ଆଜି ଆସିବେ ହକି ଦଳ, ଭବ୍ୟ ସ୍ବାଗତ ପାଇଁ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ପ୍ରଦର୍ଶନ କରି ୧୪୦ କୋଟି ଭାରତୀୟଙ୍କ ହୃଦୟ ଜିତି ନେଇଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳ ମଙ୍ଗଳବାର ଓଡ଼ିଶା ଆସିବେ। ଏହି ହକି ମହାନାୟକମାନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେବା ଲାଗି ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି। ଦୁଇ ଦଳର ଖେଳାଳି ସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପାଦ ଦେବା ପରେ ସେମାନଙ୍କୁ କଡ଼ା‌ ସୁରକ୍ଷା ଭିତରେ ଦଳୀୟ ହୋଟେଲକୁ ନିଆଯିବ। ବିମାନ ବନ୍ଦରରେ ରାଜ୍ୟ ସରକାରଙ୍କ ବହୁ ବରିଷ୍ଠ ଅଧିକାରୀ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ଖେଳାଳିମାନଙ୍କୁ ସାଦରରେ ପାଛୋଟି ନେବେ।

ପାରମ୍ପରିକ ସ୍ବାଗତ ସମ୍ବର୍ଦ୍ଧନା ପରେ ଖେଳାଳିମାନଙ୍କୁ ବିଶାଳ ପଟୁଆରରେ ହୋଟେଲକୁ ନିଆଯିବ। ଏଥିଲାଗି ରାଜ୍ୟର ବିଭିନ୍ନ ସ୍ଥାନରୁ କଳାକାରମାନେ ଆସିଥିବା ଜଣାପଡ଼ିଛି। ଏଥିନେଇ ରାଜ୍ୟ ସରକାର କୌଣସି ଆନୁଷ୍ଠା‌ନିକ ସୂଚନା ଦେଇ ନଥିଲେ ମଧ୍ୟ ଖେଳାଳିମାନେ ଯେଭଳି ଏହି ସ୍ବାଗତ ସମ୍ବର୍ଦ୍ଧନାକୁ ସବୁ ଦିନ ପାଇଁ ମନେ ରଖିବେ ସେ ବ୍ୟବସ୍ଥା କରାଯାଇଛି ବୋଲି କ୍ରୀଡ଼ା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସ୍ମରଣୀୟ ସଫଳତା ଲାଭ କରିଥିବା ଭାରତୀୟ ଖେଳାଳିମାନେ ମଙ୍ଗଳବାର ପୂର୍ବାହ୍ନରେ ଭୁବନେଶ୍ବର ପହଞ୍ଚିବେ। ଏହା ପରେ ଦଳୀୟ ହୋଟେଲରେ କିଛି ଘଣ୍ଟା ବିଶ୍ରାମ ନେବା ପରେ ଅପରାହ୍ନ ୩ଟାରେ ଗଣମାଧ୍ୟମ ସହ ସ୍ବତନ୍ତ୍ର ଆଲୋଚନା କରିବେ। ଏହା ପରେ କଳିଙ୍ଗ ଷ୍ଟାଡିୟମ୍ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫଟୋ ସେସନ୍‌ରେ ଯୋଗଦେବେ। ସଂଧ୍ୟାରେ ଲୋକସେବା ଭବନ ଯିବେ। ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ସମ୍ବର୍ଦ୍ଧିତ କରିବେ। ଭାରତୀୟ ହକି ଦଳ ପାଇଁ ଓଡ଼ିଶା ଦ୍ବିତୀୟ ଘର ବୋଲି କୁହାଯାଉଥିଲା ବେଳେ ରାଜ୍ୟ ସରକାର ଜାତୀୟ ଦଳର ପ୍ରାୟୋଜକ ଅଛନ୍ତି। ସେହି ଦୃଷ୍ଟିରୁ ଏହି ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବକୁ ରାଜ୍ୟ ହକିପ୍ରେମୀ ମଧ୍ୟ ଚାତକ ଭଳି ଚାହିଁ ରହିଛନ୍ତି। ତେବେ ଏହି ଉତ୍ସବ ଅବସରରେ କରୋନା ନିର୍ଦ୍ଦେଶାବଳୀର କଡ଼ା କଡ଼ି ପାଳନ କରାଯିବ। ଉତ୍ସବରେ ଯୋଗଦେବାକୁ ଥିବା ଅଧିକାରୀଙ୍କ ସହ ଗଣମାଧ୍ୟମ ପ୍ରତିନିଧିଙ୍କର ବି ସୋମବାର ଆର୍‌ଟିପିଆର ଟେଷ୍ଟ୍ କରାଯାଇଛି। କେବଳ ନେଗେଟିଭ୍ ଥିବା ବ୍ୟକ୍ତିଙ୍କୁ ହିଁ ଉତ୍ସବରେ ଯୋଗଦେବାର ସୁଯୋଗ ମିଳିବ। ସୂଚନାଯୋଗ୍ୟ ଯେ ଭାରତୀୟ ପୁରୁଷ ହକି ଦଳ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ (କାଂସ୍ୟ) ଜିତି ଥିଲା ବେ‌ଳେ ତୃତୀୟ ଥର ପାଇଁ ଅଲିମ୍ପିକ୍ସ ଖେଳିଥିବା ମହିଳା ଦଳ ସେମିଫାଇନାଲ୍ ଦଳ ଇତିହାସ ରଚିଛି। ଭାରତୀୟ ପୁରୁଷ ଦଳରେ ଓଡ଼ିଶାର ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଥିଲା ବେଳେ ମହିଳା ଦଳରେ ଦୀପଗ୍ରେସ୍ ଏକ୍କା ଓ ନମିତା ଟପ୍ପୋ ଅଛନ୍ତି। ମଙ୍ଗଳବାର ଉତ୍ସବରେ ଭାରତୀୟ ଅଲିମ୍ପିକ୍ସ ସଂଘ ତଥା ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ନରିନ୍ଦର ବାତ୍ରା, ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ର ନିଙ୍ଗୋମବାମ, ମହାସଚିବ ରାଜୀନ୍ଦର ସିଂହ, କାର୍ଯ୍ୟକାରୀ ନିର୍ଦ୍ଦେଶକ ଆରକେ ଶ୍ରୀବାସ୍ତବ, ଓଡ଼ିଶା ହକିର ବହୁ ପୂର୍ବତନ ଖେଳାଳି, ଅମ୍ପାୟାର ଓ କ୍ରୀଡ଼ା ତାରକା ଯୋଗଦେବା କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର