ଭୁବନେଶ୍ବର : ଆସନ୍ତା ବର୍ଷ ଜାନୁଆରି ୧୩ତାରିଖରୁ ଭୁବନେଶ୍ବର ଓ ରାଉରକେଲାରେ ପୁରୁଷ ହକି ବିଶ୍ବକପ୍ ଆରମ୍ଭ ହେବାକୁ ଯାଉଥିବା ବେଳେ ରାଜ୍ୟ ସରକାର ଜୋରଦାର୍ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ହକି ବିଶ୍ବକପ୍ ସମୟରେ ବିଭିନ୍ନ ମ୍ୟାଚ୍ ଓ ଅଭ୍ୟାସ ପାଇଁ ରାଉରକେଲା ଓ ଭୁବନେଶ୍ବର ମଧ୍ୟରେ ଖେଳାଳି ଯାତାୟତ କରିବେ। ଖେଳାଳିଙ୍କ ସୁରକ୍ଷା ଓ ସ୍ବଳ୍ପ ସମୟରେ ଯାତାୟତ ପାଇଁ ରାଜ୍ୟ ସରକାର ତିନିଟି ଟର୍ବୋ ପ୍ରପ୍ ଏଟିଆର୍ ୭୨ ଏୟାରକ୍ରାଫ୍ଟ ଭଡ଼ାରେ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ଖେଳାଳିଙ୍କ ଯାତାୟତ ପାଇଁ ରାଜ୍ୟ ସରକାର ବିମାନ ଭଡ଼ା ବାବଦକୁ ପ୍ରାୟ ୭କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି।
ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହକି ବିଶ୍ବକପ୍ ଜାନୁଆରି ୧୩ରୁ ଆରମ୍ଭ ହେଉଥିଲେ ହେଁ ଏହା ପୂର୍ବରୁ ବିଭିନ୍ନ ଦେଶର ଖେଳାଳି, ସହଯୋଗୀ ଷ୍ଟାଫ୍ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଯାତାୟତ ପାଇଁ ତିନିଟି ଏୟାରକ୍ରାଫ୍ଟ ଭଡ଼ାରେ ଆସିବ। ଜାନୁଆରି ୭ରୁ ଖେଳାଳିଙ୍କ ଅଭ୍ୟାସ ମ୍ୟାଚ୍ ଆରମ୍ଭ ହେବାକୁ ଥିବାରୁ ସେମାନଙ୍କୁ ଭୁବନେଶ୍ବରରୁ ରାଉରକେଲାକୁ ନେବା ଆଣିବା ପାଇଁ ଏହାକୁ ବ୍ୟବହାର କରାଯିବ। ବର୍ତ୍ତମାନ ସୁଦ୍ଧା ରାଉରକେଲା ବିମାନବନ୍ଦରକୁ ବିମାନ ଚଳାଚଳ ଆରମ୍ଭ ହୋଇନଥିବାରୁ ରାଜ୍ୟ ସରକାର ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ବିମାନ ବୁକିଂ କରିବେ। ଏନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଯେଉଁ ସଂସ୍ଥା କମ୍ ଭଡ଼ାର ବିଡିଂ ଡାକିବ ତାକୁ ଚୟନ କରାଯିବ। ସମସ୍ତ ପ୍ରକ୍ରିୟା ଡିସେମ୍ବର ଦ୍ବିତୀୟ ସପ୍ତାହ ସୁଦ୍ଧା ଶେଷ ହେବ।
ରାଉରକେଲାରୁ ଭୁବନେଶ୍ବର ମଧ୍ୟରେ ଜାନୁଆରି ୭ରୁ ୨୯ତାରିଖ ମଧ୍ୟରେ ପ୍ରାୟ ୪୩ଥର ବିମାନ ଯାତାୟତ କରିବ। ଥରକେ ରାଜ୍ୟ ସରକାର ପ୍ରାୟ ୧୬ଲକ୍ଷ ଟଙ୍କା ଭଡ଼ା ଆକାରରେ ଗଣିବେ। ଏହି ୭୦ ସିଟ୍ ବିଶିଷ୍ଟ ବିମାନରେ ଥରକେ ୩୫ରୁ ୪୦ଜଣ ଯାତ୍ରୀ ଏବଂ ସେମାନଙ୍କ କିଟ୍ ଯିବ।
କ୍ରୀଡ଼ା ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଉରକେଲାରେ ହେବାକୁ ଥିବା ଅଭ୍ୟାସ ମ୍ୟାଚ୍ ଓ ଟୁର୍ଣ୍ଣାମେଣ୍ଟ ମ୍ୟାଚ୍କୁ ନଜରରେ ରଖି ଜାନୁଆରି ୭, ୮, ୧୦, ୧୬, ୧୭, ୧୮, ୨୧, ୨୩, ୨୪, ୨୭ ଓ ୨୯ତାରିଖରେ ଏହି ବିମାନ ଯାତାୟତ କରିବ। ଅଧିକାଂଶ ଦିନ ଦୁଇଟି ବିମାନ ଯାତାୟତ କରିବାକୁ ଥିବାବେଳେ ୨୯ତାରିଖର ୩ଟି ବିମାନ ଆବଶ୍ୟକ ଅଛି। ରାଉରକେଲାକୁ ଯାତାୟତ ନେଇ ସମସ୍ୟା ଥିବାରୁ ବିଶ୍ବକପ୍ର ଅଧିକାଂଶ ନକ୍ଆଉଟ୍ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଆୟୋଜନ କରାଯାଇଛି।
କେବଳ ବିମାନ ଭଡ଼ା ନୁହେଁ, ରାଜ୍ୟ ସରକାର ଆଗାମୀ ହକି ବିଶ୍ବକପ୍ ପାଇଁ ୧୦୯୮କୋଟି ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି। ଏଥିରେ ରାଉରକେଲାରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଏବଂ କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ଓ ଉନ୍ନତୀକରଣ ପାଇଁ ୮୭୫କୋଟି ୭୮ଲକ୍ଷ, ରହିବା ପାଇଁ କୋଠା ବାବଦକୁ ୮୪କୋଟି ୮ଲକ୍ଷ, ରାଉରକେଲାରେ ପାରିପାର୍ଶ୍ବିକ ଉନ୍ନତୀକରଣ ପାଇଁ ୧୦କୋଟି ୫୦ଲକ୍ଷ, କଳିଙ୍ଗ ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ରେ ସିନ୍ଥେଟିକ୍ ଟର୍ଫ ବିଛାଇବା ପାଇଁ ୧୭କୋଟି ୫୦ଲକ୍ଷ, କଳିଙ୍ଗ ଷ୍ଟାଡିୟମରେ ଫ୍ଲଡ୍ ଲାଇଟ୍ ଲଗାଇବାକୁ ୫କୋଟି ୩୯ଲକ୍ଷ, ବିପିୟୁଟି କ୍ୟାମ୍ପସରେ ସୁଇମିଂ ପୁଲ୍ ପାଇଁ ୯କୋଟି ୧୫ଲକ୍ଷ, ବିର୍ସା ମୁଣ୍ଡା ଷ୍ଟାଡିୟମରେ ବିଦ୍ୟୁତ କାମ ପାଇଁ ୧୩କୋଟି, କଳିଙ୍ଗ ଷ୍ଟାଡିୟମ ୱେଷ୍ଟ ଷ୍ଟାଣ୍ଡର ସମ୍ପ୍ରସାରଣ ପାଇଁ ୮କୋଟି, ଭେନ୍ୟୁ ପରିଚାଳନା, ରହଣୀ, ପରିବହନ, ବ୍ରାଣ୍ଡିଂ, ଗଣମାଧ୍ୟମରେ ପ୍ରଚାରପ୍ରସାର ପାଇଁ ୭୫କୋଟି ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି।
ସୂଚନାଯୋଗ୍ୟ ଯେ, ୨୦୧୮େର ହୋଇଥିବା ପୁରୁଷ ହକି ବିଶ୍ବକପ୍ ପାଇଁ ରାଜ୍ୟ ସରକାର ଭେନ୍ୟୁ ପରିଚାଳନା, ରହଣୀ, ପରିବହନ, ବ୍ରାଣ୍ଡିଂ, ଗଣମାଧ୍ୟମରେ ପ୍ରଚାରପ୍ରସାର ପାଇଁ ୬୭କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏଥର ରାଉରକେଲାରୁ ଭୁବନେଶ୍ବର ମଧ୍ୟରେ ଖେଳାଳିଙ୍କ ଯାତାୟତ ପାଇଁ ଏହା ବାବଦକୁ ଅଧିକ ୮କୋଟି ବ୍ୟୟ ବରାଦ ହୋଇଛି।