସମସ୍ତ ଶ୍ରେୟ ରାଜ୍ୟ ସରକାର ନେଇଥିଲେ। ଖୁବ୍‌ କମ୍‌ ଦିନରେ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ତାହାକୁ ଏକ ସୁଯୋଗ ଭାବେ ନେଇଥିଲେ ସରକାର। ପ୍ରତିଯୋଗିତାର ସବୁ ପ୍ରକାର ପ୍ରଚାର, ପ୍ରସାରରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ସଫଳତା ଗାନ କରାଯାଇଥିଲା। କେବଳ ଓଡ଼ିଶା ଭିତରେ ନୁହେଁ, ବାହାରେ ବି ବେଶ୍‌ ବିଜ୍ଞାପନ ଦିଆଯାଇଥିଲା। ନବୀନଙ୍କର ଏତେ ପ୍ରଚାର ହୋଇଥିଲା ଯେ କେନ୍ଦ୍ର ସରକାରଙ୍କର କୌଣସି ମନ୍ତ୍ରୀ ଏଥିରେ ସାମିଲ୍‌ ହୋଇ ନ ଥିଲେ। କ୍ରୀଡ଼ାମନ୍ତ୍ରୀ ସ୍ୱୀକୃତି ଦେଇ ମଧ୍ୟ ଆସି ନ ଥିଲେ। ସରକାରଙ୍କ ଏହି ସଫଳତାକୁ ବିଜେଡି ନେତା ଓ କର୍ମୀମାନେ ଧୂମ୍‌ ପ୍ରଚାର କରିଆସୁଛନ୍ତି।

କିନ୍ତୁ ଏଥର ରାଜ୍ୟ ସରକାର ଓ ବିଜେଡିକୁ ସମ୍ପୂର୍ଣ୍ଣ ଶ୍ରେୟ ଦେବାକୁ ପ୍ରସ୍ତୁତ ନୁହେଁ ବିଜେପି। ପ୍ରଥମ ପର୍ଯ୍ୟାୟରେ ହୋର୍ଡିିଂ ଲଗାଇ ବାଟ ଓଗାଳିଛି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ। ମିଳିଥିବା ସୂଚନା ଅନୁଯାୟୀ ହକି ବିଶ୍ୱ ଲିଗ୍‌କୁ ଏକ ପ୍ରମୁଖ ପ୍ରୟୋଜକ ହେଉଛି ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ ଅଧୀନସ୍ଥ ସଂସ୍ଥା ଓଏନ୍‌ଜିସି। ରାଜ୍ୟ ସରକାର ଏହି ଲିଗ୍‌ର ମୁଖ୍ୟ ପ୍ରାୟୋଜକ ଥିଲେ ବି ଓଏନ୍‌ଜିସି ବି ହକି ଇଣ୍ଡିଆକୁ ପ୍ରାୟୋଜକ ହିସାବରେ ମୋଟା ଅଙ୍କର ଅର୍ଥ ଦେଇଛି।

ହକି ବିଶ୍ୱ ଲିଗ୍‌କୁ ନେଇ ବର୍ତ୍ତମାନ ସହରରେ ତିନି ପ୍ରକାର ହୋର୍ଡିଂ ଶୋଭା ପାଉଛି। ହକି ଇଣ୍ଡିଆ ପକ୍ଷରୁ ବିଭିନ୍ନ ପ୍ରକାର ହୋର୍ଡିଂ ଲଗାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ଫଟୋ ଦିଆଯାଇ ନାହିଁ। କେବଳ ହକି ଲିଗ୍‌ ବିଷୟରେ ଲେଖାଯିବା ସହ ପ୍ରାୟୋଜକ ସଂସ୍ଥାଙ୍କ ଲୋଗୋ ଦିଆଯାଇଛି। ଦ୍ୱିତୀୟ ପ୍ରକାର ହୋର୍ଡିଂ ଲଗାଇଛନ୍ତି ରାଜ୍ୟ ସରକାର। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ରହିଛି। ଓଡ଼ିଶା ମାଟିକୁ ସେ ଖେଳାଳିମାନଙ୍କୁ ସ୍ୱାଗତ କରିଛନ୍ତି। ତୃତୀୟ ପ୍ରକାର ହୋର୍ଡିଂ ଲଗାଇଛନ୍ତି ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଛି। ଏହି ହୋର୍ଡିଂରେ ବି ଖେଳାଳିଙ୍କୁ ସ୍ୱାଗତ କରାଯାଇଛି।

ଯଦିଓ ବାହାରକୁ ହୋର୍ଡିଂ ମାଧ୍ୟମରେ କ୍ରୀଡ଼ାର ପ୍ରଚାର କରାଯାଉଛି, ତେବେ ବାସ୍ତବରେ କେହି କାହାକୁ ସମ୍ପୂର୍ଣ୍ଣ ଶ୍ରେୟ ଦେବା ପାଇଁ ପ୍ରସ୍ତୁତ ନ ଥିବା ସ୍ପଷ୍ଟ ଆଭାସ ମିଳୁଛି। ହକି ବିଶ୍ୱ ଲିଗ୍‌ ଆୟୋଜନ କେବଳ ରାଜ୍ୟ ସରକାରଙ୍କ ଏକଚାଟିଆ କାରବାର ନୁହେଁ, ତାହା ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ ହୋର୍ଡିଂ ମାଧ୍ୟମରେ ବାର୍ତ୍ତା ଦେବାକୁ ଚେଷ୍ଟା କରିଛି।

ସମ୍ବନ୍ଧିତ ଖବର