ଭୁବ‌ନେଶ୍ବର : ପୁରୁଷ ହକି ବିଶ୍ବକପ୍‌ ଦେଖିବା ଲାଗି ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ବ୍ୟାପକ ଆୟୋଜନ କରାଯାଇଛି। କ୍ୟାମ୍ପସରେ ବଡ଼ ଏଲ୍‌ସିଡି ସ୍କ୍ରିନ୍‌ ଲଗାଯିବ। ଏଥିରେ ଉଦ୍‌ଘାଟନୀ ଉତ୍ସବଠାରୁ ଆରମ୍ଭ କରି ପ୍ରତିଟି ମ୍ୟାଚ୍‌ ଓ ଉଦ୍‌ଯାପନୀ ଉତ୍ସବ ପ୍ରସାରିତ ହେବ। ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ରହୁଥିବା ଛାତ୍ରଛାତ୍ରୀ କ୍ୟାମ୍ପସରେ ରହି ହକି ଖେଳର ମଜା ନେଇପାରିବେ। ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ମୁଖ୍ୟମାନଙ୍କୁ କୁହାଯାଇଛି।

Advertisment

ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ଯେ ଜାନୁଆରି ୧୧ରୁ ୨୯ ମଧ୍ୟରେ ହକି ବିଶ୍ବକପ୍‌ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ତେଣୁ ପ୍ରତିଯୋଗିତା ସମୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହକି ସ୍ପିରିଟ୍‌ ଆଣିବା ଦିଗରେ ପଦକ୍ଷେପ ନିଅନ୍ତୁ। କ୍ୟାମ୍ପସର ପ୍ରମୁଖ ସ୍ଥାନରେ ବିଶାଳ ସ୍କ୍ରିନ୍‌ ଲଗାଇ ସେଠାରେ ହକି ମ୍ୟାଚ୍‌ଗୁଡ଼ିକ ପ୍ରଦର୍ଶିତ କରାଯାଉ। ଏଥିସହ ହକି ଖେଳ ଦେଖିବା ଲାଗି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବାକୁ ବି କୁହାଯାଇଛି। କିଛି ନ ହେଲେ ଜାନୁଆରି ୧୧ର ଉଦ୍‌ଘାଟନୀ ଉତ୍ସବ, ୧୩ର ଉଦ୍‌ଘାଟନୀ ମ୍ୟାଚ୍‌ ଓ ଜାନୁଆରି ୨୯ରେ ଅନୁଷ୍ଠିତ ହେବାକୁ ଥିବା ଫାଇନାଲ୍‌ ମ୍ୟାଚ୍‌ ଦେଖିବାକୁ ପିଲାମାନଙ୍କୁ କୁହାଯାଇପାରିବ। ଏଥିସହ ଭାରତ ଖେଳିବାକୁ ଥିବା ମ୍ୟାଚ୍‌ଗୁଡ଼ିକ ଦେଖିବାକୁ ବି ପରାମର୍ଶ ଦିଆଯାଇଛି। ରାଜ୍ୟ ସରକାରଙ୍କ ଦ୍ବାରା ଆୟୋଜିତ ଏହି ବିଶ୍ବକପ୍‌ ସମ୍ପର୍କରେ ଛାତ୍ରଛାତ୍ରୀ ଯେପରି ସାମାଜିକ ଗଣମାଧ୍ୟମରେ ଅଧିକ ସଂଖ୍ୟାରେ ଭାଗନେଇ ନିଜର ମତପ୍ରକାଶ କରିପାରିବେ, ସେ ଦିଗରେ ବି ଗୁରୁତ୍ବ ଦେବାକୁ ଶିକ୍ଷାନୁଷ୍ଠାନଗୁଡ଼ିକୁ କୁହାଯାଇଛି। ଏହାବ୍ୟତୀତ କ୍ୟାମ୍ପସରେ ବଡ଼ ଲୋଗୋ ଲଗାଇବା, ପୋଷ୍ଟର ପ୍ରଦର୍ଶନ ଓ ହକି ବିଶ୍ବକପ୍‌କୁ ଦୃଷ୍ଟିରେ ରଖି କିଛି ନିଆରା କାର୍ଯ୍ୟକ୍ରମ କରିବାକୁ ବିଶ୍ବବିଦ୍ୟାଳୟ କୁଳପତି ଓ ମହାବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ ପରାମର୍ଶ ଦିଆଯାଇଛି।