ରାଉରକେଲା : ବିର୍ସା ମୁଣ୍ଡା ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ବିଶ୍ବକପ୍ର ନିଜ ନିଜ ପ୍ରଥମ ମ୍ୟାଚ୍କୁ ଜିତିଥିବା ଉଭୟ ଭାରତ ଓ ଇଂଲଣ୍ଡ ଦଳର ମନୋବଳ ଉଚ୍ଚରେ। ରବିବାର ସନ୍ଧ୍ୟାରେ ବିଶ୍ବ ରାଙ୍କିଂ ତାଲିକାର ୫ମ ସ୍ଥାନରେ ଥିବା ଇଂଲଣ୍ଡ ଓ ଷଷ୍ଠ ସ୍ଥାନରେ ଥିବା ଭାରତ ମୁହାଁମୁହିଁ ହେବେ। ଗ୍ରୁପ୍ ଡି’ର ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ବେଶ୍ ଗୁରୁତ୍ବ ବହନ କରେ। ଏହି ମ୍ୟାଚ୍କୁ ଜିତି ଗ୍ରୁପ୍ର ଶୀର୍ଷ ସ୍ଥାନ ଦଖଲ କରି ନକ୍ଆଉଟ୍ ପାଇଁ ଯୋଗ୍ୟତା ପାଇବାକୁ ଉଭୟ ଦଳ ପ୍ରାଣପଣେ ଚେଷ୍ଟା କରିବେ। କାରଣ ପରବର୍ତ୍ତୀ ମ୍ୟାଚ୍ରେ ଉଭୟ ଦଳ ଅପେକ୍ଷାକୃତ କମ୍ ଶକ୍ତିଶାଳୀ ଦଳ ବିପକ୍ଷରେ ଖେଳିବେ। ଗ୍ରୁପ୍ର ଶୀର୍ଷ ସ୍ଥାନ ଦଖଲକାରୀ ଦଳ ସିଧାସଳଖ କ୍ବାର୍ଟର ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହେବ।
ୱେଲ୍ସ ବିପକ୍ଷରେ ଏକତରଫା ଭାବେ ୫-୦ ଗୋଲ୍ରେ ବିଜୟୀ ହୋଇଥିବା ଇଂଲଣ୍ଡକୁ ପରାସ୍ତ କରିବା ଆୟୋଜକ ଭାରତ ପାଇଁ ଏତେଟା ସହଜ ହୋଇନପାରେ। ପୂର୍ବ ମ୍ୟାଚ୍ରେ ପଲ୍ ରେଭିଙ୍ଗଟନଙ୍କ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ପେନାଲଟି କର୍ଣ୍ଣର୍କୁ ଗୋଲ୍ରେ ସଫଳ ରୂପାୟନ ହିଁ ଇଂଲଣ୍ଡକୁ କିଛି ମାତ୍ରାରେ ଆଗୁଆ ରଖିଛି। ତେବେ ନିଜ ମାଟିରେ ଖେଳୁଥିବାରୁ ଭାରତୀୟ ଦଳ ଉତ୍ସାହିତ ରହିଛି। ଏତଦ୍ବ୍ୟତୀତ ମାଟିର ପୁଅ ଅମିତ ରୋହିଦାସ ଓ ନୀଲମ ସଞ୍ଜୀପ ଖେସ ପ୍ରଥମ ମ୍ୟାଚ୍ରେ ଚିତ୍ତାକର୍ଷକ ପ୍ରଦର୍ଶନ କରି ସମସ୍ତଙ୍କର ଆଖିର ତାରା ପାଲଟିଯାଇଛନ୍ତି। ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ଦର୍ଶକଙ୍କ ସମର୍ଥନ ହିଁ ପୂର୍ବ ପ୍ରଦର୍ଶନ ଦୋହରାଇବାକୁ ଉଭୟଙ୍କୁ ଖୋରାକ୍ ଯୋଗାଇବ। ଉଭୟ ଦଳର ଖେଳାଳି ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି।
ଏଣୁ ରବିବାର ମ୍ୟାଚ୍ରେ ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା କ୍ଷୀଣ। ଏହି ମ୍ୟାଚ୍ରେ ମୁଖ୍ୟତଃ ତିନି ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିବ। ସେମାନେ ହେଉଛନ୍ତି ଭାରତର ଅମିତ ରୋହିଦାସ ଓ ମିଡ୍ଫିଲ୍ଡର ହାର୍ଦ୍ଦିକ ସିଂହ ଏବଂ ଇଲଂଣ୍ଡର ଲିଆମ୍ ଆନସେଲ୍। ସ୍ପେନ୍ ବିପକ୍ଷ ମ୍ୟାଚ୍ରେ ଦଳ ଯେଉଁ ଦୁଇ ଗୋଲ୍ ସ୍କୋର୍ କରିଥିଲା; ତାହା ଅମିତ ଓ ହାର୍ଦ୍ଦିକଙ୍କ ଷ୍ଟିକ୍ରୁ ଆସିଥିଲା। ପ୍ରଥମ ଗୋଲ୍ ଦେଇ ଅମିତ ଦଳକୁ ଆଗୁଆ କରିବା ପରେ ଦ୍ବିତୀୟ ଗୋଲ୍ ଦେଇ ହାର୍ଦ୍ଦିକ ସ୍ଥିତି ସୁଦୃଢ଼ କରିଥିଲେ। ବିଶେଷକରି ପଡ଼ିଆରେ ବଲ୍ ସହ ବେଶ୍ ଦ୍ରୁତ ଥିବା ହାର୍ଦ୍ଦିକ ପ୍ରତିପକ୍ଷଙ୍କ ଚିନ୍ତା ବଢ଼ାଇବାରେ ସକ୍ଷମ। ନିଶ୍ଚିତ ଭାବେ ଇଂଲଣ୍ଡ କୋଚ୍ ଓ ଖେଳାଳିଙ୍କ ଟାର୍ଗେଟ୍ରେ ହାର୍ଦ୍ଦିକ ରହିବେ। ଅପରପକ୍ଷରେ ଇଂଲଣ୍ଡ୍ ଫରୱାର୍ଡ୍ ଲିଆମ ଆନସେଲ ଭାରତ ପାଇଁ ସମସ୍ୟା ସୃଷ୍ଟି କରିବାର ସର୍ବାଧିକ ସମ୍ଭାବନା ରହିଛି। ୱେଲ୍ସ ବିପକ୍ଷ ମ୍ୟାଚ୍ରେ ଲିଆମ୍ ଦୁଇଟି ପେନାଲଟି କର୍ଣ୍ଣର୍କୁ ସଫଳତାର ସହ ଗୋଲ୍ରେ ପରିଣତ କରିଥିଲେ। ଭାରତୀୟ ରକ୍ଷଣଭାଗ ଯଦି ଏନେଇ ସ୍ବତନ୍ତ୍ର ଧ୍ୟାନ ନ ଦିଅନ୍ତି; ତାହେଲେ ଲିଆମ ହିଁ କ୍ଷତିକାରକ ସାବ୍ୟସ୍ତ ହେବେ।
ରବିବାର ମ୍ୟାଚ୍ ପାଇଁ ଉଭୟ ଦଳ ଶନିବାର ଦିନ କଡ଼ା ଅଭ୍ୟାସ କରିଛନ୍ତି। ଷ୍ଟାଡିୟମ ପାଖରେ ଥିବା ଅଭ୍ୟାସ ପଡ଼ିଆରେ ଶନିବାର ଦିନ ଉଭୟ ଦଳର ଖେଳାଳିଙ୍କ ଝାଳବୁହା ଅଭ୍ୟାସ ଦେଖିବାକୁ ମିଳିଥିଲା। ସନ୍ଧ୍ୟାରେ ଅଭ୍ୟାସ ପଡ଼ିଆକୁ ଓହ୍ଲାଇଥିଲା ହରମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ଭାରତୀୟ ଦଳ। ଶନିବାର ଦିନ ଦଳ ନିଜ ନିଜ ଭିତରେ ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳିଥିଲା। ସେହିଭଳି ଇଂଲଣ୍ଡ ମଧ୍ୟ ପୂର୍ବାହ୍ନରେ ଅଭ୍ୟାସ କରିଥିଲେ।