ସମ୍ବଲପୁର: ଭୁବନେଶ୍ବର ଓ ରାଉରକେଲା ସହରରେ ଆସନ୍ତା ୧୩ ତାରିଖ ଠାରୁ ହକି ବିଶ୍ବକପ୍‌ ଆରମ୍ଭ ହୋଇଛି। ଏହି ଅବସରରେ ହକି ବିଶ୍ବକପ୍‌ ଟ୍ରଫି ସବୁ ଜିଲ୍ଲା ଭ୍ରମଣ କରୁଛି। ମଙ୍ଗଳବାର ରାତି ଏହି ଟ୍ରଫି ସମ୍ବଲପୁର ବୁର୍ଲା ପହଞ୍ଚିଥିବା ବେଳେ ଆଜି ସମ୍ବଲପୁର ସହରରେ ଏହାକୁ ଭବ୍ୟ ସ୍ବାଗତ କରାଯାଇଛି। ବୁଧବାର ସକାଳ ସାଢ଼େ ୭ଟାରେ ମନ୍ଦଲିଆ ପଡ଼ିଆରେ ସହସ୍ରାଧିକ ସହରବାସୀ ଉପସ୍ଥିତ ରହି ବିଶ୍ବକପ୍‌ ଟ୍ରଫିକୁ ସ୍ବାଗତ କରିଥିଲେ। ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ସମେତ ଏସ୍‌ପି ବି. ଗଙ୍ଗାଧର, ଏସ୍‌ଏମ୍‌ସି କମିସନର୍‌ ପ୍ରଦୀପ ସାହୁ, ଆରଟିଓ ରାମଦାସ ଟୁଡୁ, ଜିଲ୍ଲା ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ, ମୁଖ୍ୟ ଉନ୍ନୟନ ଅଧିକାରୀ ଦିଲ୍ଲୀପ ବଳ ପ୍ରମୁଖ ଉପସ୍ଥିତ ରହି ବିଶ୍ବକପ୍‌ ଟ୍ରଫିକୁ ସ୍ବାଗତ କରିଥିଲେ।

Advertisment

ଘଣ୍ଟେ ବିଳମ୍ବରେ ଆରମ୍ଭ ହେଲା ମାରାଥନ୍‌

publive-image

ସମ୍ବଲପୁର ମହାନଗର ନିଗମ(ଏସ୍‌ଏମ୍‌ସି)ର ଅଧିକାରୀ ପ୍ରେମ ପାଇଁ ବୁଧବାର ଘଣ୍ଟେ ବିଳମ୍ବରେ ମନ୍ଦଲିଆରୁ ୪ସି ପଡ଼ିଆ ପର୍ଯ୍ୟନ୍ତ ମିନି ମାରାଥନ୍‌ ଆରମ୍ଭ ହୋଇଥିଲା। ମାରାଥନ୍‌ ପାଇଁ ସାଢ଼େ ୬ଟା ସମୟ ଦିଆଯାଇଥିବା ବେଳେ ୭ଟା ୪୦ରେ ଜିଲ୍ଲାପାଳ ଓ ଏସ୍‌ପି ପତାକା ଦେଖାଇ ମାରାଥନ୍‌ର ଶୁଭାରମ୍ଭ କରିଥିଲେ। ପ୍ରଥମେ ପୁରୁଷ ଓ ତାପରେ ମହିଳାଙ୍କୁ ସବୁଜ ପତାକା ଦେଖାଇ ମାରାଥନ୍‌ ଶୁଭାରମ୍ଭ କରାଯାଇଥିଲା। ପୁରୁଷ ବର୍ଗରେ ଆକାଶ ମିର୍ଦ୍ଧା ବିଜେତା ହୋଇଥିବା ବେଳେ ଆନସେଲେନ୍‌ ଲୁଗୁନ ପ୍ରଥମ ରନର୍ସଅପ୍‌ ଓ ରୋସନ ବେହେରା ଦ୍ବିତୀୟ ରନର୍ସଅପ୍‌ ହୋଇଥିଲେ। ସୁମନ୍ତ ମିର୍ଦ୍ଧା, ପଵନ ଯାଦବ ଓ ସମିତ ମିର୍ଦ୍ଧା ସାନ୍ତ୍ବନା ମୂଳକ ପୁରସ୍କାର ପାଇଥିଲେ। ସେଭଳି ମହିଳା ବର୍ଗରେ ଅମ୍ବିକା ଡିଲା ବିଜେତା ହୋଇଥିବା ବେଳେ ସୋନିଆ କୁଜୁର ଓ ସାଇନା ପରବିନ୍‌ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ରନର୍ସଅପ୍‌ ହୋଇଥିଲେ। ରିନ୍‌ଶା ଯାଦବ, ନିତୁ କେଵତ ଓ ଜାନକୀ ଓରାମ ସାନ୍ତ୍ବନା ମୂଳକ ପୁରସ୍କାର ପାଇଥିଲେ। ପୁରଷ ବିଜେତାଙ୍କ ମଧ୍ୟରୁ ୫ ଜଣ (ଆନ୍‌ସେଲେନ୍‌ଙ୍କ ବ୍ୟତୀତ) ଓ ମହିଳା ବିଜେତାଙ୍କ ମଧ୍ୟରୁ ସାଇନା ପରବିନ୍ ଏବଂ ନିତୁ କେୱତ ସମ୍ବଲପୁର ଆଥ୍‌ଲେଟିକ୍‌ କ୍ଲବ୍‌ର ସଦସ୍ୟ ହୋଇଥିବାରୁ ଏହାର ପ୍ରତିଷ୍ଠାତା ସୁନ୍ଦରମଣି ବାରିକ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ।

ମା’ ସମଲେଶ୍ବରୀଙ୍କ ମନ୍ଦିରେ ପୂଜାର୍ଚ୍ଚନା

ମନ୍ଦଲିଆ ପଡ଼ିଆରୁ ହକି ବିଶ୍ବକପ୍‌ ଟ୍ରଫି ମା’ ସମଲେଶ୍ବରୀଙ୍କ ମନ୍ଦିରକୁ ଆସିଥିଲା। ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁଙ୍କ ଟ୍ରଫିକୁ ସ୍ବାଗତ କରିଥିଲେ। ମା’ ସମଲେଶ୍ବରୀଙ୍କ ମନ୍ଦିର ନିକଟରେ ଟ୍ରଫିକୁ ପୂଜାର୍ଚ୍ଚନା କରାଯାଇଥିଲା।

କମିସନର୍‌ କଲୋନି ପଡ଼ିଆରେ ହକି ମ୍ୟାଚ୍‌

ମା’ ସମଲେଶ୍ବରୀଙ୍କ ମନ୍ଦିରରୁ ଟ୍ରଫି କମିସନର୍‌ କଲୋନି ପଡ଼ିଆକୁ ଆଶିଥିଲା। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସେଠାରେ ଏକ ହକି ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ମାରାଥନ୍‌ ବିଜେତାଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ପଡ଼ିଆରେ ଏକ ଦସ୍ତଖତ ଅଭିଯାନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ବିଶ୍ବକପ୍‌ ଟ୍ରଫି ସହ ଫଟୋ ଉଠାଇବା ପାଇଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଥିଲା।

ରଜତ ଓ ସୁନିତାଙ୍କୁ ସମ୍ମାନ

ବୁଧବାର ହକି ବିଶ୍ବ କପ୍‌ ଟ୍ରଫିର ସମ୍ବଲପୁର ପରିକ୍ରମା ସମୟରେ ଜିଲ୍ଲାର ଦୁଇ ପ୍ରତିଭାବାନ ହକି ଖେଳାଳି ରଜତ ମିଞ୍ଜ ଓ ସୁନିତା ଲୁଗୁନ୍‌ଙ୍କୁ କମିସନର୍‌ ‌କଲୋନି ପଡ଼ିଆଠାରେ ମଞ୍ଚକୁ ଡକା ଯାଇଥିଲା। ସମ୍ବଲପୁର ଜିଲ୍ଲାର ପ୍ରଥମ ଅନ୍ତର୍ଜାତୀୟ ଖେଳାଳି ରଜତ ମିଞ୍ଜ ବର୍ତ୍ତମାନ ଦିଲ୍ଲୀଠାରେ ସାଇର ଜାତୀୟ ତାଲିମ ଶିବିରରେ ଅଛନ୍ତି ଓ ନିକଟରେ ଦାଦନରୁ ଫେରି ଅଧିନାୟିକା ପାଲଟିଥିବା ସୁନିତା ଲୁଗୁନ ଜାତୀୟସ୍ତରର ହକି ଖେଳିଥିଲେ ବୋଲି ସହିଦ ମାଧୋ ସିଂହ ହକି ଏକାଡେମିର ସଂପାଦକ ଲକ୍ଷ୍ମୀଧର ମହାନ୍ତି ପରିଚିତ କରାଇଥିଲେ।

ଜିଏମ୍‌ୟୁରେ ଉତ୍ସବର ମାହୋଲ

publive-image

କମିସନର୍‌ କଲୋନି ପଡ଼ିଆରୁ ଡ. ପ୍ରଦୋଷ ଆଚାର୍ଯ୍ୟଙ୍କ ତତ୍ତ୍ବାବଧାନରେ ଏକ ସାଇକେଲ୍‌ ରାଲି ସହ ବିଶ୍ବକପ୍‌ ଟ୍ରଫି ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ(ଜିଏମ୍‌ୟୁ)ରେ ଦିନ ୧୦ଟା ୨୫ରେ ପହଞ୍ଚିଥିଲା। ଏହାପରେ ଜିଏମ୍‌ୟୁରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା। ଜିଏମ୍‌ୟୁର କୁଳପତି ପ୍ର. ଏନ୍‌ ନାଗରାଜୁ, କୁଳସଚିବ ଯୁଗଳେଶ୍ବରୀ ଦାଶ, ଉପ କୁଳସଚିବ ଡ. ଉମାଚରଣ ପତିଙ୍କ ସମେତ ସହସ୍ରାଧିକ ଛାତ୍ରଛାତ୍ରୀ ୨ଟି ଲମ୍ବା ଧାଡ଼ିରେ ବିଶ୍ବକପ୍‌ ଟ୍ରଫିକୁ ସ୍ବାଗତ କରିଥିଲେ। ଏହି ଅବସରରେ ଜିଏମ୍‌ୟୁ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତା’ପରେ ବିଶ୍ବକପ୍‌ ଟ୍ରଫି ରମ୍ପେଲାକୁ ଯାଇଥିଲା।