କ୍ରୀଡ଼ା ଜୀବନରୁ ଅବସର ନେଲେ ହକି ଅଲିମ୍ପିଆନ ନମିତା ଟପ୍ପୋ

ଭାରତୀୟ ଜର୍ସି ପିନ୍ଧି ଖେଳିବା ଜୀବନର ଶ୍ରେଷ୍ଠ ମୁହୂର୍ତ୍ତ: ନମିତା

ରାଉରକେଲା: ଏକ ଦଶନ୍ଧିର କ୍ରୀଡ଼ା ଜୀବନରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଭାରତୀୟ ମହିଳା ହକି ଦଳର ତାରକା ମିଡ୍‌ଫିଲ୍‌ଡର ଅଲିମ୍ପିଆନ ନମିତା ଟପ୍ପୋ। ପାନପୋଷ କ୍ରୀଡ଼ା ଛାତ୍ରାବାସରୁ କ୍ରୀଡ଼ା ଜୀବନ ଆରମ୍ଭ କରିଥିବା ନମିତା କନିଷ୍ଠ, ବରିଷ୍ଠ ବର୍ଗରେ ଏକାଧିକ ମ୍ୟାଚ୍‌ ଖେଳିଥିବାବେଳେ ଭାରତୀୟ ମହିଳା ଦଳ ପକ୍ଷରୁ ୧୬୮ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଲିଥିଲେ। ରିଓ ଅଲିମ୍ପିକ୍ସ(୨୦୧୬) ସମେତ କନିଷ୍ଠ ହକି ବିଶ୍ବକପ୍‌, ଏସିଆନ ଗେମ୍‌ସ, ଏସିଆ କପ୍‌, ରାଜ୍ୟଗୋଷ୍ଠି କ୍ରୀଡ଼ାରେ ଭାରତୀୟ ଦଳର ଅବିଚ୍ଛେଦ୍ୟ ଅଙ୍ଗ ଥିଲେ। ଗତ ଟୋକିଓ ଅଲିମ୍ପିକ୍ସ୍‌ ଦଳରେ ଭାରତୀୟ ମହିଳା ଦଳରେ ସାମିଲ ହୋଇଥିଲେ; କିନ୍ତୁ ଆହତଜନିତ କାରଣରୁ ସେ ମ୍ୟାଚ୍‌ ଖେଳିପାରିନଥିଲେ। ଏହାପରେ ଭାରତୀୟ ଦଳ ସହ ଶିବିରରେ ସାମିଲ ହୋଇଥିଲେ ମଧ୍ୟ ଆହତ ସମସ୍ୟାରୁ ଶତପ୍ରତିଶତ ମୁକୁଳିପାରିନଥିଲେ। ସମ୍ଭବତଃ ଦୀର୍ଘକାଳୀନ ଆହତ ସମସ୍ୟା ଯୋଗୁଁ ସେ ମାତ୍ର ୨୭ ବର୍ଷ ବୟସରେ କ୍ରୀଡ଼ା ଜୀବନରୁ ସନ୍ୟାସ ନେଇଛନ୍ତି।

ପ୍ରତିକ୍ରିୟାରେ ନମିତା କହିଛନ୍ତି, ପିଲାଟି ଦିନରୁ ଭାରତୀୟ ଦଳ ପକ୍ଷରୁ ଖେଳିବାର ଯେଉଁ ସ୍ବପ୍ନ ଥିଲା, ତାହା ନିଷ୍ଠାପର ଅଭ୍ୟାସ ବଳରେ ସମ୍ଭବ ହୋଇପାରିଛି। ଗତ ଏକ ଦଶନ୍ଧି ଧରି ଭାରତୀୟ ଦଳର ପ୍ରତିନିଧିତ୍ବ କରିବା ହେଉଛି ଜୀବନର ଶ୍ରେଷ୍ଠ ମୁହୂର୍ତ୍ତ। ପାନପୋଷ କ୍ରୀଡ଼ା ଛାତ୍ରାବାସଠାରୁ ଆରମ୍ଭ ହୋଇଥିବା କ୍ରୀଡ଼ା ଜୀବନଠାରୁ ଭାରତୀୟ ଦଳରେ ପ୍ରତିନିଧିତ୍ବ କରିବା ପର୍ଯ୍ୟନ୍ତ; ବହୁ ପ୍ରଶିକ୍ଷକ, ଟିମ୍‌ ମ୍ୟାନେଜମେଣ୍ଟ୍‌, ସହ-‌କ୍ରୀଡ଼ାବିତ୍‌, ପରିବାର ସଦସ୍ୟଙ୍କ ଅତୁଳନୀୟ ଅବଦାନ ରହିଛି। ସେମାନଙ୍କର ଅକ୍ଲାନ୍ତ ପରିଶ୍ରମ ଫଳରେ ମୋ’ ସ୍ବପ୍ନ ହାସଲ ହୋଇପାରିଛି। ଏହାସହ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା କ୍ରୀଡ଼ା ବିଭାଗ, ସାଇ, ହକି ଇଣ୍ଡିଆ, ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟର ଆକୁଣ୍ଠ ସମର୍ଥନ ଯୋଗୁଁ ମୁଁ ଚିର ଋଣୀ। ସଂପ୍ରତି ଭାରତୀୟ ମହିଳା ହକି ଦଳ ଗୋଟିଏପରେ ଗୋଟିଏ ସଫଳତା ହାସଲ କରିଚାଲିଛି। ବିଶେଷକରି ଗତ ଏକ ଦଶନ୍ଧି ହେଲା ଭାରତୀୟ ମହିଳା ହକି ଦଳ ଯେଭଳି ଉତ୍କୃଷ୍ଟତା ହାସଲ କରିଛି; ତାହା ନିଶ୍ଚିତଭାବରେ ସନ୍ତୋଷଜନକ। ଜୀବନର ନୂଆ ସୋପନାରେ ପାଦ ଥାପିବାକୁ ଯାଉଛି। ତଥାପି ଭାରତୀୟ ଦଳ ପାଇଁ ସବୁବେଳେ ଅନ୍ତରରୁ ସମର୍ଥନ ବଳବତ୍ତର ରହିବ।

ପ୍ରକାଶଥାଉକି, ଭାରତୀୟ ହକି ଦଳରେ ପ୍ରତିନିଧିତ୍ବ କରିଥିବା ସୁନ୍ଦରଗଡ଼ ଖେଳାଳିଙ୍କ ପ୍ରାୟ ସମାନ କାହାଣୀ। ଆର୍ଥିକ ଅନଟନରେ ଦିନ କଟିଥିଲେ ମଧ୍ୟ ଶୃଙ୍ଖଳିତ ଅଧ୍ୟବସାୟ ବଳରେ ସେମାନେ ଭାରତୀୟ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବାରେ ସକ୍ଷମ ହୋଇଛନ୍ତି। ସେଥିମଧ୍ୟରୁ ଅନ୍ୟତମ ହେଉଛନ୍ତି ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ଯଉରାମାଲରେ ଜନ୍ମିତ ନମିତା ଟପ୍ପୋ। ବାପା ଠବୋ ଟପ୍ପୋ ଓ ମା’ ଚକ୍ରବତୀ ଟପ୍ପୋଙ୍କ ଔରସରୁ ଜନ୍ମଗ୍ରହଣ କରିଥିବା ନମିତାଙ୍କ ୯ ଭାଇ ଭଉଣୀ ଅଛନ୍ତି। ସେମାନେ ହେଉଛନ୍ତି ବସନ୍ତ ଟପ୍ପୋ, ଲଳିତା ଟପ୍ପୋ, ସୁନୀତା ଟପ୍ପୋ, ମନୋଜ ଟପ୍ପୋ, ଦିଲୀପ ଟପ୍ପୋ, ପରମିତା ଟପ୍ପୋ, ପ୍ରତିଭା ଟପ୍ପୋ ଓ ବୀନିତା ଟପ୍ପୋ। ପରିବାରର ରୋଜଗାରର ଏକମାତ୍ର ମାଧ୍ୟମ ଥିଲା ଚାଷ। ସ୍ବଳ୍ପ ଜମିରୁ ଯାହା ଆୟ ହେଉଥିଲା ସେଥିରେ ଚଳୁଥିଲା ପୁରା ପରିବାର। ନମିତାଙ୍କ ସମଗ୍ର ପରିବାର ହକି ପ୍ରତି ସମର୍ପିତ ଥିଲେ। ପ୍ରାୟ ସବୁ ଭାଇ ଭଉଣୀ ଗାଁରେ ହକି ଖେଳୁଥିବାବେଳେ ବଡ଼ଭାଇ ବସନ୍ତ ଓ ଦିଲୀପ ଜାତୀୟ ପ୍ରତିଯୋଗିତାରେ ପ୍ରତିନିଧିତ୍ବ କରିଥିଲେ। ଭାଇମାନଙ୍କୁ ହକି ଖେଳୁଥିବା ଦେଖି ଏଥିପ୍ରତି ନମିତା ଆକୃଷ୍ଟ ହୋଇଥିଲେ। ପରେ ପାନପୋଷ କ୍ରୀଡ଼ାଛାତ୍ରାବାସରେ ଦାଖଲ ହେବା ପରଠାରୁ ତାଙ୍କର କ୍ରୀଡ଼ା ଜୀବନ ଶିଖର ଛୁଇଁଥିଲା।

ସମ୍ବନ୍ଧିତ ଖବର