ରାଉରକେଲା: ପୁରୁଷ ହକି ବିଶ୍ବକପ ପୂର୍ବରୁ ନିର୍ମିତ ୪୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ହକିର ପ୍ରତୀକ ଷ୍ଟାଚ୍ୟୁ ଢ଼ଳିପଡ଼ିବା ନୂଆ ବିବାଦ ଛିଡ଼ା କରିଛି। ବ୍ୟାପକ ଦୁର୍ନୀତି ସହ ନିମ୍ନମାନର କାର୍ଯ୍ୟ ଯୋଗୁଁ ନିର୍ମାଣର ମାତ୍ର ୫ ମାସ ଭିତରେ ଢ଼ଳି ପଡ଼ିବା ଅଭିଯୋଗ ହେଉଛି। ତେବେ ଦୋଷ ଲୁଚାଇବାକୁ ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ଉଦ୍ୟମ କରିଦେଇଛନ୍ତି ବୋଲି ଆଲୋଚନା ହେଉଛି। କେହି ଦୁର୍ବୃତ୍ତ ଷ୍ଟାଚ୍ୟୁକୁ କାଟିଦେଇଥିବା ଦର୍ଶାଇ ଆର୍‌ଏମ୍‌ସି ପକ୍ଷରୁ ସ୍ଥାନୀୟ ଛେଣ୍ଡ୍‌ ଥାନାରେ ଏତଲା ଦିଆଯାଇଛି। ବାସ୍ତବରେ କିଏ ଷ୍ଟାଚ୍ୟୁ ଭାଙ୍ଗିଛି ନା ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଆପେଆପେ ଭାଙ୍ଗିଯାଇଛି, ତାହା ପ୍ରକୃତ ଅନୁସନ୍ଧାନପରେ ଜଣା ପଡ଼ିବ; କିନ୍ତୁ ସର୍ବଦା ଚଳଚଞ୍ଚଳ ଉକ୍ତ ଅଞ୍ଚଳରେ ଏହାକୁ କେହି କାଟିଥିବ, ତାକୁ ସହରବାସୀ ସହଜରେ ଗ୍ରହଣ କରିପାରିନାହାନ୍ତି।

Advertisment

ଗତକାଲି ଦିନ ପ୍ରାୟ ୧ଟା ୧୫ରେ ରାଉରକେଲାରେ ସାଧାରଣ ଏକ କାଳବୈଶାଖୀ ପବନ ହୋଇଥିଲା। ଏଥିରେ ଏହି ବିଶାଳ ଷ୍ଟାଚ୍ୟୁଟି ଓଲଟିପଡ଼ିଥିଲା। ଷ୍ଟାଚ୍ୟୁର ଗୋଡ଼ ଦୁଇଟି ଭାଙ୍ଗିଯିବାରୁ ଏହି ଢ଼ଳିପଡ଼ିଥିଲା। ଏହି ଘଟଣା ପ୍ରଚାରିତ ହେବାପରେ ସେଠାରେ ସହରବାସୀଙ୍କ ଭିଡ଼ ଜମିଥିଲା। ତେବେ ଆର୍‌ଏମ୍‌ସି କର୍ତ୍ତୃପକ୍ଷ ସଙ୍ଗେସଙ୍ଗେ ଷ୍ଟାଚ୍ୟୁକୁ ଢ଼ାଙ୍କି ଦେଇ ଦୁର୍ବୃତ୍ତ କାଟିଦେଇଥିବା ପ୍ରଚାର କରିଥିଲେ। ତେବେ ଷ୍ଟାଚ୍ୟୁ ଢ଼ଳିବାର ମାତ୍ର କିଛି ସମୟପରେ ନିଆଯାଇଥିବା ଭିଡିଓରେ ଷ୍ଟାଚ୍ୟୁର ଗୋଡ଼କୁ କାଟି ଦିଆଯାଇଥିବାଭଳି କୌଣସି ଚିହ୍ନବର୍ଣ୍ଣ ନଥିଲା। ବିଶେଷଜ୍ଞଙ୍କ କହିବାନୁସାରେ, ଷ୍ଟାଚ୍ୟୁକୁ ଯଦି କଟର୍‌ କିମ୍ବା ଅନ୍ୟ କୌଣସି ମେସିନରେ କଟାଯାଇଥାନ୍ତା, ତା’ହେଲେ ନିଶ୍ଚିତଭାବେ ସେଥିରେ କାଟିବା ଚିହ୍ନ ଦେଖିବାକୁ ମିଳିଥାନ୍ତା।

ସମ୍ଭବତଃ ନିଜର ଦୋଷ ଲୁଚାଇବାକୁ ଦୁର୍ବୃତ୍ତ କାଟିଦେଇଥିବା ଭଳି ସରକାରୀ ସ୍ତରରେ ପ୍ରଚାର ଆରମ୍ଭ ହୋଇଯାଇଥିଲା। ଏନେଇ ଆଜି ଜିଲ୍ଲା ବିଜେପି, ଜିଲ୍ଲା ଯୁବ କଂଗ୍ରେସ ମଧ୍ୟ ଦୁର୍ନୀତି ଓ ନିମ୍ନମାନର କାମ ଯୋଗୁଁ ଢ଼ଳି ପଡ଼ିଥିବା ଅଭିଯୋଗ କରିଛି। ସାମାନ୍ୟ ପବନରେ ଷ୍ଟାଚ୍ୟୁ ଭାଙ୍ଗିବା ପଛରେ ଗୁଢ଼ ରହସ୍ୟ ଲୁଚି ରହିଥିବା ଅଭିଯୋଗକରି ଉପଯୁକ୍ତ ତଦନ୍ତ ଦାବି କରିଛନ୍ତି।

ଆର୍‌ଏମ୍‌ସି ପକ୍ଷରୁ ଦୁର୍ବୃତ୍ତ କାଟିଦେଇଥିବା ଭଳି ଯେଉଁ ସଫେଇ ଦିଆଯାଉଛି, ବାସ୍ତବରେ ତାକୁ ସହଜରେ ଗ୍ରହଣ କରିବା କଷ୍ଟକର। ଏହା ପଛରେ ଏକାଧିକ ଯୁକ୍ତି ବି ରହିଛି। ଏହି ଷ୍ଟାଚ୍ୟୁଟି ବିଶ୍ବର ସର୍ବବୃହତ ଆସନ ବିଶିଷ୍ଟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ଯିବା ରାସ୍ତା ତଥା ରାଉରକେଲା ବିମାନବନ୍ଦର ମୁଖ୍ୟ ଦ୍ବାର ନିକଟରେ ଅବସ୍ଥିତ। ସହରର ଅନ୍ୟତମ ପ୍ରସିଦ୍ଧ ସେଲ୍‌ଫି କର୍ଣ୍ଣରରେ ପରିଣତ ହୋଇଥିବା ଏହି ଷ୍ଟାଚ୍ୟୁ ନିଟକରେ ସକାଳୁ ସନ୍ଧ୍ୟା ଯାଏ ଲୋକଙ୍କ ଭିଡ଼ ଲାଗିରହିଥାଏ। ଏତଦ୍‌ବ୍ୟତୀତ ବିମାନବନ୍ଦରକୁ ମଧ୍ୟ ଯାତ୍ରୀଙ୍କ ଯିବାଆସିବା ଲାଗିରହିଛି। ସ୍ଥାନୀୟ ଛେଣ୍ଡ୍‌, କଳିଙ୍ଗ ବିହାର, ଲେବର ଟେନାମେଣ୍ଟ, ବନପୋଷ, ପ୍ରଧାନପଲ୍ଲୀ, ଟିସ୍କୋ ଆଦି ଅଞ୍ଚଳର ଲୋକ ଏହି ଷ୍ଟାଚ୍ୟୁ ସାମ୍ନା ଦେଇ ଯିବା ଆସିବା କରିଥାନ୍ତି। ଷ୍ଟାଚ୍ୟୁର ପାଖାପାଖି ଅଞ୍ଚଳରେ ବିର୍ସା ମୁଣ୍ଡା ଷ୍ଟାଡିୟମ ଓ ବିମାନବନ୍ଦର ଥିବାରୁ ଅପେକ୍ଷାକୃତ ଅଧିକ ପୁଲିସ ପାଟ୍ରୋଲିଂ ମଧ୍ୟ ରହିଛି। ଏହାସତ୍ତ୍ବେ କେହି ଦୁର୍ବୃତ୍ତ ଷ୍ଟାଚ୍ୟୁକୁ କାଟିଲା କେମିତି? ବାସ୍ତବରେ କାଟିଦିଆଯାଇଛି, ତା’ହେଲେ ସଂପୂର୍ଣ୍ଣଭାବେ ନ କାଟି ଅଧା କାଟି ଦୁର୍ବୃତ୍ତ ଛାଡ଼ିଗଲା କେମିତି? ଢ଼ଳିବାର କିଛି ସମୟପରେ କଟାଯିବାର କୌଣସି ଚିହ୍ନବର୍ଣ୍ଣ ନ ଥିବାବେଳେ ପରବର୍ତ୍ତୀ ସମୟରେ କଟାଯାଇଥିବା ଚିହ୍ନ ଆସିଲା କେମିତି? ଏଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହଲାଣି। ଅବଶ୍ୟ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ଆର୍‌ଏମ୍‌ସି ପକ୍ଷରୁ ଏକ କମିଟି ଗଠନ କରାଯାଇଛି।