ସମ୍ବଲପୁର: ହକି ବିଶ୍ବ କପ୍ ଟ୍ରଫି ମଙ୍ଗଳବାର ରାତି ୯ଟା ୩୦ରେ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟରେ ପହଞ୍ଚିଛି। ଟ୍ରଫି ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ ପହଞ୍ଚିଥିଲେ ବି ଶହଶହ ଛାତ୍ରଛାତ୍ରୀ, ଶିକ୍ଷକ, କ୍ରୀଡ଼ାପ୍ରେମୀ ଓ ସାଧାରଣ ଲୋକ ଟ୍ରଫି ଦେଖିବା ପାଇଁ ଶୀତରେ ଭିସୁଟ୍‌ ମୁଖ୍ୟ ତୋରଣ ସମ୍ମୁଖରେ ଅପେକ୍ଷା କରି ରହିଥିଲେ। ଟ୍ରଫି ପହଞ୍ଚିବା ପରେ ବାଦ୍ୟ, ନୃତ୍ୟ ସହ ଏହାକୁ ସ୍ବାଗତ କରା ଯାଇଥିଲା। ଟ୍ରଫି ସହ ଫଟୋ ଉଠାଇବା ପାଇଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଥିଲା।

Advertisment

ଟ୍ରଫିକୁ ଜିଲ୍ଲା ପ୍ରଶାସନ ଓ ଭିସୁଟ୍‌ର ଅଧିକାରୀଗଣ ବିଜୁ ପଟ୍ଟନାୟକ ଇ-ଲର୍ନିଂ ସେଣ୍ଟର୍‌କୁ ପାଛୋଟି ନେଇଥିଲେ। ସେଠାରେ ଭିସୁଟ୍‌ କୁଳପତି ପ୍ର. ବଂଶୀଧର ମାଝୀ ଟ୍ରଫିକୁ ଔପଚାରିକ ସ୍ବାଗତ କରିବା ସହ ଏହି ବିଶ୍ବ କପ୍ ବିଶ୍ବ ଦରବାରରେ ଓଡ଼ିଶାର ମର୍ଯ୍ୟାଦା ବୃଦ୍ଧି କରିବ ବୋଲି କହିଥିଲେ। ଏହି ଅବସରରେ ନାଚ, ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ରାଜ୍ୟ କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ବାଦଲ ମହାନ୍ତି ଟ୍ରଫି ସହ ଆସିଥିବାବେଳେ ଏଠାରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ଦିଲୀପ ବଳ, ଏସ୍‌ଏମ୍‌ସି କମିସନର୍‌ ପ୍ରଦୀପ ସାହୁ, ସଦର ତହସିଲଦାର ଲକ୍ଷ୍ମଣ ଅମାତ, ପ୍ରବର୍ତ୍ତନ ଅଧିକାରୀ ଶୁଭଙ୍କର ମହାନ୍ତି ପ୍ରମୁଖ ଟ୍ରଫିିକୁ ସ୍ବାଗତ କରିଥିଲେ।

publive-image

ସେହିପରି ଭିସୁଟ୍‌ର କୁଳସଚିବ ପ୍ରଦୀପ ଡାଙ୍ଗ, ସମସ୍ତ ଡିନ୍‌, ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସ୍ମରଣୀୟ କରିଥିଲେ। ରାତିରେ ଟ୍ରଫି ସମ୍ବଲପୁର ସର୍କିଟ୍‌ ହାଉସରେ ରାତ୍ର ରହଣି କରିଥିଲା। ବୁଧବାର ସକାଳେ ଏହି ଟ୍ରଫି ସମ୍ବଲପୁର ସହରରେ ପ୍ରଦର୍ଶିତ ହେବ। ଏଠାରେ ମିନି ମାରାଥନ, ଫୁଟବଲ୍‌ ଓ ହକି ମ୍ୟାଚ୍‌ ସମେତ ବିଭିନ୍ନ କାର୍ଯକ୍ରମ ଆୟୋଜନ କରାଯାଇଛି।