ଧଉଳି:ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଅନ୍ତର୍ଜାତୀୟ ଜୁନିୟର ପୁରୁଷ ହକି ଟୁର୍ଣ୍ଣାମେଣ୍ଟ ପରିପ୍ରେକ୍ଷୀରେ ବିଭିନ୍ନ ଦେଶର ହକି ଖେଳାଳିଙ୍କର ଭିଡ଼ ଜମିଛି। ବିଭିନ୍ନ ଦେଶର ଖେଳାଳିଙ୍କୁ ଦେଖିବା ପାଇଁ ଉପସ୍ଥିତ ପର୍ଯ୍ୟଟକମାନଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହେଉଛି। ଶାନ୍ତିସ୍ତୂପ ଉପରେ ଖେଳାଳିମାନଙ୍କ ସହ ସେଲଫି ନେଉଥିବା ଲକ୍ଷ୍ୟ କରାଯାଉଛି।
ଧଉଳି ଥାନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସୋମବାର ଦିନକ ମଧ୍ୟରେ ନେଦରଲାଣ୍ଡ, ଚିଲି, କାନାଡ଼ା ଓ ସାଉଥ ଆଫ୍ରିକାର ଖେଳାଳିମାନେ ଧଉଳି ଶାନ୍ତିସ୍ତୂପ ବୁଲିବାକୁ ଆସିଥିଲେ। ଖେଳିଳିମାନେ ବସ ଯୋଗେ ଶାନ୍ତିସ୍ତୂପ ଆସୁଛନ୍ତି। ଗୋଟିଏ ଟିମରେ ୨୫ରୁ ଅଧିକ ଖେଳାଳିଙ୍କ ସହିତ କୋଚ, ଟିମ ମ୍ୟାନେଜର, ସୁରକ୍ଷା କର୍ମୀଙ୍କ ସମେତ ଫିଜିଓ କର୍ମଚାରୀ ରହିଥିବା ଜଣାପଡ଼ିଛି।
ଧଉଳି ଥାନା ପୁଲିସ ଖେଳାଳିମାନଙ୍କ ସୁରକ୍ଷା ଦାୟିତ୍ବରେ ଥିଲେ। ଖେଳାଳିମାନେ ଶାନ୍ତିସ୍ତୂପ ଉପରେ ପ୍ରଥମେ ଭଗବାନ ବୁଦ୍ଧଙ୍କ ଦର୍ଶନ କରିଥିଲେ। ପରେ ଶାନ୍ତିସ୍ତୂପ ଚାରିପାଖ ବୁଲି ଦେଖିଥିଲେ। ଏଥିସହିତ ହାତୀପାର୍କ,ଅଶୋକଙ୍କ ଶିଳାନୁଶାସନ ସ୍ଥାନ, ଶାନ୍ତିପାର୍କ, ଅଶୋକ ସ୍ତମ୍ବ ବୁଲି ଦେଖିଥିଲେ। ଏହି ପରିପ୍ରେକ୍ଷୀରେ ଗାଇଡ଼ଙ୍କ ସହିତ ଶାନ୍ତିସ୍ତୂପର ଐତିହ୍ୟ ସଂପର୍କରେ ପଚାରି ବୁଝିଥିଲେ।