ରାଉରକେଲା : ପ୍ରତିକ୍ଷାର ଅନ୍ତ ଘଟିଛି। ଆଜି (ଶୁକ୍ରବାର) ସହରର ନୂଆ ସର୍ବବୃହତ ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ହେବାକୁ ଯାଉଛି ପ୍ରଥମ ହକି ମ୍ୟାଚ୍। ପ୍ରଥମ ଦିନରେ ଭାରତ- ସ୍ପେନ ମ୍ୟାଚ୍ ଥିବାରୁ ଖେଳ ଦେଖିବାକୁ ସହରବାସୀଙ୍କ ମଧ୍ୟରେ ରହିଛି ନାହିଁ ନଥିବା ଉତ୍କଣ୍ଠା। ଖେଳକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ଚାଲିଥିବା ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ଦର୍ଶକଙ୍କ ସୁରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ ସହ ଅନ୍ୟାନ୍ୟ ବ୍ୟବସ୍ଥାକୁ ଜିଲ୍ଲା ପୁଲିସ ଗୁରୁତ୍ବ ଦେଇଛି। ଷ୍ଟାଡିୟମ ସୁରକ୍ଷାରେ ମୋଟ ୫୬ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବ। ଏଥିସହ ୨ ଏସପି ରାଙ୍କ ଅଫିସର, ୧୧ ଅତିରିକ୍ତ ଏସ୍ପି, ୨୧ ଡିଏସ୍ପି, ୫୨ ଇନ୍ସପେକ୍ଟର, ୩୪୦ ଏସ୍ଆଇ ଓ ଏସ୍ଆଇ ୪୨୬ ଗୃହରକ୍ଷୀଙ୍କୁ ମଧ୍ୟ ମୁତୟନ କରାଯିବ। ଗୁରୁବାର ଦିନ ରାଉରକେଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ମୁକେଶ କୁମାର ଭାମୋ ଷ୍ଟାଡିୟମ ଓ ସହରର ସୁରକ୍ଷା ସୁରକ୍ଷା, ଶାନ୍ତିଶୃଙ୍ଖଳା, ଟ୍ରାଫିକ୍ ନିୟନ୍ତ୍ରଣ, ଷ୍ଟାଡିୟମକୁ ଖେଳ ଦେଖି ଆସୁଥିବା ଦର୍ଶକଙ୍କ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବେ ସେ ସମ୍ପର୍କରେ ସୂଚନା ଦେଇଥିଲେ।
ଏସ୍ପି ଶ୍ରୀ ଭାମୋ କହିଛନ୍ତି, ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ଷ୍ଟାଡିୟମ ଓ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଷ୍ଟାଡିୟମ ଓ ସହରର ୨୪ ଘଣ୍ଟା ସିସି ଟିଭି ନଜରରେ ରହିବ। ଏଥିପାଇଁ ଷ୍ଟାଡିୟମ ଓ ପୁଲିସ ମୁଖ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ସ୍ବତନ୍ତ୍ର ତାଲିମ ପାଇଥିବା ପୁଲିସକୁ କଣ୍ଟ୍ରୋଲରୁମ୍ରେ ନିଯୁକ୍ତି ଦିଆଯାଇଛି। କେବଳ ଏତିକି ନୁହେଁ ଅସୁବିଧାରେ ସମ୍ମୁଖୀନ ହେଉଥିବା ଦର୍ଶକଙ୍କ ପାଇଁ ପୁଲିସ ମୁଖ୍ୟାଳୟରେ ଆଉ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ମଧ୍ୟ ଖୋଲାଯାଇଛି ବୋଲି କହିଥିଲେ। ଦର୍ଶକମାନେ କୌଣସି ସମସ୍ୟା ସମ୍ମୁଖୀନ ହେଲେ ସିଧାସଳଖ ପୁଲିସ ସହାୟତା ନଂ ୧୧୨ରେ ସିଧାସଳଖ ଯୋଗାଯୋଗ କରିପାରିବେ। ସେ ଆହୁରି ମଧ୍ୟ କହିଛନ୍ତି, ମ୍ୟାଚ୍ ଆରମ୍ଭର ୨ ଘଣ୍ଟା ପୂର୍ବରୁ ଷ୍ଟାଡିୟମର ଗେଟ୍ଗୁଡ଼ିକୁ ଦର୍ଶକମାନଙ୍କ ପାଇଁ ଖୋଲି ଦିଆଯିବ। ଟିକେଟରେ ଲେଖାଥିବା ଗେଟ୍ରେ ଦର୍ଶକମାନେ ପ୍ରବେଶ କରିବେ। ଟିକେଟ୍ ଥିବା ଦର୍ଶକମାନେ ଷ୍ଟାଡିୟମକୁ ଯିବାକୁ ‘ମୋ ବସ୍’ର ବ୍ୟବସ୍ଥା କରାଯାଇଛି। ଟିକେଟ୍ ଦେଖାଇ ଦର୍ଶକମାନେ ମାଗଣାରେ ‘ମୋ ବସ୍’ରେ ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇପାରିବେ। ଦର୍ଶକମାନଙ୍କ ଗାର୍ଡି ପାକିଂ ଷ୍ଟାଡିୟମ ଚତୁଃପାର୍ଶ୍ବରେ ମୋଟ ୬ଟି ପାର୍କିଂସ୍ଥଳ କରାଯାଇଛି। ଯେଉଁ ଦର୍ଶକମାନଙ୍କ ଘର ଷ୍ଟାଡିୟମର ଏକ କିଲୋମିଟର ପରିଧି ମଧ୍ୟରେ ରହିଛି, ସେମାନେ ଚାଲି ଚାଲି ଷ୍ଟାଡିୟମ ପର୍ଯ୍ୟନ୍ତ ଯିବାକୁ ଜିଲ୍ଲା ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି।
କିଏ କେଉଁ ଗେଟ୍ରେ ପ୍ରବେଶ କରିବେ : ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ମୋଟ ୬ଟି ଗେଟ୍ ରହିଛି। ସାଧାରଣ ଦର୍ଶକ, ଭିଭିଆଇପି, ଭିଆଇପି,ଏଫ୍ଆଇଏଚ୍ ପାସ୍ ପାଇଥିବା ମିଡିଆ ବନ୍ଧୁ, ବିଧାୟକ, ସାଂସଦ ଓ ପ୍ରଶାସନିକ ଅଧିକାରୀମାନଙ୍କ ମଧ୍ୟରୁ କିଏ କେଉଁ ଗେଟ୍ରେ ପ୍ରବେଶ କରିବେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୁଲିସ ପକ୍ଷରୁ ସ୍ଥିର କରାଯାଇଛି। ସାଧାରଣ ଦର୍ଶକମାନେ ଗେଟ୍ ନଂ ୨ ଓ ୬ରେ ପ୍ରବେଶ କରିବେ। ଭିଭିଆଇପିଙ୍କ ପାଇଁ ଗେଟ୍ ନଂ ୧ ରହିଛି। ଗେଟ୍ ନଂ ୫ରେ ଏଫ୍ଆଇଏଚ୍ର ଅଫିସିଆଲ, ଏଫ୍ଆଇଏଚ୍ ପାଇଥିବା ଉଭୟ ମିଡିଆ ବନ୍ଧୁ ପ୍ରବେଶ କରିବେ। ଗେଟ୍ ନଂ ୩ରେ ବିଧାୟକ, ସାଂସଦ, ପ୍ରଶାସନିକ ଅଧିକାରୀମାନେ ପ୍ରବେଶ କରିବେ। ଗେଟ୍ ନଂ ୪ ସଂରକ୍ଷିତ ରହିବ। ଆବଶ୍ୟକ ପଡ଼ିଲେ ଏହି ଗେଟ୍ ଖୋଲାଯିବ।
ଦର୍ଶକମାନେ କେଉଁ ରାସ୍ତାରେ ଯିବେ :
ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, ଝାଡ଼ଖଣ୍ଡର ସିମ୍ଡେଗା, ରାଜଗାଙ୍ଗପୁର ଓ ବୀରମିତ୍ରପୁର ଆସୁଥିବା ଦର୍ଶକମାନେ ପ୍ରଥମେ ବେଦବ୍ୟାସ ଦେଇ ଟିସିଆଇ ଛକ ଦେଇ ନୂଆ ବ୍ରାହ୍ମଣୀ ପୋଲରେ ପହଞ୍ଚିବେ। ସେଠାରୁ ବାଲୁଘାଟଘାଟ ଛକରେ ପହଞ୍ଚିବେ। ସେଠାରୁ ବାମକୁ ମୋଡ଼ି ହକି ଛକକୁ ପହଁଚନ୍ତୁ। ହକି ଛକରୁ ଡାହାଣକୁ ମୋଡି ସିଧାସଳଖ ହାଇଟେକ୍ ଛକ ଦେଇ ହନୁମାନବାଟିକା ଛକରେ ପହଞ୍ଚନ୍ତୁ। ଷ୍ଟାଡିୟମର ଗେଟ୍ ନଂ ୫ ଓ ୬ ଯିବାକୁ ବାମ ଲେନ୍ ଯାଆନ୍ତୁ। ଗେଟ ନଂ ୨ ଓ ୩ ଯିବାକୁ ଡାହାଣ ପାର୍ଶ୍ବ ଲେନ୍ରେ ଯାଆନ୍ତୁ। ଏହି ଦୁଇଟି ଲେନ୍ରେ ଡିଏଭି ରାସ୍ତା ଦେଇ ଛେଣ୍ଡ ଛକ ପର୍ଯ୍ୟନ୍ତ ଯାଆନ୍ତୁ। ସେଠାରେ ଗେଟ୍ ନଂ ୨ ଓ ୩ ଯିବାକୁ ହେଲେ ଛେଣ୍ଡ ଛକ ଦେଇ ପୂର୍ବରୁ ଆସିଥିବା ଲେନ୍ରେ ସିଧାସଳଖ ଯାଆନ୍ତୁ। ଗେଟ୍ ନଂ ୫ ଓ ୬କୁ ଯିବାକୁ ଛେଣ୍ଡ ଛକରେ ବାମକୁ ମୋଡି ଛେଣ୍ଡ କଲୋନି ଦେଇ ରିମ୍ସ୍ କଲେଜ ପର୍ଯ୍ୟନ୍ତ ଯାଆନ୍ତୁ। ସେଠାରେ ଡାହାଣକୁ ମୋଡି ପାର୍କିଂକୁ ଯାଆନ୍ତୁ। ଗେଟ୍ ନଂ ୨ ଓ ୩ ଯିବାକୁ ଛେଣ୍ଡ ଛକରୁ ସିଧାସଳଖ ବିପିୟୁଟି ଦେଇ ସ୍ପେସ୍ ଛକକୁ ଯାଆନ୍ତୁ। ସେଠାରୁ ବାମକୁ ମୋଡି ସିଧାସଳଖ ପାର୍କିଂକୁ ଯାଆନ୍ତୁ।
ସେମିତି ଅନୁଗୋଳ, ବାରକୋଟ, କୋଇଡା, ଦେଓଗଡ, କେନ୍ଦୁଝର, ବଣାଇଁରୁ ଆସୁଥିବା ଦେଓଗାଁ ଛକକୁ ଡାହାଣକୁ ମୋଡି ସାରନା ଛକ ପର୍ଯ୍ୟନ୍ତ ଯାଆନ୍ତୁ। ସେଠାରୁ ବାମକୁ ମୋଡି ହନୁମାନବାଟିକା ଛକ ଯାଆନ୍ତୁ। ଗେଟ୍ ନଂ ୫ ଓ ୬ ଯିବାକୁ ବାମ ଲେନ୍ ନିଅନ୍ତୁ। ଗେଟ୍ ନଂ ୨ ଓ ୩ ଯିବାକୁ ଡାହାଣ ଲେନ୍ ନିଅନ୍ତୁ। ଡିଏଭି ଛକ ଦେଇ ଛେଣ୍ଡ ଛକକୁ ଯାଆନ୍ତୁ। ସେଠାରୁ ଗେଟ୍ ୫ ଓ ୬କୁ ଯାଉଥିବା ଦର୍ଶକମାନେ ବାମକୁ ମୋଡି ଛେଣକଲୋନୀ ଦେଇ ରିମ୍ସ୍ କଲେଜଛକୁ ଯାଆନ୍ତୁ। ସେଠାରୁ ଡାହାଣକୁ ମୋଡି ପାର୍କିଂରେ ପହଞ୍ଚନ୍ତୁ। ସେହିପରି ଗେଟ୍ ୨ ଓ ୩କୁ ଯିବାକୁ ଛେଣ୍ଡ ଛକରୁ ସିଧାସଳଖ ବିପିୟୁଟି ଦେଇ ସ୍ପେସ୍ ଛକକୁ ଯାଆନ୍ତୁ। ସେଠାରୁ ବାମକୁ ମୋଡି ସିଧାସଳଖ ପାର୍କିଂ ପର୍ଯ୍ୟନ୍ତ ଯାଆନ୍ତୁ। ବନ୍ଧମୁଣ୍ଡା, ବିଶ୍ରା ଓ ମନୋହରପୁର ଆସୁଥିବା ଦର୍ଶକ ବିର୍ସା ଛକ ଦେଇ ଟାଫ୍ରିକ ଟାୱାର ଓ ହୀରାଖଣ୍ଡ ଛକରେ ପହଞ୍ଚନ୍ତୁ। ଝିରପାଣିରୁ ଆସୁଥିବା ଦର୍ଶକ ହିରାଖଣ୍ଡ ଛକରୁ ଡାହାଣକୁ ମୋଡି ଆମ୍ବାଗନ ଛକ ଦେଇ ସ୍ସେସ୍ ଛକକୁ ଯାଆନ୍ତୁ। ସ୍ପେସ୍ ଛକରୁ ଡାହାଣକୁ ମୋଡି ପାର୍କିଂକୁ ଯାଆନ୍ତୁ।
ଷ୍ଟାଡିୟମକୁ ନେବା ମନା : ଉଭୟ ଖେଳାଳୀ ଓ ଦର୍ଶକଙ୍କ ସୁରକ୍ଷା ଦୃଷ୍ଟିରୁ ଷ୍ଟାଡିୟମକୁ ଖେଳ ଦେଖି ଆସୁଥିବା ଦର୍ଶକମାନଙ୍କୁ କିଛି ସାମଗ୍ରୀ ନ ଆଣିବାକୁ ଜିଲ୍ଲା ପୁଲିସ ପକ୍ଷରୁ କୁହାଯାଇଛି। କଏନ୍, କୌଣସି ଖାଦ୍ୟ, ପାଣି ବୋତଲ, ବ୍ୟାଗ୍, ହେଲମେଟ୍ ଆଦି ଷ୍ଟାଡିୟମ ଭିତରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଶିଶୁମାନଙ୍କୁ ଧରି ଷ୍ଟାଡିୟମକୁ ଯାଉଥିବା ମହିଳା ଦର୍ଶକମାନେ ଶିଶୁ ଖାଦ୍ୟ ଓ ଔଷଧ ସାଥୀରେ ନେଇ ପାରିବେ। ସେମିତି ମୋଟରବାଇକ୍ ଓ କାର୍ ଚାବିକାଠି ସହ ମୋବାଇଲ୍ ଫୋନ୍ ମଧ୍ୟ ଷ୍ଟାଡିୟମ ଭିତରକୁ ନେଇ ପାରିବେ।