ଝାରସୁଗୁଡ଼ା ଜିଲ୍ଲାରେ ଲୋକପ୍ରିୟ ହେବାରେ ଲାଗିଛି ହକି

ଝାରସୁଗୁଡ଼ା: ରାଜ୍ୟ ସରକାର ଜାତୀୟ ହକି ଖେଳକୁ ଗୁରୁତ୍ବ ଦେଉଥିବା ବେଳେ ଝାରସୁଗୁଡା ଜିଲ୍ଳାପାଳ ସରୋଜ ସାମଲ ଜିଲ୍ଲାରେ ଥିବା ସ୍କୁଲ ଗୁଡିକରେ ହକି ଖେଳକୁ  ଲୋକପ୍ରିୟ କରିବା ପାଇଁ ଗୁରୁତ୍ବ  ଦେଉଛନ୍ତି। ଝାରସୁଗୁଡ଼ା ଜିଲ୍ଲା ହକି ଆସୋସିଏସ୍‌ନର ଚେଷ୍ଟାରେ ସିନିୟର ହକି ଦଳ ଅନ୍ତଃ ଜିଲ୍ଲା ହକି ପ୍ରତିଯୋଗିତାରେ ପ୍ରଥମ ଥର ଭାଗ ନେଇ କଟକକୁ ପରାସ୍ତ କରିଛି। ଚଳିତ ହକି ପ୍ରତିଯୋଗିତାରେ ଚାମ୍ପିଅନ ହୋଇଥିବା ପୂର୍ବତଟ ରେଳବାଇଠାରୁ ପରାସ୍ତ ହୋଇଥିଲେ ମଧ୍ୟ ତାକୁ ଏକ ମାତ୍ର ଗୋଲ ଦେଇଥିଲା। ଜୁନିୟର ବାଳକ ହକି ଦଳ ଅନ୍ତଃ ଜିଲ୍ଲା ଜୁନିୟର ପ୍ରତିଯୋଗିତାରେ ଭାଗ ନେବା ପାଇଁ  ରବିବାର ୧୮ ତାରିଖ ଦିନ ଭୁବେନେଶ୍ବର ଯାତ୍ରା କରିଛି।

ଏହି ଦଳରେ ବ୍ରଜରାଜନଗର, କିର୍ମିରା, ଝାରସୁଗୁଡା, ଲଇକେରା ଅଚଂଳର ଖେଳାଳିମାନେ ରହିଛନ୍ତି। ଆସନ୍ତା ୨୩ ତାରିଖରେ ସବ୍‌ -ଜୁନିୟର ବାଳକ ଦଳ ମଧ୍ୟ ଯାତ୍ରା କରିବେ। ଆସନ୍ତା ଦୁର୍ଗାପୂଜା ପରେ ସିନିୟର, ଜୁନିୟର ଓ ସବଜୁନିୟର ବାଳକ ବାଳିକା ଦଳ ମଧ୍ୟ ଅନ୍ତଃ ଜିଲ୍ଲା ପ୍ରତିଯୋଗିତାରେ ଭାଗ ନେବେ। ଝାରସୁଗୁଡ଼ା ଖେଳ ପ୍ରେମୀମାନଙ୍କ ପାଇଁ ଖୁସିର ଖବର ଯେ, ସ୍ଥାନୀୟ  ଜବାରହାର ନବୋଦୟ ବିଦ୍ୟାଳୟଠାରେ ନବୋଦୟ ବିଦ୍ୟାଳୟ  ସମିତି ପକ୍ଷରୁ ଭୋପାଳ ଜୋନର ଆଞ୍ଚଳିକ ହକି ପ୍ରତିଯୋଗିତା ମଙ୍ଗଳବାର ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହାକୁ ଜିଲ୍ଲାପାଳ ଶ୍ରୀ ସାମଲ ଉଦ୍‌ଘାଟନ କରିବେ।  ମଧ୍ୟପ୍ରଦେଶ, ଛତିଶଗଡ ଓ ଓଡ଼ିଶାର ୧୯ ବର୍ଷ, ୧୭ ବର୍ଷର ବାଳକ, ବାଳିକା ଦଳ ଅଂଶଗ୍ରହଣ କରୁଛନ୍ତି। ଝାରସୁଗୁଡାରେ ହକିର ୱାର୍ଲଡ କପ୍ ପୂର୍ବରୁ ହକି ପ୍ରତି ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି। ଜବାହାର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷା ଦିକ୍ଷାଜ୍ୟୋତି ମିଶ୍ର ପ୍ରକାଶ କରିଛନ୍ତି ଯେ, ଜିଲ୍ଲାପାଳଙ୍କ ପ୍ରଚେଷ୍ଟା ଓ ସହଯୋଗ ଯୋଗୁଁ ଭୋପାଳ ଜୋନର ଆଞ୍ଚଳିକ ହକି ପ୍ରତିଯୋଗିତା  କରିବା ସମ୍ଭବପର ହୋଇ ପାରିଛି।

ଓଡ଼ିଶା ରାଜ୍ୟରୁ ଜୁନିୟର ଓ ସିନିୟର ମହିଳା ଦଳରେ ପ୍ରତିନିଧିତ୍ବ କରିଥିବା ମହିଳା ବରିଷ୍ଠ ଅଭିଜ୍ଞତା ଖେଳାଳି ମଞ୍ଜୁ ଲାକ୍ରାଙ୍କୁ ନିଯୁକ୍ତି ଦିଆଯାଇଛି। ସେ ପୂର୍ବରୁ  ପାନପୋଷ ସ୍ପୋର୍ଟସ ହଷ୍ଟେଲ ଏବଂ ଭୁବନେଶ୍ବର ହଷ୍ଟେଲରୁ ଶିକ୍ଷାଲାଭ କରି ଥିବା ଅଭିଜ୍ଞତାକୁ ନେଇ ଗତ ଅପ୍ରେଲ ମାସରୁ ନବୋଦୟ ସ୍କୁଲରେ ବାଳିକା ବାଳକ ଓ ଏକଲବ୍ୟ ସ୍କୁଲ କିର୍ମିରାଠାରେ ପିଲାମାନଙ୍କୁ ହକି ଶିକ୍ଷା ଦେବା ଆରମ୍ଭ କରିଛନ୍ତି। ଏବର୍ଷ  ଝାରସୁଗୁଡ଼ା ଜିଲ୍ଲାର ଡିଏଭି ସ୍କୁଲ, ସରକାରୀ ଉଚ୍ଚ ବିଦ୍ୟାଳୟ, ସରବାହାଲ ଓ ଜବାହାର ନବୋଦୟ ବିଦ୍ୟାଳୟ ପ୍ରଥମ କରି ନେହେରୁ କପ୍ ହକି ପ୍ରତିଯୋଗିତାରେ ରାଉରକେଲାର ପାନପୋଷଠାରେ ଭାଗ ନେଇଥିଲା। ଜିଲ୍ଲାରେ ଜୁନିୟର, ସିନିୟର ଓ କଲେଜସ୍ତରୀୟ ବାଳକ, ବାଳିକା ହକି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ହକି ଖେଳର ଆଗ୍ରହ ଦିନକୁ ଦିନ ବୃଦ୍ଧି ପାଉଛି। ସ୍ଥାନୀୟ ବ୍ଳୁବେଲ୍‌ସ ସ୍କୁଲ ମଧ୍ୟ ରୀନାରଶ୍ମି ତିର୍କି ନାମକ ଜଣେ ଦକ୍ଷ କୋଚକୁ ଚଳିତ ମାସରେ ନିଯୁକ୍ତି ଦେଇଛି।

ସମ୍ବନ୍ଧିତ ଖବର