ଓଡ଼ିଶାର ହକି ‘ପ୍ରଥମା’ଙ୍କୁ ଭବ୍ୟ ସମ୍ବର୍ଦ୍ଧନା: ଗୋଟିଏ ମଞ୍ଚରେ ଯୋଡ଼ି ହେଲେ ୩ ଏକନମ୍ବର ‘ସମ୍ବାଦ-ରୁଚି-ଓଡ଼ିଶା ମହିଳା ହକି ଦଳ’

ଭୁବନେଶ୍ବର: ଓଡ଼ିଶା ହକିରେ ଅପୂର୍ବ ସଫଳତା ଯୋଡ଼ିଥିବା ରାଜ୍ୟ ମହିଳା ହକି ଦଳକୁ ଶନିବାର ମିଳିଛି ଭବ୍ୟ ସମ୍ବର୍ଧନା। ରାଜ୍ୟ କ୍ରୀଡ଼ା ଦୁନିଆର ଏହି ‘ପ୍ରଥମା’ମାନଙ୍କୁ ବି ସମ୍ବର୍ଦ୍ଧିତ କରି ଗୌରବାନ୍ବିତ ହୋଇଛି ‘ସମ୍ବାଦ ଗ୍ରୁପ୍‌’ ଏବଂ ରୁଚି ପରିବାର। ଗତ ମାସରେ ଭୋପାଳଠାରେ ଅନୁଷ୍ଠିତ ଜାତୀୟ ବରିଷ୍ଠ ମହିଳା ହକି ପ୍ରତିଯୋଗିତାରେ ବିଜେତା ହୋଇଥିବା ଓଡ଼ିଶା ଦଳକୁ ପ୍ରଥମ ଥର ବଡ଼ ଧରଣର ସମ୍ମାନ ମଧ୍ୟ ପ୍ରଦାନ କରିଛନ୍ତି ଏହି ଦୁଇ ଅନୁଷ୍ଠାନ। ନିଜ ନିଜ କ୍ଷେତ୍ରରେ ରାଜ୍ୟର ଏକ ନମ୍ବର ଅନୁଷ୍ଠାନ ‘ସମ୍ବାଦ ଗ୍ରୁପ୍‌’ ଓ ‘ରୁଚି ଫୁଡ୍‌ଲାଇନ୍‌’ ଦେଶର ଏକ ନମ୍ବର ହୋଇଥିବା ଓଡ଼ିଶା ମହିଳା ହକି ଦଳକୁ ଯୋଡ଼ି ‘ଏକ ନମ୍ବରର ତ୍ରିମୂର୍ତି’ ଗୌରବ ଆଣିବାର ସୁଯୋଗ ମଧ୍ୟ ଆଣି ଦେଇଥିଲା। ଶନିବାର ଭୁବନେଶ୍ବରର ଏକ ତାରକା ହୋଟେଲ୍‌ରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ୧୮ ଜଣିଆ ଓଡ଼ିଶା ମହିଳା ଦଳ ସହ ଏହାର ସ ପୋର୍ଟ ଷ୍ଟାଫ୍‌ଙ୍କୁ ସଫଳତାର ସ୍ବୀକୃତି ସ୍ବରୂପ ହକି ବିଶ୍ବକପ୍‌ ଟ୍ରଫିର ଫଳକ ପ୍ରଦାନ କରି ଏହାକୁ ସ୍ବପ୍ନ ଓ ସଙ୍କଳ୍ପର ପ୍ରତୀକ କରିବାକୁ ଆହ୍ବାନ ଦିଆଯାଇଥିଲା। ଏହି ଅବସରରେ ଖେଳାଳି, ଅତିଥି ଏବଂ ପ୍ରା‌‌‌‌‌ୟୋଜକମାନେ ଭାବବିହ୍ବଳ ହୋଇପଡ଼ିଥିଲେ। ହକିର ମାହୋଲ ଭିତରେ ବି ହଜି ଯାଇଥିଲେ। ଫୁଟ୍‌ବଲ୍ ପରେ ରାଜ୍ୟର ମହିଳା ହକି ଖେଳାଳିମାନେ ଜାତୀୟ ବିଜେତା ହୋଇ ମହିଳା ସଶକ୍ତିକରଣର ପ୍ରମାଣ ଦେଇଥିବା ଏବଂ ‘ଝିଅ ବି କିଛି କମ୍ ନୁହେଁ’ କାର୍ଯ୍ୟକ୍ରମର ଅନ୍ୟତମ ଝଲକ ମିଳିଥିବା ଅତିଥିମାନେ ସ୍ବୀକାର କରିଥିଲେ।

ହକି ଉପରେ ଆଧାରିତ ଏକ ଛୋଟିଆ କାହାଣୀର ପୃଷ୍ଠଭୂମିରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ହକିର କିଂବଦନ୍ତି ପୁରୁଷ ତଥା ହକି ଆସୋସିଏସନ୍‌ ଅଫ୍‌ ଓଡ଼ିଶାର ସଭାପତି ଦିଲୀପ ତିର୍କି, ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ପରିଚାଳନା ନିର୍ଦେଶିକା ମୋନିକା ନାୟାର ପଟ୍ଟନାୟକ, ରୁଚି ଗ୍ରୁପ୍‌ ମୁଖ୍ୟ ଶରତ କୁମାର ସାହୁ, ଅବରସପ୍ରାପ୍ତ ସହକାରୀ କ୍ରୀଡ଼ା ନିର୍ଦେଶକ ଅଶୋକ କୁମାର ମହାନ୍ତି, ରଚି ଓ ଫ୍ରୁଜିଟର ନିର୍ଦେଶିକା ରଶ୍ମି ସାହୁ, ସଂଗୀତା ସାହୁ, ସାଲିନା ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ହକି ପର୍ବରେ ସାମିଲ ହୋଇଥିଲେ। ହକି ଏବେ ଓଡ଼ିଶାର ପରିବର୍ତିତ ପରିଚୟ ବୋଲି ରଶ୍ମି ସାହୁ ପ୍ରକାଶ କରିଥିଲେ। ଉଲ୍ଲାସ ଚନ୍ଦ୍ର ବେହେରା ସଂଯୋଜନା କରିଥିବାବେଳେ ପଣ୍ଡିତ ମାତୃପ୍ରସାଦ ମିଶ୍ର, ଆକାଶ ବାଇଜୁସ୍‌ ନିର୍ଦ୍ଦେଶକ ଅଜୟ ବାହାଦୂର ସିଂହ, ଜାଭିଏର କଲେଜ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ୍‌ର ପ୍ରତିଷ୍ଠାତା ଦିଲୀପ ମହାରଣା, ‌କେୟାର୍‌ ହସ୍ପିଟାଲ୍‌ କର୍ପୋରେଟ୍‌ କମ୍ୟୁନିକେସନ୍ସ ଜିଏମ୍‌ ଲୋକନାଥ ଦାଶ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ।

ଏବେ ସଭିଏଁ ଓଡ଼ିଶା ଆସି ହକି ଖେଳିବାକୁ ଚାହୁଁଛନ୍ତି: ଦିଲ୍ଲୀପ
ଦିନ ଥିଲା ଆମେ ଖେଳ ଆରମ୍ଭ କରିବା ବେଳେ ଅଷ୍ଟ୍ରୋ ଟର୍ଫରେ ଅଭ୍ୟାସ ଲାଗି କୋଲକାତା ଯାଉଥିଲୁ। ସେଠାରେ ପ୍ରସ୍ତୁତି କରି ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିଲୁ। ଏବେ ଓଡ଼ିଶାର ହକି ଭିତ୍ତିଭୂମି ଏତେ ବଢ଼ିଛି ଯେ ବିଶ୍ବର ହକି ଖେଳାଳିମା‌ନେ ଓଡ଼ିଶା ଆସି ହକି ଖେଳିବାକୁ ଚାହୁଁଛନ୍ତି। ଏଥି ପାଇଁ ସବୁ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯିବ ବୋଲି ପ୍ରକାଶ କରିଛନ୍ତି ପଦ୍ମଶ୍ରୀ ଦିଲୀପ ତିର୍କି। ଖେଳାଳି ଜୀବନରେ ଅଲିମ୍ପିକ୍ ପଦକ ଜିତିନପାରିବାର ଅବଶୋସ ଥିଲା। କିନ୍ତୁ ଗତବର୍ଷ ଟୋକିଓ ଅଲିମ୍ପିକ୍ସରୁ ପଦକ ଆସିବା ପରେ ଏହା ପ୍ରଶମିତ ହୋଇଛି। ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କ ଜରିଆରେ ଦୀର୍ଘ ୪୧ ବର୍ଷ ପରେ ଭାରତ ଜିତିଥିବା କାଂସ୍ୟ ପଦକରେ ଓଡ଼ିଶା ଭାଗୀଦାର ହୋଇପାରିଛି। ଓଡ଼ିଶାର ଝିଅମା‌ନେ ଏବେ ଜାତୀୟ ବିଜେତା ହୋଇ ଅଧୁରା ସ୍ବପ୍ନକୁ ସାକାର କରିଥିବାରୁ ଗର୍ବ ଲାଗୁଛି ବୋଲି ଶ୍ରୀ ତିର୍କି ପ୍ରକାଶ କରିଥିଲେ। ଓଡ଼ିଶାରେ କ୍ରୀଡ଼ାର ବିକାଶ ପାଇଁ ‘ସମ୍ବାଦ’ ଓ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ବି ଶ୍ରେୟ ଦେଇଥିଲେ ଦିଲ୍ଲୀପ ତିର୍କି।

ମହିଳା ସଶକ୍ତିକରଣର ପ୍ରମାଣ: ସୌମ୍ୟରଂଜନ
ଓଡ଼ିଶା ମହିଳା ହକି ଦଳର ଅପୂର୍ବ ସଫଳତା ଆମକୁ ଗୌରବାନ୍ବିତ କରିଛି। ଏହା ଆମ ଓଡ଼ିଶା ମହିଳାଙ୍କ ଶସକ୍ତିକରଣର ଅନ୍ୟତମ ପ୍ରମାଣ। ରାଜ୍ୟର ମହିଳାମାନେ ଆଗକୁ ଆସିବାକୁ ବ୍ୟଗ୍ର ବୋଲି ଏହାଦ୍ବାରା ପ୍ରତୀୟମାନ ହେଉଛି। କିଛି ଦିନ ତଳେ ସମ୍ବାଦ ପକ୍ଷରୁ ଆରମ୍ଭ କରାଯାଇଥିବା ‘ଝିଅ ବି କିଛି କମ୍‌ ନୁହେଁ’ କାର୍ଯ୍ୟକ୍ରମର ଏହା ଅନ୍ୟତମ ସ୍ବୀକୃତି। ଏକ ନମ୍ବର ଖବରକାଗଜ (ସମ୍ବାଦ), ଏକ ନମ୍ବର ମସଲା କମ୍ପାନି (ରୁଚି) ଭାବେ ଆମେ ଏକ ନମ୍ବର ଦଳ (ଓଡ଼ିଶା ମହିଳା ହକି ଦଳ)କୁ ପାଇ ସେମାନଙ୍କ ସହ ସମୟ କାଟିବା, ଫଟୋ ଉଠାଇ ଗର୍ବିତ ହେଉଛୁ ବୋଲି କହିଥିଲେ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ। ଆମ‌େ ଭିତରେ ଖେଳୁଆଡ ଭାବନା ଭରିଦେବାରେ ଏହି ଖେଳାଳିମାନେ ଉତ୍ସାହ ଆଣିଛନ୍ତି। ଏକ ନମ୍ବର ଦଳ ସହ ଯୋଡ଼ି ହେବା ଲାଗି ଏହି ସମ୍ବର୍ଧନା କେବଳ ବାହାନା ମାତ୍ର। ମହିଳା ମାନେ ପରିବେନିର ଭାବନା ବଦଳିଯାଇଛି। ଦିଲ୍ଲୀପ ତିର୍କିଙ୍କ ସଫଳତା ଓଡ଼ିଶାବାସୀଙ୍କୁ ବିଶ୍ବାସ ଦେଇଥିଲା। ହକି ବିଶ୍ବକପ୍‌କୁ ବାରମ୍ବାର ଆୟୋଜନ କରି ଓଡ଼ିଶା ମଧ୍ୟ ନିଜର ପରିଚୟ ବଦଳାଇ ଦେଇଛି। ସେହିଭଳି ଆଜିକାଲି ଭାଷଣ ଆଉ କାମ କରୁନି, ସତ କି ମିଛ ଏଥି ପାଇଁ ପ୍ରମାଣ ଦେବାକୁ ପଡୁଛି। ସତକୁ ପ୍ରମାଣ ଲାଗି ଡିଣ୍ଡିମ ପିଟିବାର ଆବଶ୍ୟକତା ରହିଛି। ତଥାପି ଓଡ଼ିଶା ମହିଳା ହକି ଦଳର ସଫଳତା ଏକ ବଡ଼ ଉପଲବ୍‌ଧି ‌ଯାହା ଆମକୁ ଏକାଠି ଭାବବିହ୍ବଳ କରିବାର ସ‌ୁଯୋଗ ଦେଇଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ।

‘ଫାଇନାଲ୍ ପୂର୍ବ ରାତିରେ ଶୋଇପାରିନଥିଲୁ’
ବିଜେତା ହେବୁ ବୋଲି କ‌େବେ ଭାବିନଥିଲୁ। କର୍ଣ୍ଣାଟକ ବିପକ୍ଷ ଫାଇନାଲ୍ ମ୍ୟାଚ୍‌ ଖେଳିବା ପୂର୍ବ ରାତିରେ ଆମେ ଭଲରେ‌‌ ମଧ୍ୟ ଶୋଇପାରିନଥିଲୁ। ଭଲରେ ଖାଇଥିଲେ ମଧ୍ୟ ମ୍ୟାଚ୍‌ର ଚିନ୍ତା ଘାରୁଥିଲା। ସକାଳ ହେବା ପରେ ଚାପ ଅନୁଭବ କରିଥିଲେ ମଧ୍ୟ କୌଣସି ଭାବେ ଚାମ୍ପିଅନ୍‌ ହୋଇ ଫେରିବାକୁ ମନ ଭିତରେ ଆଶା ଓ ବିଶ୍ବାସ ରହିଥିଲା। ସବୁ ଖେଳାଳି ଭଲ ଖେଳିଲେ, ବରିଷ୍ଠ ଖେଳାଳିମାନେ (ସୁନିତା ଲାକ୍ରା, ପୁନମ ବାର୍ଲା, ଲିଲିମା ମିଞ୍ଜ୍‌) ଭଲ ଦାୟିତ୍ବ ତୁଲାଇଥିଲେ। ଗୋଲରକ୍ଷିକା ଅସୀମା ମିଞ୍ଜ୍‌ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା। ଆମେ କର୍ଣ୍ଣାଟକକୁ ୨-୦ରେ ହରାଇ ବିଜେତା ହେବା ପରେ ଖୁସିରେ ବିଭୋର ହୋଇଯାଇଥିଲୁ ବୋଲି କହିଥିଲେ ଓଡ଼ିଶା ଅଧିନାୟିକା ଅସ୍ମିତା ବାର୍ଲା। ଟ୍ରଫି ଜିତିବା ପରେ ମୁଁ ପ୍ରଥମେ ମା’ଙ୍କୁ ଫୋନ୍‌ କରିଥିଲି ବୋଲି ଭାବବିହ୍ବଳ ସ୍ବରରେ କହିଥିଲେ ଉପ ଅଧିନାୟିକା ରୋଜିତା କୁଜୁର। କେବଳ ଫାଇନାଲ୍ ନୁହେଁ ପ୍ରତିଟି ମ୍ୟାଚ୍‌ ପୂର୍ବରୁ ମା’ ଘରେ ଥାଇ ପ୍ରାର୍ଥନାରେ ବ୍ୟସ୍ତ ରହିଥାଏ ବୋଲି ରୋଜିତା ପ୍ରକାଶ କରିଥିଲେ।

ଜାତୀୟ ବିଜୟିନୀ ଓଡ଼ିଶା ଦଳ
ଅସୀମା ମିଞ୍ଜ୍, ପୁନମ ବାର୍ଲା, ଅସ୍ମିତା ବାର୍ଲା (ଅଧିନାୟିକା), ଭାରତୀ ଏକ୍କା, ଲକ୍ଷ୍ମୀ ଏକ୍କା, ପ୍ରେମିତା ବାରା, ରୋଜିତା କୁଜୁର, ଅସିମ କାଞ୍ଚନ ବାର୍ଲା, ଦୀପ୍ତି ଲାକ୍ରା, ଲିଲିମା ମିଞ୍ଜ୍, ବିମଳା ବାରୱା, ନେହା ଲାକ୍ରା, ଜାହ୍ନବୀ ପ୍ରଧାନ, ରାହିଲ ତିର୍କି, ଖୁସ୍‌ବୁ କୁଜୁର, କୁମୁଦିନୀ ଲାକ୍ରା (ଗୋଲ୍‌ରକ୍ଷକ), ସୁନିତା ଲାକ୍ରା, ପ୍ରେମାଞ୍ଜଳି ଟେ‌ାପ୍ପୋ। ପ୍ରଶିକ୍ଷକ: ଏଡଗାର ମାସ୍କରେନ୍‌ହାସ୍‌, ପ୍ରବଂଧକ: ଲୁସିଲା ଏକ୍କା, ଫିଜିଓ: କେ ଶୋଭନ କୁମାର, ଟ୍ରେନର୍‌: ଭୂମିକା କୁମାର।

ସମ୍ବନ୍ଧିତ ଖବର