ରାଉରକେଲା: ସ୍ଥାନୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆସନ୍ତା ୧୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଉଭୟ ପୁରୁଷ ଓ ମହିଳା ବର୍ଗର ହକି ପ୍ରୋ-ଲିଗ୍ ଖେଳାଯିବ। ଏଥିପାଇଁ ପୂର୍ବରୁ ଅନଲାଇନ୍ ଟିକଟ ବିକ୍ରି ହୋଇସାରିଥିବାବେଳେ ଗୁରୁବାର ଦିନଠାରୁ ଅଫ୍ଲାଇନ୍ ଟିକଟ୍ ବିକ୍ରି ଆରମ୍ଭ ହୋଇଛି। ତେବେ ପ୍ରଥମ ଦିନରେ ଟିକଟ ବିକ୍ରି ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ବ୍ୟାପକ ପ୍ରଚାରପ୍ରସାର ଅଭାବଯୋଗୁଁ ହକିପ୍ରେମୀଙ୍କ ଭିଡ଼ ଦେଖିବାକୁ ମିଳିନଥିଲା।
ପୂର୍ବଥର ଭଳି ଏଥର ମଧ୍ୟ ଷ୍ଟାଡିୟମର ଗେଟ୍ ନଂ-୨ ଓ ଗେଟ୍ ନଂ-୬ରେ ଟିକଟ ବିକ୍ରି ବ୍ୟବସ୍ଥା କରାଯାଇଛି। ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୬ଟା ଯାଏ ଟିକଟ ବିକ୍ରି ହେଉଛି। ଗେଟ୍ ନଂ-୨ରେ ପୂର୍ବ ଓ ଉତ୍ତର ଷ୍ଟାଣ୍ଡ୍ ଏବଂ ଗେଟ୍ ନଂ-୬ରେ ପଶ୍ଚିମ ଓ ଦକ୍ଷିଣ ଷ୍ଟାଣ୍ଡ୍ର ଟିକଟ ଉପଲବ୍ଧ। ପଶ୍ଚିମ ଷ୍ଟାଣ୍ଡ୍ର ଟିକଟ ଦର ୫ ଶହ ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ପୂର୍ବ ଷ୍ଟାଣ୍ଡ୍ର ୨ ଶହ ଟଙ୍କା ଏବଂ ଉତ୍ତର ଓ ଦକ୍ଷିଣ ଷ୍ଟାଣ୍ଡ୍ର ଦର ୧୦୦ ଟଙ୍କା ଲେଖାଏ ରହିଛି। ପ୍ରତ୍ୟେକ ଗେଟ୍ରେ ୪ଟି ଲେଖାଏ କାଉଣ୍ଟର୍ ଖୋଲାଯାଇଛି। ଏହାସହ ହକିପ୍ରେମୀଙ୍କ ସୁବିଧା ପାଇଁ ବ୍ୟାରିକେଡ୍ ସହ ପୁଲିସ ମୁତୟନ ଅଛନ୍ତି।
/sambad/media/post_attachments/wp-content/uploads/2024/02/321c83fc-b628-4ef2-a923-c1f48ab49fa9.jpeg)
ପ୍ରଥମ ଦିନରୁ ଟିକଟ୍ ବିକ୍ରି ଅତି ନଗଣ୍ୟ ରହିଛି। ଏହାର ଏକମାତ୍ର କାରଣ ପାଲଟିଛି ପ୍ରଚାରପ୍ରସାରର ଅଭାବ। ବେସରକାରୀ ତଥ୍ୟ ଅନୁସାରେ, ଆଜି କେବଳ ଶହେରୁ କମ୍ ଟିକଟ ବିକ୍ରି ହୋଇଛି। ଗେଟ୍ ନଂ-୬ ଅପେକ୍ଷା ଗେଟ୍ ନଂ-୨ରେ ଅଧିକ ଟିକଟ ବିକ୍ରି ହୋଇଥିଲା। ପ୍ରକୃତରେ ଟିକଟ୍ ବିକ୍ରି ନେଇ ପୂର୍ବରୁ କୌଣସି ପ୍ରକାର ଆନୁଷ୍ଠାନିକ ସୂଚନା ଦିଆଯାଇନଥିଲା। ଫଳରେ ଲୋକେ ଏନେଇ ଅବଗତ ହୋଇପାରିନଥିଲେ। ଆଜି ବିକ୍ରି ହୋଇଥିବା ଟିକଟ୍ ମଧ୍ୟରୁ ୯୦% ପ୍ରତିଶତରୁ ଅଧିକ କେବଳ ଭାରତ ମ୍ୟାଚ୍ର। ଲୋକେ କେବଳ ଭାରତ ମ୍ୟାଚ୍ର ଟିକଟ୍ କିଣିଥିବାବେଳେ ଅନ୍ୟ ମ୍ୟାଚ୍କୁ ଗୁରୁତ୍ବ ହିଁ ଦେଇନଥିଲେ। ଗତ ୨୦୨୩ ଜାନୁଆରିରେ ଅନୁଷ୍ଠିତ ହକି ବିଶ୍ବକପ ଓ ମାର୍ଚ୍ଚରେ ଅନୁଷ୍ଠିତ ପୁରୁଷ ହକି ପ୍ରୋ-ଲିଗ୍ରେ ଟିକଟ ପାଇଁ ଦର୍ଶକଙ୍କ ଲମ୍ବାଲାଇନ୍ ଦେଖିବାକୁ ମିଳିଥିଲା। ଲୋକେ ଭୋର୍ ୪/୫ଟାରୁ ଆସି ଟିକଟ ପାଇଁ ଧାଡ଼ିରେ ଠିଆ ହେଉଥିଲେ। ଏଥର କିନ୍ତୁ ତା’ର ଓଲଟା ଦେଖିବାକୁ ମିଳିଛି। ଆସନ୍ତାକାଲିଠାରୁ ବିକ୍ରି ପରିମାଣରେ ବୃଦ୍ଧି ଆଶା କରାଯାଉଛି।