ଶନିବାର ଜନ୍ମମାଟିକୁ ଆସିବେ ହକି ଅଲିମ୍ପିଆନ୍; ଭବ୍ୟ ସମ୍ବର୍ଦ୍ଧନା ଦେବ ଜିଲ୍ଲା ପ୍ରଶାସନ

ସୁନ୍ଦରଗଡ଼: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳରେ ଚମତ୍କାର ଦେଖାଇ ଓଡ଼ିଶା ତଥା ସୁନ୍ଦରଗଡ଼ ପାଇଁ ସୁନାମ ଆଣିଥିବା ୪ ଚର୍ଚ୍ଚିତ ଖେଳାଳି ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା, ଦୀପଗ୍ରେସ ଏକ୍କା ଓ ସୁନିତା ଟପ୍ପୋ ଜନ୍ମମାଟିକୁ ଆସିବେ।

ଏଥିପାଇଁ ସୁନ୍ଦରଗଡ଼ ଜିଲ୍ଲା ହକି ପ୍ରେମୀ ଓ ସାଧାରଣ ଜନତା ବେଶ ଉଲ୍ଲସିତ ଅଛନ୍ତି। ଅଲିମ୍ପିକ୍ ଖେଳିବା ପରେ ହକି ଖେଳାଳିମାନଙ୍କ ପ୍ରଥମ ସୁନ୍ଦରଗଡ଼ ଗସ୍ତ ଥିବାରୁ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମଧ୍ୟାହ୍ନ ୧୨ଟାରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ୪ ହକି ତାରକାଙ୍କ ସହ ହକିର ଜୀବନ୍ତ କିମ୍ବଦନ୍ତୀ ପଦ୍ମଶ୍ରୀ ଦିଲୀପ ତିର୍କୀ ଓହ୍ଲାଇ ସଡ଼କ ପଥରେ ସୁନ୍ଦରଗଡ଼ ପହଞ୍ଚିବେ।

ସାଢ଼େ ୧୨ଟାରେ ସେମାନଙ୍କୁ ପାରିଜାତ ପାର୍କରୁ ପ୍ରଦିକ୍ଷଣ ଗୃହ (ସର୍କିଟ ହାଉସ) ଯାଏ ପ୍ରଶାସନ ଏକ ବିଶାଳ ଶୋଭାଯାତ୍ରାରେ ପାଛୋଟି ଆଣିବେ। ଅପରାହ୍ନ ୨ଟାରେ ବିକାଶ ଭବନରେ ହକି ତାରକାମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବ। ଏହା ପରେ ବିଶେଷ ବ୍ୟବସ୍ଥା ମଧ୍ୟରେ ଖେଳାଳିମାନେ ନିଜ ନିଜ ଜନ୍ମ ଗାଁକୁ ଯିବେ ପୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର