ହକି ମହାକୁମ୍ଭ ଉଦଘାଟନୀ ଉତ୍ସବ: ଧକ୍‌ଧକ୍‌ ଗର୍ଲ ମାଧୁରୀଙ୍କ ନୃତ୍ୟରେ ଝୁମିଲେ ଓ ଏ.ଆର୍‌.ରହମାନଙ୍କ ଗୀତରେ ମତୁଆଲ୍‌ ହେଲେ ଦର୍ଶକ

ଭୁବନେଶ୍ୱର: ୧୮ଦିନ, ୩୬ ମ୍ୟାଚ ଓ ୨,୫୨୦ ମିନିଟ୍‌ର ହକି ନେଇ ଆରମ୍ଭ ହୋଇଛି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହକି ମହାକୁମ୍ଭ- ବିଶ୍ୱକପ୍‌ ହକି ପ୍ରତିଯୋଗିତା।

ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେଉଛି ବିଶ୍ୱ କପ୍‌ ହକି। ଏହା ସୃଷ୍ଟି କରିଛି ନୂଆ ଇତିହାସ। ଓଡ଼ିଶାକୁ ବିଶ୍ୱ କ୍ରୀଡାମାନଚିତ୍ରରେ ଦେଇଛି ଏକ ଉଲ୍ଲେଖନୀୟ ସ୍ଥାନ। ଭାରତୀୟ ହକିର ଅନ୍ତୁଡିଶାଳରେ କ୍ରୀଡା ନୈପୁଣ୍ୟ ପ୍ରଦର୍ଶିତ କରିବେ ବିଶ୍ୱର ଶ୍ରେଷ୍ଠ ହକି ତାରକା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୧୮ବର୍ଷର ଶାସନ କାଳରେ ଏହି ଅନ୍ତର୍ଜାତୀୟ କ୍ରୀଡା ମହାକୁମ୍ଭ ଏକ ବିଶେଷ ଉପଲବ୍ଧି, ଏଥିରେ ଦ୍ୱିମତ ନାହିଁ।

ଅତ୍ୟନ୍ତ ବର୍ଣ୍ଣାଢ଼୍ୟ ପରିବେଶରେ,ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଆରମ୍ଭ ହୋଇଛି ହକି ମହାକୁମ୍ଭ। ଆଉ ଉଦ୍‌ଘାଟନୀ ସମାରୋହକୁ ଆକର୍ଷଣୀୟ କରିଛି ବଲିଉଡ୍‌ ତାରକାଙ୍କ ଆକର୍ଷଣୀୟ ଉପସ୍ଥାପନା। କିଙ୍ଗଖାନ୍‌ ଶାହରୁଖଙ୍କ ପରେ ଉଦଘାଟନୀ ମଞ୍ଚରେ ନୃତ୍ୟ ମାଧ୍ୟମରେ ଦର୍ଶକଙ୍କ ମନଜିଣିଛନ୍ତି ଧକ୍‌ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ।

ଅନ୍ତର୍ଜାତୀୟ କୋରିଓଗ୍ରାଫର ସମକ ଦାଭର୍‌ଙ୍କ ନୃତ୍ୟ ନିର୍ଦ୍ଦେଶନାରେ ମାଧୁରୀ ‘ମଦର ଆର୍ଥ’ ବା ‘ମା ବସୁଧା’ ଭୂମିକାରେ ଅବତୀର୍ଣ୍ଣ ହୋଇ ପୃଥିବୀର ପରିବେଶ ସୁରକ୍ଷା ଉପରେ ନୃତ୍ୟ ପ୍ରସ୍ତୁତ କରିଥିଲେ। ଏହାପରେ ମାଧୁରୀ ନିଜ ନୃତ୍ୟ ଉପସ୍ଥାପନାରେ ହକି ଏକ ଜନଜାତିର ଖେଳ ବୋଲି ଉଲ୍ଲେଖ କରିଥିଲେ। ଏଥିସହ ସେ ଭାରତ ଏକ ସୀମାବଦ୍ଧ ଭୂଖଣ୍ଡ ନୁହେଁ, ଏକ ବିଚାରଧାରା ଓ ଆଦର୍ଶ ବୋଲି ଦର୍ଶାଇ ଥିଲେ। ମାଧୁରୀଙ୍କ ସହ ୧୧୦୦ କଳାକାର ନୃତ୍ୟ କରିଥିଲେ। ଏହା ସମସ୍ତଙ୍କ ମନ ଜିଣିଥିଲା। ମାଧୁରୀ ବିଭିନ୍ନ ପୋଷାକରେ ସଜ୍ଜିତ ହୋଇ ଦିଶୁଥିଲେ ଖୁବ୍‌ ଆକର୍ଷଣୀୟ।

ଉଦ୍‌ଘାଟନୀ ଉତ୍ସବର ଶେଷ ଆକର୍ଷଣ ଥିଲେ ଗ୍ରାମୀ ପୁରସ୍କାର ବିଜେତା ସଙ୍ଗୀତଜ୍ଞ ଏ.ଆର୍‌,ରହମାନ୍‌ । ରହମାନ୍‌ ଓ ତାଙ୍କ ସହ-କଳାକାରମାନଙ୍କ ମନଛୁଆଁ ଗୀତରେ ଝୁମି ଉଠିଥିଲେ ଦର୍ଶକ। ତାଙ୍କର ପ୍ରତିଟି ଉପସ୍ଥାପନା ପରେ କରତାଳିରେ ଫାଟି ପଡ଼ୁଥିଲା ଉଦ୍‌ଘାଟନୀ ସମାରୋହ।

ଏ.ଆର୍‌.ରହମାନ୍‌ ପ୍ରଥମେ ‘ଦିଲ୍‌ ସେ ’ ଫିଲ୍ମର୍‌ ‘ଦିଲ ସେରେ..’ ଗୀତରୁ କାର୍ଯ୍ୟକ୍ରମ ଆରମ୍ଭ କରି ପରେ ପରେ ‘ରୋଜା’ ଫିଲ୍ମର ‘ଦିଲ୍‌ ହୈ ଛୋଟା ସା…’, ‘ବମ୍ବେ’ ଫିଲ୍ମର ‘ହୋ ଗଏ ହମ୍‌ ଔର ତୁମ୍‌ ..’, ସ୍ୱାଧୀନତାର ୫୦ ବର୍ଷ ପୂର୍ତ୍ତି ଅବସରରେ ପ୍ରସ୍ତୁତ ‘ ମା ତୁଝେ ସଲାମ୍‌…ବନ୍ଦେ ମାତରମ୍‌’, ‘ସ୍ଲମ୍‌ ଡଗ୍‌ ମିଲିିୟନାୟର’ର ‘ଜୟ ହୋ..’ ପରିବେଷଣ କରି ଉପସ୍ଥିତ ୪୦ ହଜାର ଦେଶୀ-ବିଦେଶୀ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଶେଷରେ ସେ ହକି ବିଶ୍ୱକପ୍‌ର ଆନ୍ଥେମ୍‌ ‘ଜୟ ହିନ୍ଦ ହିନ୍ଦ..ଜୟ ଇଣ୍ଡିଆ..’ ପରିବେଷଣ କରି ମାହୋଲ୍‌କୁ ଜମାଇ ଦେଇଥିଲେ।

ସମ୍ବନ୍ଧିତ ଖବର