ହକିପ୍ରେମରେ ମତୁଆଲା : ମଙ୍ଗଳବାର ଉଦ୍ଘାଟନ, ଆସିଗଲେଣି ସବୁ ଦଳ
ଭୁବନେଶ୍ବର : ସୋମବାର ରାତି ପାହିଲେ ହକି ବିଶ୍ବକପ୍ ଉଦ୍ଘାଟନ। ଏଥିପାଇଁ କଳିଙ୍ଗ ହକି ଷ୍ଟାଡିୟମ୍ ଯେତିକି ପ୍ରସ୍ତୁତ ହୋଇଛି, ବଧୂ ବେଶରେ ସଜେଇ ହୋଇଥିବା ରାଜଧାନୀ ଭୁବନେଶ୍ବର ମଧ୍ୟ ସେତିକି ଝଲସୁଛି। ଚାରିଆଡ଼େ ଆନନ୍ଦ ଓ ଉତ୍ସାହ। କେବଳ ରାଜଧାନୀ ନୁହେଁ, ସାରା ଓଡ଼ିଶା ହକି ପ୍ରେମରେ ପାଗଳ। ଅପେକ୍ଷା ମଙ୍ଗଳବାରକୁ।
ଉଦ୍ଘାଟନ ପାଇଁ ୨୭ ତାରିଖରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ୨୮ ତାରିଖରୁ ଆରମ୍ଭ ହୋଇଯିବ ହକି ମହାକୁମ୍ଭ। ଭାଗ ନେଉଛନ୍ତି ୧୬ଟି ଦଳ (ଦେଶ)ର ୨୮୮ ଖେଳାଳି। ଏଥିପାଇଁ ସବୁ ଦଳ ଆସି ଭୁବନେଶ୍ବରରେ ପହଂଚିଗଲେଣି। ହକି ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିବା ଲାଗି କଳିଙ୍ଗ ଷ୍ଟାଡିୟମ ମଧ୍ୟ ପ୍ରସ୍ତୁତ। ୧୯ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ ଡିସେମ୍ବର ୧୬ରେ ଅନୁଷ୍ଠିତ ହେବ।
ନଭେମ୍ବର ୨୭ ତାରିଖ ମଙ୍ଗଳବାର ସଂଧ୍ୟାରେ କଳିଙ୍ଗ ଷ୍ଟାଡିୟମର ମୁଖ୍ୟ ପଡ଼ିଆରେ ଅନୁଷ୍ଠିତ ହେବାକୁ ଯାଉଥିବା ମନୋଜ୍ଞ ଉଦ୍ଘାଟନୀ ଉତ୍ସବକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ, ଉଦ୍ଦୀପନା ଏବଂ ଉତ୍କଣ୍ଠା। ଶାହରୁଖ ଖାନ, ମାଧୁରୀ ଦୀକ୍ଷିତ, ଏଆର ରହେମାନଙ୍କ ସହିତ ବହୁ ସ୍ଥାନୀୟ, ଜାତୀୟ, ଅନ୍ତର୍ଜାତୀୟ କଳାକାରଙ୍କ ଘମାଘୋଟ ସାଂସ୍କୃତିକ କାର୍ଯ୍ୟକ୍ରମ ବି ସେମାନଙ୍କୁ ପାଗଳ ପ୍ରାୟ କରିଦେଇଛି।
ଟିକେଟକୁ ନେଇ ତୀବ୍ର ଅସନ୍ତୋଷ ଭରି ରହିଥିଲେ ବି ଏହା ହକି ଜ୍ବରକୁ ପ୍ରଭାବିତ କରିପାରିନାହିଁ। ଭୁବନେଶ୍ବରଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାରେ ବି ବଡ଼ ପରଦାରେ ଏହାର ସିଧା ପ୍ରସାରଣର ବ୍ୟବସ୍ଥା ହୋଇଛି। ଗୋଟିଏ ଦିନ ପରେ ଅର୍ଥାତ୍ କଳିଙ୍ଗ ହକି କଂପ୍ଲେକ୍ସରେ ଖାସ୍ ହକି ଲଢ଼େଇ ଆରମ୍ଭ ହେବା ଦିନ କଟକ ବାରବାଟୀ ଷ୍ଟାଡିୟମରେ ମଧ୍ୟ ଏକ ବିଶ୍ବକପ୍ ଉତ୍ସବକୁ ଅଧିକ ସଂଗୀତମୟ କରିଦେବେ ରହେମାନ। ଭୁବନେଶ୍ବରରେ ହକି ଆରମ୍ଭ ହେବା ଦିନ କଟକରେ ସଂଗୀତ ଉତ୍ସବ ସହିତ ପ୍ରଥମ ଦିବସର ଦୁଇ ମ୍ୟାଚ୍ (ବେଲଜିୟମ-କାନାଡ଼ା (ସଂଧ୍ୟା ୫) ଏବଂ ଭାରତ-ଦକ୍ଷିଣ ଆଫ୍ରିକା (ରାତି ୭ଟା)କୁ ମଧ୍ୟ ବଡ଼ ପରଦାରେ ସିଧାପ୍ରସାରଣ ଦେଖିବେ।
ସମସ୍ତ ୧୬ ଦେଶ ରବିବାର ସୁଦ୍ଧା ଭୁବନେଶ୍ବରରେ ପାଦ ଥାପି ସାରିଛନ୍ତି। ଅଲିମ୍ପିକ ସ୍ବର୍ଣ୍ଣ ବିଜେତା ଆର୍ଜେଣ୍ଟିନା, ବିଗତ ଦୁଇ ବିଶ୍ବକପ୍ର ବିଜେତା ଅଷ୍ଟ୍ରେଲିଆ, ରିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ବେଲଜିୟମ, ନେଦରଲାଣ୍ଡ ସହିତ ଓଡ଼ିଶା ପ୍ରାୟୋଜିତ ଭାରତ ମଧ୍ୟ ଟ୍ରଫି ଦୌଡ଼ରେ ରହିବେ। ମାନ୍ୟତା ବାହାରୁ କୌଣସି ଦଳ ଶୀର୍ଷ ୩ ଭିତରେ ରହିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ହେବ। ଭାରତ ୪୩ ବର୍ଷ ଧରି ପଦକ ଶୂନ୍ୟ ରହିଛି। ୧୯୭୧ରେ କାଂସ୍ୟ, ୧୯୭୩ରେ ରୌପ୍ୟ ଏବଂ ୧୯୭୫ରେ ସ୍ବର୍ଣ୍ଣ ପଦକ ସହିତ ବିଶ୍ବ ମୁକୁଟ ଜିତିଥିଲା ଭାରତ। ଏହା ପରଠାରୁ ପୂର୍ବ ଗୌରବ ପାଇବାକୁ ସଂଘର୍ଷ କରୁଛି ଭାରତ। ଭୁବନେଶ୍ବରରେ ଭାରତ ପଦକ ପର୍ଯ୍ୟନ୍ତ ପହଞ୍ଚି ପାରିଲେ ଭାରତୀୟ ହକିରେ ଓଡ଼ିଶା ନିଶ୍ଚିତ ନୂଆ ଅଧ୍ୟାୟ ସଂଯୋଗ କରିବ। ଘରୋଇ ମାଟିରେ ପଦକ ଜିତିବାର ଗୌରବ ଅର୍ଜନ କରିବ।
ଭାରତ ତୃତୀୟ ଥର ପାଇଁ ବିଶ୍ବକପ୍ ଆୟୋଜନ କିରୁଛି। ୧୯୮୨ରେ ବମ୍ବେରେ ଏବଂ ୨୦୧୦ରେ ନୂଆଦିଲ୍ଲୀରେ ହୋଇଥିଲା ହକି ବିଶ୍ବକପ୍। ପୂର୍ବ ଭାରତରେ କିନ୍ତୁ ପ୍ରଥମ ଥର ଓଡ଼ିଶା ହୋଇଛି ସଗର୍ବେ ଆୟୋଜକ।