ବିଶ୍ବକପ୍‌ ହକି ସେଲିବ୍ରେସନ : କମ୍ପିଲା ବାରବାଟୀ

ରହେମାନଙ୍କ ସଂଗୀତ, ସଲମାନଙ୍କ ଚମକ

କଟକ : ପ୍ରଥମେ ଓଲିଉଡ କଳାକାରଙ୍କ କମାଲ, ପରେପରେ ଏ.ଆାର. ରହେମାନଙ୍କ ସଂଗୀତର ଯାଦୁ ଏବଂ ବଲିଉଡର ଭାଇଜାନ୍ ସଲମାନ ଖାଁଙ୍କ ଚମକ। ବାରବାଟୀ ଷ୍ଟାଡିୟମରେ ଆୟୋଜିତ ବିଶ୍ବକପ ପୁରୁଷ ହକି ସେଲିବ୍ରେସନ ସଂଧ୍ୟାରେ ଆଣିଥିଲା ରୋମାଞ୍ଚ। ସଂଗୀତର ତାଳେତାଳେ ମତୁଆଲା ହୋଇଥିଲେ ଦର୍ଶକ। ଷ୍ଟାଡିୟମରେ ୩୦ ହଜାରରୁ ଅଧିକ ଦର୍ଶକଙ୍କ କରତାଳିରେ କମ୍ପି ଉଠିଥିଲା ବାରବାଟୀ। ଅଭିନବ ଢଙ୍ଗରେ ମୋବାଇଲ ଫୋନର ଲାଇଟ ଜଳି ଅତିଥି ମାନଙ୍କୁ ସ୍ବାଗତ କରିବା ସହ ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗ ଦେଇ ‘ହକି ବିଶ୍ବକପ୍‌ ଆୟୋଜନକୁ ନେଇ ଆପଣମାନେ ଖୁସି ତ…? ମୁଁ ବହୁତ ଖୁସି ’ ବୋଲି କହିବା ସହ ଭାରତୀୟ ହକି ଦଳକୁ ବିଜୟର ଶୁଭେଚ୍ଛା ଜଣାଇଥିଲେ। ୧୯୭୫ ବିଶ୍ବକପ ପୁରୁଷ ହକିର ଚାମ୍ପିଅନ ଭାରତୀୟ ଦଳର ଖେଳାଳି ମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ପରେ ଏ.ଆର. ରହେମାନ ଏବଂ ସଲମାନ ଖାଁଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଧିତ କରିଥିଲେ।

ସଲମାନ ଖାଁ ଅଳ୍ପ ସମୟ ମଞ୍ଚରେ ରହିଥିଲେ ବି ଦର୍ଶକଙ୍କ ମଧ୍ୟରେ ‌ଉତ୍ସାହ ଭରି ଦେଇଥିଲେ। ‘କଟକର ଆଳୁ ଦମ ଦହିବରା ଖାଇବି… ଏଭଳି ଏକ ସୁନ୍ଦର ଜାଗାକୁ ମୁଁ ଆଗରୁ କାହିଁକି ଆସିଲି ନାହିଁ, କଟକ ନିଆରା ଭାଇଚାରାର ପ୍ରତୀକ ବୋଲି ମଞ୍ଚରେ ସଲମାନ ଖାଁ କହିବା ସହ ଓଡ଼ିଆରେ ‘କଟକର ଭାଇ ଭଉଣୀ ମାନଙ୍କୁ ନମସ୍କାର, ବାଲିଯାତ୍ରା କେମିତି ଚାଲିଛି, ଜୟ ଜଗନ୍ନାଥ’ କହିବା ବେଳେ ଦର୍ଶକ ଛିଡା ହୋଇ ଜୋରଦାର କରତାଳି ଦେଇ ତାଙ୍କୁ ସ୍ବାଗତ କରିଥିଲେ।

ସଲମାନ ମଧ୍ୟ କେତୋଟି ହିନ୍ଦୀ ଗୀତର ପଦ ଗାଇ ଦର୍ଶକଙ୍କ ମନୋରଂଜନ କରିଥିଲେ। ଏ ଆର‌୍‌ ରହେମାନ ମଧ୍ୟ ଏ ନାଦାନୀ ପରିନ୍ଦେ… ଘର‌୍‌ ଆ…., ମୁଲ୍ଲା ଆଲ୍ଲା… ସୁଭାନ ଆଲ୍ଲା… ଲେଲା ଓ ଲେଲା…, ଦିଲ୍‌ ସେ ରେ, ରଂଗୀଲା ରେ… ଏବ˚ ତେରେ ବିନା ବେସୁଆଦି ବେସୁଆଦି ରାତିଆଁ…ଭଳି ସୁପରହିଟ ଗୀତ ଗାଇ ଦର୍ଶକଙ୍କ ମନୋରଂଜନ କରିଥିଲେ।

ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ ସ୍ବାଗତ ଭା‌ଷଣ ପ୍ରଦାନ କରିଥିବା ବେଳେ କ୍ରୀଡା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଅଭିନେତା କୁନା ତ୍ରିପାଠୀ ଓ ଉପସ୍ଥାପିକା ସୁଲଗ୍ନା ରାଉତରାୟ ମଞ୍ଚ ପରିଚାଳନା କରିଥିଲେ। ଅଭିନେତା ସାଂସଦ ଅନୁଭବ ମହାନ୍ତି, ଅଭିନେତା ଅରିନ୍ଦମ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଥିଲେ। ବହୁ ବିଶିଷ୍ଟ ବ୍ୟକ୍ତି ଷ୍ଟାଡିୟମରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପଭୋଗ କରିଥିଲେ।

ସମ୍ବନ୍ଧିତ ଖବର