ରାଉରକେଲା: ଜାନୁଆରି ୧୩ରୁ ୨୮ ତାରିଖ ପର୍ଯ୍ୟନ୍ତ ରାଉରକେଲାରେ ପୁରୁଷ ହକି ବିଶ୍ବକପ୍ ମ୍ୟାଚ୍ ଖେଳାଯାଇଥିଲା। ବିଶ୍ବକପ ମ୍ୟାଚ୍ ଆୟୋଜନ ପାଇଁ ରାଉରକେଲାରେ ମାତ୍ର ୧୫ ମାସ ଭିତରେ ସର୍ବାଧିକ ଆସନ ବିଶିଷ୍ଟ ବିଶ୍ବର ସର୍ବବୃହତ ‘ବିର୍ସା ମୁଣ୍ଡା ହକି ଷ୍ଟାଡିୟମ’ ନିର୍ମାଣ କରାଯାଇଥିଲା। କେବଳ ଏତିକି ନୁହେଁ, ଶତାଧିକ କୋଟି ଟଙ୍କା ବ୍ୟୟକରି ବିଶ୍ବକପ୍ ହକି ଗ୍ରାମ, ଅଭ୍ୟାସ ପଡ଼ିଆ ସମେତ ସହରରେ ଏକାଧିକ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ସ୍ଥାପନ କରାଗଲା। ଚଳାପଥରେ ଫାବର୍ ବ୍ଲକ ଖଞ୍ଜାଯିବା ସହ ରାସ୍ତା ମଝିରେ ଚାରା ରୋପଣ, ପୁଣି ରିଂ ରୋଡ୍ ସାରା ଅତ୍ୟାଧୁନିକ ଆଲୋକ ବ୍ୟବସ୍ଥା, ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମ, ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମ, ୪୦ ଫୁଟ ଉଚ୍ଚତା ବିଶିଷ୍ଟ ହକିର ପ୍ରତୀକ ‘ହକି ଷ୍ଟାଚ୍ୟୁ’, ସୁଉଚ୍ଚ ପାଚେରି ଆଦି ନିର୍ମାଣ କରାଯାଇଥିଲା। ନିର୍ମାଣକୁ ୬ ମାସ ବିତିନି; ଏବେ କିନ୍ତୁ ଗୋଟିଏପରେ ଗୋଟିଏ ପ୍ରକଳ୍ପ ଭୁଶୁଡ଼ିବାରେ ଲାଗିଛି। ଇତିମଧ୍ୟରେ ହକି ଷ୍ଟାଚ୍ୟୁ, ପାଚେରୀ, ଫାବର୍ ବ୍ଲକ ସବୁ ଭୁଶୁଡ଼ିସାରିଲାଣି। ଆଗାମୀ ଦିନରେ ସ୍ଥିତି ଆହୁରି ସଙ୍ଗୀନ ହେବାର ଆଶଙ୍କା ଦେଖାଦେଇଛି। ଅତ୍ୟନ୍ତ ତରବରିଆ ଓ ନିମ୍ନମାନର କାମ ତଥା ବ୍ୟାପକ ଦୁର୍ନୀତି ହିଁ ଏହାର ମୁଖ୍ୟ କାରଣ ପାଲଟିଥିବା ଅଭିଯୋଗ ହେଲାଣି। ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଖୋଲାଖୋଲି ବହୁମାତ୍ରାରେ ଦୁର୍ନୀତି ଅଭିଯୋଗ କରିବାସହ ନିରପେକ୍ଷ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅପରପକ୍ଷରେ ରାଉରକେଲା ପ୍ରଶାସନ କିନ୍ତୁ ଅଭିଯୋଗକୁ ଗୁରୁତର ସହ ନ ନେଇ ଅବହେଳା ଢ଼ାଙ୍କିବାକୁ ପ୍ରୟାସ ଆରମ୍ଭ କରିଦେଇଛି।
ନିର୍ମାଣର ୩ ମାସ ପରେ ଭାଙ୍ଗିବା ଆରମ୍ଭ
ବାସ୍ତବରେ ନିର୍ମାଣ ପାଖାପାଖି ତିନି ମାସ ପରେ, ଅର୍ଥାତ୍ ମାର୍ଚ୍ଚ ମାସରୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ନବନିର୍ମିତ ଫୁଟପାଥ୍ର ଟାଇଲ୍ ସବୁ ଭାଙ୍ଗିବା ଆରମ୍ଭ ହୋଇଥିଲା। କେଉଁଠି ଟାଇଲ୍ ଦବି ଯାଇଥିବାବେବେଳ କେଉଁଠି ଭାଙ୍ଗିଯାଇଥିଲା। ଏମିତିକି ସହରର ବିଭିନ୍ନ ରାସ୍ତା କଡ଼ରେ ଥିବା କାନ୍ଥ, ଛକରେ ଅଙ୍କନ କରାଯାଇଥିବା ବିଭିନ୍ନ ଚିତ୍ରରୁ ରଙ୍ଗ ଛାଡ଼ିବା ଆରମ୍ଭ ହୋଇଯାଇଥିଲା। ଏମିତିକ ନିର୍ଦ୍ଦିଷ୍ଟ କେତୋଟି ସ୍ଥାନରେ ଚିତ୍ର ସଂପୂର୍ଣ୍ଣ ଲିଭିଯାଇଥିଲା। ତେବେ ଏପ୍ରିଲ ୧୩ରେ ପ୍ରଥମଥର ପାଇଁ ନିମ୍ନମାନର କାମ ପଦାରେ ପଡ଼ିଯାଇଥିଲା। ଉକ୍ତ ଦିନ ସହରରେ ସାମାନ୍ୟ ବର୍ଷା ହୋଇଥିଲା। ଏଥିରେ ନବନିର୍ମିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ଗେଟ୍ ନଂ-୨ ସମ୍ମୁଖସ୍ଥ ରାସ୍ତା ଦବି ଯାଇଥିଲା। ରାସ୍ତାର ଏକ ବଡ଼ ଅଂଶ ଦିବିଯିବାରୁ ଏହାର ମାନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତେବେ ରାଉରକେଲା ପ୍ରଶାସନ କିନ୍ତୁ ଅଭିଯୋଗକୁ ଖଣ୍ଡନ କରିଥିଲା।
ଭାଙ୍ଗିଲା ବିଶାଳ ହକି ଷ୍ଟାଚ୍ୟୁ
ଜୁନ ୧୧ରେ ସଂଘଟିତ ଘଟଣା ରାଉରକେଲା ପ୍ରଶାସନର ଅବହେଳାକୁ ଉନ୍ମୋଚିତ କରିଥିଲା। ଉକ୍ତ ଦିନ ପ୍ରାୟ ୧ଟା ୧୫ରେ ଘୂର୍ଣ୍ଣିଝଡ଼ ହୋଇଥିଲା। ଏଥିରେ ପ୍ରାୟ ୪୦ ଫୁଟ ଉଚ୍ଚତା ବିଶିଷ୍ଟ ହକିର ପ୍ରତୀକ ‘ହକି ଷ୍ଟାଚ୍ୟୁ’ଟି ଭାଙ୍ଗିଯାଇଥିଲା। ପ୍ରକାଶଥାଉକି, ବିର୍ସା ମୁଣ୍ଡା ଷ୍ଟାଡିୟମ ଗେଟ୍ ନମ୍ବର-୨କୁ ଯିବା ରାସ୍ତାରେ ସ୍କ୍ରାପ୍ରେ ଏକ ବିଶାଳ ଷ୍ଟାଚ୍ୟୁ ନିର୍ମାଣ କରାଯାଇଥିଲା। ଏହାକୁ ଜଣେ ବ୍ୟକ୍ତି ଷ୍ଟିକ୍ ଧରି ଖେଳୁଥିବାର ଆକାର ଦିଆଯାଇଥିଲା। ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ପ୍ରାୟ ଅଧା ଏକର ଜମିରେ ଷ୍ଟାଚ୍ୟୁ ସହ ପାର୍କ ନିର୍ମାଣ କରାଯାଇଥିଲା। ଷ୍ଟାଚ୍ୟୁ ନିର୍ମାଣ ପାଇଁ ୩୦ ଲକ୍ଷ ୬୮ ହଜାର ଟଙ୍କା ଏବଂ ଆଲୋକସଜ୍ଜା, ରେଲିଂ ବ୍ୟବସ୍ଥା, ପାର୍କ ଆଦି ପାଇଁ ପାଖାପାଖି ୫୦ ଲକ୍ଷ ଟଙ୍କା ବ୍ୟୟ କରା ଯାଇଥିଲା। ଭୁବନେଶ୍ବରର ସଂସ୍ଥା ‘ଇମାଜେରୀ’ ଏହାକୁ ନିର୍ମାଣ କରିଥିଲା। ୨୦୨୨ ମସିହା ସେପ୍ଟେମ୍ବର ୯ ତାରିଖରେ ଏହି ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଥିଲା ଓ ୩ ମାସ ଭିତରେ ଷ୍ଟାଚ୍ୟୁର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଜାନୁଆରି ୭ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ଷ୍ଟାଚ୍ୟୁକୁ ଅନାବରଣ କରିଥିଲେ। କିନ୍ତୁ ଅନାବରଣ ହେବାର ମାତ୍ର ୫ ମାସ ଭିତରେ ଷ୍ଟାଚ୍ୟୁ ଭାଙ୍ଗିଯାଇଥିଲା। ଦୋଷ ସ୍ବୀକାର କରିବା ପରିବର୍ତ୍ତେ ରାଉରକେଲା ପ୍ରଶାସନ କେହି ଦୁର୍ବୃତ୍ତ ଷ୍ଟାଚ୍ୟୁକୁ କାଟି ଦେଇଥିବା ଅଭିଯୋଗ ଆଣିଥିଲେ। ଏମିତିକି ଛେଣ୍ଡ୍ ଥାନାରେ ଏତଲା ବି ଦିଆଯାଇଥିଲା।
ମାଟିରେ ମିଶିଲା ପାଚେରୀ
ରାଉରକେଲା ବିମାନବନ୍ଦର ରାସ୍ତାରେ ହକି ଷ୍ଟାଚ୍ୟୁଠାରୁ ମାତ୍ର ୫୦ ମିଟର ଦୂରତାରେ ୮ ଫୁଟ ଉଚ୍ଚତା ବିଶିଷ୍ଟ ପାଚେରୀ ନିର୍ମାଣ କରାଯାଇଥିଲା। ବେଶ୍ କିଛି ଦିନ ହେଲା ଏହା ଫାଟି ଆଁ କରିଥିଲା। ସାମାନ୍ୟ ବର୍ଷା ହେଲେ ଯେ କୌଣସି ସମୟରେ ଭାଙ୍ଗିବାର ଆଶଙ୍କା ବି କରାଯାଉଥିଲା। ଗତ ୫ ତାରିଖରେ ତାହା ହିଁ ଘଟିଥିଲା। ରାତି ପ୍ରାୟ ସାଢ଼େ ୧୦ଟାରେ ଅସରାଏ ବର୍ଷା ହେବାରୁ ପାଚେରୀ ଭାଙ୍ଗିଯାଇଥିଲା। ପ୍ରାୟ ୩୦ ଫୁଟ୍ ଲମ୍ବର ପାଚେରୀ ମାଟିରେ ମିଶିଯିବାପରେ ନିର୍ମାଣକାର୍ଯ୍ୟର ମାନ ଧରାପଡ଼ିଯାଇଥିଲା। ପ୍ରକୃତରେ ପାଚେରୀ ନିର୍ମାଣ ସମୟରୁ ହିଁ ମାନକୁ ଧ୍ୟାନ ଦିଆଯାଇନଥିଲା। ସଂପୂର୍ଣ୍ଣ ମାଟି ଉପରେ ହିଁ ପାଚେରୀକୁ ନିର୍ମାଣ କରାଯାଇଥିଲା। ପରେ ସାମାନ୍ୟ ବର୍ଷା ହେବାରୁ ମାଟି ଖସିବା ସହ ପାଚେରୀ ବି ଧସିଯାଇଥିଲା। ବିଡ଼ମ୍ବନା ଏହା ଯେ, ଏବେ ପାଚେରୀ ପୁନଃନିର୍ମାଣ ନ କରି କେବଳ ମରାମତି କରାଯାଉଛି। ଆରମ୍ଭରୁ ମାଟି ଖୋଳି ନିର୍ମାଣ କରିବା ବଦଳରେ ଯେଉଁଠି ଭାଙ୍ଗିଛି, ସେଠାରୁ ନିର୍ମାଣ କରାଯାଉଛି। ଏଣୁ ଏହାର ସ୍ଥାୟୀତ୍ବ ନେଇ ଏବେଠୁ ସନ୍ଦେହ ଜାତ ହେଲାଣି।
ବିର୍ସା ମୁଣ୍ଡା ଷ୍ଟାଡିୟମରେ ପାଣି ଗଳୁଛି
କେବଳ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ ନୁହେଁ; ବରଂ ବିର୍ସା ମୁଣ୍ଡା ଷ୍ଟାଡିୟମର ମାନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଲାଣି। ଆଉ ପ୍ରଶ୍ନବାଚୀ ସୃଷ୍ଟି ହେବା ପଛରେ ଅନେକ ନ୍ୟାଯ୍ୟ ଯୁକ୍ତି ରହିଛି। ସାମାନ୍ୟ ବର୍ଷା ହେଲେ ଷ୍ଟାଡିୟମ ଛାତରୁ ପାଣି ଗଳୁଛି। ଗ୍ୟାଲେରିରେ ପାଣି ମଧ୍ୟ ଜମି ରହୁଛି। ଗତ ୨୨ ତାରିଖରେ ଷ୍ଟାଡିୟମରେ ଜାତୀୟ କନିଷ୍ଠ ବାଳକ ହକି ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ ଚାଲିଥିବାବେଳେ ବର୍ଷା ହୋଇଥିଲା। ଏହି ବର୍ଷା ହିଁ ଷ୍ଟାଡିୟମର ମାନକୁ ପଦାରେ ପକାଇ ଦେଇଥିଲା। ଷ୍ଟାଡିୟମ ଭିତରକୁ ପଶିବାକୁ ଭିଭିଆଇପିମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଗେଟ୍ ରହିଛି। ସାମାନ୍ୟ ବର୍ଷା ହେଲେ ଏହି ଗେଟ୍ ପାଖରେ ହିଁ ଅନବରତ ପାଣି ଗଳୁଛି। ସେହିଭଳି ଉକ୍ତ ଗେଟ୍ ଦେଇ ପଡ଼ିଆ ଭିତରକୁ ଯିବା ରାସ୍ତାର ଗୋଟିଏ ସ୍ଥାନରେ ମଧ୍ୟ ପାଣି ଗଳୁଛି। ଏତଦ୍ବ୍ୟତୀତ ପଶ୍ଚିମ ଷ୍ଟାଣ୍ଡ୍ ଗ୍ୟାଲେରିରେ ବର୍ଷା ଜଳ ନିଷ୍କାସିତ ହୋଇନପାରି ଜମି ରହୁଛି। ମିଡିଆ ଗ୍ୟାଲେରି ସମ୍ମୁଖସ୍ଥ ଷ୍ଟାଣ୍ଡ୍ ଓ ତା’ ତଳକୁ ଥିବା ଷ୍ଟାଣ୍ଡ୍ରେ ବହୁମାତ୍ରାରେ ପାଣି ଜମି ରହୁଛି। ପ୍ରଥମ ମହଲାର ବର୍ଷା ପାଣି ଗଳି ଅପର୍ ଗ୍ରାଉଣ୍ଡ୍ ଚଟାଣରେ ପ୍ରବାହିତ ହୋଇ ନଦୀର ଭ୍ରମ ସୃଷ୍ଟି କରୁଛି। ସେହିଭଳି ପାନପୋଷ ହକି ଛକରେ ୧୧ କୋଟି ୬୦ ଲକ୍ଷରେ ନିର୍ମିତ ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମରେ ମଧ୍ୟ ପାଣି ଗଳୁଛି। ଭିତରେ ଥିବା ଏସି ଓ ଆଲୋକ ବ୍ୟବସ୍ଥା ମଧ୍ୟ ଠିକ୍ ଢ଼ଙ୍ଗରେ କାମ କରୁନି। ସେହିଭଳି ପ୍ରାୟ ୧୭ କୋଟି ଟଙ୍କା ବ୍ୟୟରେ ହୋଇଥିବା ପାନ୍ଥନିବାସ ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଅତ୍ୟନ୍ତ ନିମ୍ନ ମାନର ହୋଇଛି। ପାନ୍ଥନିବାସରେ ମଧ୍ୟ ଏବେ ପାଣି ଗଳୁଛି।
ଧୋଇଗଲା ଫାବର୍ ବ୍ଲକ
ସହରର ରିଂ ରୋଡ୍ ସମେତ ବିଭିନ୍ନ ଅଞ୍ଚଳରେ ଥିବା ପ୍ରମୁଖ ରାସ୍ତା କଡ଼ରେ ଚଳାପଥ ନିର୍ମାଣ କରାଯାଇଥିଲା। ଏଥିରେ ପ୍ରାୟ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ଫାବର୍ ବ୍ଲକ ବିଛାଯାଇଥିଲା। କିନ୍ତୁ ମୌସୁମୀ ଜନିତ ବର୍ଷା ଯୋଗୁଁ ଏହା ଏବେ ଧୋଇହୋଇଗଲାଣି। କେଉଁଠି ଧସିଗଲାଣି ତ କେଉଁଠି ଭାଙ୍ଗିଲାଣି, ପୁଣି କେଉଁଠି ଦବି ଯାଇଛି। ମୁଖ୍ୟତଃ ସ୍ପେସ୍ ଛକରୁ ହନୁମାଟ ବାଟିକା ଯାଏ ୪ କିଲୋମିଟର ବିଶିଷ୍ଟ ରାସ୍ତା କଡ଼ରେ ଫାବର୍ ବ୍ଳକ ବିଛା ଯାଇଥିଲା। ଏତଦ୍ବ୍ୟତୀତ ପାନପୋଷରୁ ଉଦିତନଗର, ଛେଣ୍ଡ୍ ଛକରୁ ବିଏସ୍ଏନଏଲ୍ ଛକ ସମେତ ବାସନ୍ତୀକଲୋନି, ସିଭିଲ ଟାଉନସିପ୍ ଆଦି ଅଞ୍ଚଳରେ ବିଛା ବିଛାଯାଇଥିବା ଫାବର୍ ବ୍ଲକର ସ୍ଥିତି ମଧ୍ୟ ସମାନ।
ଉପୁଡ଼ିଗଲା କୋଟି ଟଙ୍କାର ଗଛ
ସ୍ମାର୍ଟ ସିଟି ପକ୍ଷରୁ ପ୍ରାୟ ୧୨ କୋଟି ଅନୁଦାନରେ ସହରର ବିଭିନ୍ନ ଅଞ୍ଚଳରେ ଚଳାପଥ ନିର୍ମାଣ ଓ ରାସ୍ତା ମଝିରେ ବୃକ୍ଷରୋପଣ କରାଯାଇଥିଲା। ଉଦ୍ଦେଶ୍ୟଥିଲା, ରାସ୍ତାର ସୌନ୍ଦର୍ଯ୍ୟ ବୃଦ୍ଧି କରିବା। କିନ୍ତୁ ଏଥିରେ ଆରମ୍ଭରୁ ଦୁର୍ନୀତି ଦେଖିବାକୁ ମିଳିଥିଲା। ୨୦୨୨ ଜୁଲାଇ ୧୬ ତାରିଖରେ ପାନପୋଷ ଛକରୁ ଉଦିତନଗର ଏସ୍ପି କାର୍ଯ୍ୟାଳୟ ଛକ ପର୍ଯ୍ୟନ୍ତ, ପାଖାପାଖି ୨୪ ଲକ୍ଷ ବ୍ୟୟକରି ୩ ହଜାରଟି ଏରିକା ପାମ୍ ଗଛ ଲଗାଯାଇଥିଲା। କିନ୍ତୁ ଗଛ ଲଗାଇବାର ଦିନକ ପରେ ଏହା ଭାଙ୍ଗି ପଡ଼ିଥିଲା। ଏନେଇ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶିତ ହେବାପରେ ପୁନର୍ବାର ନୂଆ ଗଛ ଲଗାଯାଇଥିଲା। ଭିଏସ୍ଏସ୍ ମାର୍କେଟ୍ରୁ କଳିଙ୍ଗବିହାର ବିଏସଏନଏଲ ଛକ ପର୍ଯ୍ୟନ୍ତ ପ୍ରାୟ ୮ କୋଟି ଅନୁଦାନରେ ରାସ୍ତା ନିର୍ମାଣ, ଫୁଟପାଥ୍, ରାସ୍ତା ମଝିରେ ଗଛ ଲଗାଯିବା ସହ ଅନ୍ୟାନ୍ୟ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ହାତକୁ ନିଆଯାଇଥିଲା। ଏଠାରେ ଲାଗିଥିବା ଗଛର ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ବାସ୍ତବରେ ରାସ୍ତା ମଝିରେ ଅପେକ୍ଷାକୃତ ଅଧିକ ଦାମ୍ର ଓ ଖୋଲା ପରିବେଶ ଅନୁକୂଳ ଫକ୍ସଟେଲ୍ ପାମ୍ ଗଛ ଲଗାଯିବା କଥା। କିନ୍ତୁ ଅର୍ଥ ହଡ଼ପ ଯୋଜନା କରି କମ୍ ଦରର ଏରିକା ପାମ୍ ଗଛ ଲଗାଯାଇଥିଲା। ଫଳରେ ମାତ୍ର କେଇଦିନପରେ ସବୁ ଗଛ ମରିଯାଇଥିଲା।