ଡମ୍ବରୁଧର ନାୟକ
ସୁନ୍ଦରଗଡ଼: ଅନେକ ଅନ୍ତର୍ଜାତୀୟ ହକିତାରକାଙ୍କୁ ଜନ୍ମ ଦେଇଥିବା ସୁନ୍ଦରଗଡ଼ ଜିଲ୍ଲାର ନିପଟ ପଲ୍ଲୀ ଗାଁ ସଉନାମରା ଓ ଲୁଲୁକିଡିହି। ଏକଦା ଅଖ୍ୟାତ ଏ ଦୁଇ ଗାଁ ଏବେ ହକି ତାରକାଙ୍କ ପାଇଁ ବେଶ୍ ଖ୍ୟାତ। ହକି କିଂବଦନ୍ତି ପଦ୍ମଶ୍ରୀ ଦିଲୀପ ତିର୍କିଙ୍କ ସମେତ ଭାରତୀୟ ମହିଳା ହକିଦଳର ପୂର୍ବତନ ଅଧିନାୟିକା ସୁଭଦ୍ରା ପ୍ରଧାନ, ଭାରତୀୟ ପୁରୁଷ ହକି ଦଳର ଉପଅଧିନାୟକ ଅଲିମ୍ପିଆନ୍ ଅମିତ ରୋହିଦାସ, ଭାରତୀୟ ପୁରୁଷ ଜୁନିୟର ହକିଦଳର ଉପଅଧିନାୟକ ଦୀପସାନ ତିର୍କିଙ୍କ ଯାତ୍ରା ଏ ମାଟିରୁ ହିଁ ଆରମ୍ଭ ହୋଇଥିଲା। ଦିଲୀପ ହକି ଇଣ୍ଡିଆ ସଭାପତି ହେବା ଓ ଅମିତଙ୍କ ଉପନେତୃତ୍ବରେ ଭାରତୀୟ ଦଳ ୨୦୨୩ ହକି ବିଶ୍ବକପ୍ ଖେଳିବା ସଉନାମରା ଗାଁ ମାଟି ପାଇଁ ସବୁଠାରୁ ଗୌରବମୟ ଉପଲବ୍ଧି। ଅନେକ ସମୟରେ ବାହାରୁ ଆସିଥିବା ହକିପ୍ରେମୀ ଖୋଜିଥାନ୍ତି ସଉନାମରା ଓ ଲୁଲୁକିଡିହିକୁ। କିଂବଦନ୍ତି ତାରକା, ଅନେକ ଅଲିମ୍ପିଆନଙ୍କୁ ଜନ୍ମ ଦେଇଥିବା, ପିଲାଦିନେ ହାତ ଧରି ହକି ଶିଖାଇଥିବା ଗାଁ କେମିତି ହୋଇଥିବ ଦେଖିବାକୁ ଛୁଟି ଆସିଥାନ୍ତି। ହେଲେ ବିଡ଼ମ୍ବନା, ଏତେ ନାଁ କରା ଖେଳାଳିଙ୍କ ଗାଁ ଏବେ ମଧ୍ୟ ବିକାଶ ଖୋଜୁଛି।
ବାଲିଶଙ୍କରା ବ୍ଲକ୍ର ଆମ୍ବପଡ଼ା, ବାବୁପଡ଼ା, ଗୌଡ଼ପଡ଼ା, ମଝାପଡ଼ା, ପଞ୍ଚାୟତପଡ଼ା, ଯୋରଢିପାକୁ ନେଇ ଗଠିତ ସଉନାମରା ଗାଁରେ ରହନ୍ତି ୨୨ ଶହରୁ ଅଧିକ ଲୋକ। ଗାଁର ସବୁଠାରୁ ବଡ଼ ଅଭାବ ପାଣି। ୧୦ ବର୍ଷ ତଳେ ପଞ୍ଚାୟତିରାଜ ଓ ଗ୍ରାମ୍ୟ ପାନୀୟଜଳ ବିଭାଗ ପକ୍ଷରୁ ତିଆରି ହୋଇଥିଲା ପାନୀୟଜଳ ପ୍ରକଳ୍ପ। ପ୍ରତି ପଡ଼ାକୁ ପାଇପ୍ ସଂଯୋଗ ହୋଇଛି। କିନ୍ତୁ ଆରମ୍ଭରୁ ତାହା ଅଚଳ। ଏବେ ପ୍ରକଳ୍ପରେ ଲଟାବୁଦା ମାଡ଼ିଗଲାଣି। ଅନ୍ୟପଟେ ମଝାପଡ଼ାରେ ସ୍ଥାପିତ ଏକ ସୌରଚାଳିତ ପାନୀୟ ପ୍ରକଳ୍ପରୁ ପଡ଼ାର ମାତ୍ର ଶହେ ଲୋକଙ୍କୁ ପାଣି ମିଳୁଛି। ଗାଁରେ ଥିବା ୪ଟି ପୋଖରୀ ମଧ୍ୟରୁ ୩ଟି ଶୀତଋତୁରୁ ଶୁଖିଲା। ଗୌଡ଼ପଡ଼ାର ପୋଖରୀରେ ପାଣି ଥିଲେ ମଧ୍ୟ ତାହା ବ୍ୟବହାର ଅନୁପଯୋଗୀ। ଗାଁ ମୁଣ୍ତରେ ବହି ଯାଉଥିବା ନାଳ ବର୍ଷରେ ୬ ମାସ ଶୁଖିଲା ରହୁଛି। କେଉଁଠି ଚହଳାଏ ପାଣି ଯଦି ରହିଛି, ତା’ବି କାଦୁଅମିଶା। ଜଳସେଚନ ବ୍ୟବସ୍ଥା ନଥିବାରୁ ବର୍ଷାଜଳ ଉପରେ ଚାଷ ନିର୍ଭରଶୀଳ। କିଛି ପରିବାର ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଅନ୍ନ ଯୋଗାଡ଼ କରନ୍ତି। ଗାଁ ପିଲାଙ୍କ ଶିକ୍ଷା ପାଇଁ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ହକି ଏ ଗାଁର ପରିଚୟ ହୋଇଥିଲେ ହେଁ ଏଠାରେ ହକି ଆଷ୍ଟ୍ରୋଟର୍ଫ ପଡ଼ିଆ ତିଆରି ହେବାକୁ ୧୦ ବର୍ଷ ଲାଗିଗଲା। ୨ ବର୍ଷ ହେଲା ତାହା କାର୍ଯ୍ୟକ୍ଷମ ହୋଇ ପିଲାଙ୍କୁ ପ୍ରଶିକ୍ଷଣ ଦିଆଯାଉଛି।
ଝାଡ଼ଖଣ୍ଡ ଓ ଛତିଶଗଡ଼ ସୀମାନ୍ତରେ ଜିଲ୍ଲାର ଅନ୍ୟତମ ହକି ଗାଁ ଲୁଲୁକିଡିହି। ଦୀପଗ୍ରେସ୍ ଏକ୍କା, ପୂର୍ବତନ ଆଲିମ୍ପିଆନ୍ ପ୍ରବୋଧ ତିର୍କି, ଇଗ୍ନେଶ ତିର୍କିଙ୍କ ଏହି ମାଟି ଆଜି ବି ମୁହଁମାଡ଼ି ପଡ଼ିଛି। ତଳସରାରୁ ଲମଟିଘାଟି ଦେଇ ୩୦ କିଲୋମିଟର ଗଲେ ପଡ଼ୁଥିବା ଏହି ଗାଁ ଛତିଶଗଡ଼ର ତପକରା ଓ ଝାଡ଼ଖଣ୍ଡର ଡୁମେରଡିହିକୁ ଲାଗି ରହିଛି। ଏତେ ସୁନାମ ମଧ୍ୟରେ ଗାଁ ପାଇଁ ଦୁର୍ଭାଗ୍ୟ ହେଲା, ବାହାର ରାଜ୍ୟକୁ ଦାଦନ ଶ୍ରମିକ ଚାଲାଣ। ଝାଡ଼ଖଣ୍ଡ ସିମଡେଗା ଅଞ୍ଚଳରୁ ବାହାରିଥିବା ଉତେଲ ନଦୀପାଣିରେ ଗୋଟିଏ ପଡ଼ା ଚାଷ କରୁଥିବାବେଳେ ପୂରା ଗାଁର ଚାଷ ବର୍ଷା ଉପରେ ନିର୍ଭରଶୀଳ। ଚାଷ ପରେ ହାତ ଖାଲି। ତେଣୁ ଧାନବୁଣା ସରିବା ପରେ ଏ ଅଞ୍ଚଳର ଯୁବକଙ୍କ ଆରମ୍ଭ ହୁଏ ଦାଦନଯାତ୍ରା। ସବୁଠାରୁ ଉଦ୍ବେଗଜନକ ବିଷୟ ହେଲା, ରୋଜଗାର ଆଳରେ ଅଞ୍ଚଳରୁ ଯୁବତୀ ଚାଲାଣ। ଅନ୍ୟପଟେ ଗାଁରେ ପ୍ରଥମରୁ ଅଷ୍ଟମ ଯାଏଁ ଥିବା ପ୍ରାଥମିକ ବିଦ୍ୟାଳୟରେ ମାତ୍ର ୪ ଜଣ ଶିକ୍ଷକ ଥିବାବେଳେ ଉଚ୍ଚବିଦ୍ୟାଳୟରେ କ୍ରୀଡ଼ା ଶିକ୍ଷକ ନାହାନ୍ତି। ବର୍ଷେ ତଳେ ଖୋଲିଥିବା ପଞ୍ଚାୟତ ବ୍ୟାଙ୍କରେ ପ୍ରାୟ ସବୁବେଳେ ତାଲା। ବସ୍ଷ୍ଟପ୍ ଥିବା ଚର୍ଚ୍ଚଛକ ଓ ଗାଁରେ ଷ୍ଟ୍ରିଟ୍ ଲାଇଟ୍ ନାହିଁ। ଲୁଲୁକିଡିହିର ପଡ଼ା ଗାଁ ଯଶମରା ଓ ଜାମଟୋଲି, ଭସଡୁମେର, ରାଖୱାରି, ସରେଟୋଲା, ବାମନିବାହାଲରେ ସବୁବେଳେ ହାତୀ ଭୟ ଲାଗି ରହୁଛି। ତିନି ଅଲିମ୍ପିଆନ୍ଙ୍କୁ ପିଲାଦିନେ ହକି ଶିଖାଇଥିବା ଗାଁ ପଡ଼ିଆ ଏବେ ବି ସେମିତି ଦନ୍ତୁରା ହୋଇ ରହିଛି। ଏଯାଏଁ ଆଷ୍ଟ୍ରୋଟର୍ଫ ହୋଇପାରିନାହିଁ। ଦାଦନ ଚାଲାଣ, ଜଳସେଚନ ସମସ୍ୟାରେ କେବଳ ସଉନାମରା କି ଲୁଲୁକିଡିହି ଯେ ଦହଗଞ୍ଜ ହେଉଛି ତାହା ନୁହେଁ, ଏ ସମସ୍ୟା ପୂରା ତଳସରା ବିଧାନସଭା ନିର୍ବାଚନମଣ୍ଡଳୀର। ହେଲେ ହକି ତାରକାମାନେ ନିଜ ମାଟିର ଏ ସମସ୍ୟା ପ୍ରତି ଉଦାସୀନ। ଚର୍ଚ୍ଚା ହେଉଛି, ଗାଁ ପିଲା ହକିରେ ସୁନାମ ଆଣିଲେ, ହେଲେ ଗାଁ କଥା ଭୁଲିଗଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/05/18/CDnXsGwQ6qX8qh79AWGv.jpg)