୫ ମହାନଗର ନିଗମରେ ପାଳନ ହେବ ହକି ବିଶ୍ବକପ୍‌ ଉତ୍ସବ

ରାଉରକେଲାରେ ଆରମ୍ଭ ହେବ ନିୟମିତ ବିମାନସେବା, ପ୍ରାଥମିକ ପର୍ଯ୍ୟାୟରେ ଚାଲିବ ୧୦୦ ମୋ’ ବସ୍‌

ଭୁବନେଶ୍ବର : ଆସନ୍ତାବର୍ଷ ଭୁବନେଶ୍ବର ଏବଂ ରାଉରକେଲାରେ ହେବାକୁ ଯାଉଥିବା ହକି ପୁରୁଷ ବିଶ୍ବ କପ୍ ଅବସରରେ ଐତିହାସିକ କଟକ ବାରବାଟୀ ଷ୍ଟାଡିୟମ୍‌ ସମେତ ୫ ମହାନଗର ନିଗମ (ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର)ରେ ହକି ବିଶ୍ବକପ୍‌ ଉତ୍ସବ ପାଳନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିରେ ବିଶ୍ବକପ୍ ପ୍ରତିଯୋଗିତା ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରାଯିବା ସହ ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଦେଇଥିବା ସୂଚନା ମୁତାବକ, କଟକ ବାରବାଟୀ ଷ୍ଟାଡିୟମ୍‌ ସମେତ ୫ ମହାନଗର ନିଗମ (ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର)ରେ ହକି ବିଶ୍ବକପ୍‌ ଉତ୍ସବ ପାଳନ କରାଯିବ। ଓଡ଼ିଶାର ଅଧିକାଂଶ ଜିଲ୍ଲା ସହ ସାରା ଦେଶରେ ଏହି ହକି ବିଶ୍ବକପ୍‌ ଟ୍ରଫି ପ୍ରଦର୍ଶନ ଶୋଭାଯାତ୍ରା ଆୟୋଜନ କରାଯିବ। ଏହି ସମୟରେ ଜିଲ୍ଲାସ୍ତରରେ ବିଭିନ୍ନ ପ୍ରକାର ଉତ୍ସବର ଆୟୋଜନ କରାଯିବ। ସ୍କୁଲ ଓ କଲେଜ ପିଲାମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ। ଶିଶୁମାନଙ୍କ ସମେତ ସମସ୍ତଙ୍କ ଭିତରେ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ପଦକ୍ଷେପ ନିଆଯିବ।

ରାଉରକେଲା ବିମାନବନ୍ଦରରୁ ନିୟମିତ ବିମାନ ସେବା ଆରମ୍ଭ ହେବ। ଖେଳାଳି ଓ ମ୍ୟାଚ୍‌ ଅଫିସିଆଲମାନଙ୍କ ଯାତାୟାତ ପାଇଁ ଚାର୍ଟର୍ଡ ବିମାନର ବ୍ୟବସ୍ଥା କରାଯାଉଛି। ଏହା ବାଦ୍‌ ଭୁବନେଶ୍ବରରେ ସଫଳତାର ସହ ସେବା ଯୋଗାଉଥିବା ‘ମୋ ବସ୍‌’ ସେବା ମଧ୍ୟ ରାଉରକେଲାରେ ଆରମ୍ଭ ହେବ। ପ୍ରାଥମିକ ପର୍ଯ୍ୟାୟରେ ୧୦୦ଟି ନୂଆ ବସ୍‌ ଚଲାଇବାକୁ ଯୋଜନା ହୋଇଛି।

ଭୁବନେଶ୍ବରରେ କଳିଙ୍ଗ ହକି ଷ୍ଟାଡିୟମ୍‌ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ ନଭେମ୍ବର ଶେଷ ସୁଦ୍ଧା ସଂପୂର୍ଣ୍ଣ ହେବ। ଉଭୟ ଷ୍ଟାଡିୟମ୍‌ରେ ଆଷ୍ଟ୍ରୋ ଟର୍ଫ ଓ ଫ୍ଲଡ୍‌ ଲାଇଟ୍‌ କାମ ଶେଷ ହୋଇଛି। ଖେଳାଳି ଓ ମ୍ୟାଚ୍‌ କର୍ମକର୍ତ୍ତାମାନଙ୍କ ରହଣି ପାଇଁ ୨୨୫ଟି ରୁମ୍‌ ପ୍ରସ୍ତୁତ ହେଉଛି। ଏହା ନଭେମ୍ବର ସୁଦ୍ଧା ସଂପୂର୍ଣ୍ଣ ହେବ। ଏହାସହ ରାଉରକେଲା ଓ ଭୁବନେଶ୍ବର ସହରର ସୌନ୍ଦର୍ଯ୍ୟୀକରଣ କରାଯାଉଛି। ସବୁ ବିଭାଗ ପରସ୍ପର ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ ଜାରି ରଖିଛନ୍ତି। ଆୟୋଜକ କମିଟି ଓ ବିଭିନ୍ନ ସବ୍‌-କମିଟି ମଧ୍ୟ ପ୍ରସ୍ତୁତି ଚାରି ରଖିଛନ୍ତି। ଏହାକୁ ସଂପୂର୍ଣ୍ଣ ନିରାପଦ ବା ଅଘଟଣମୁକ୍ତ କରିବା ପାଇଁ ନିରାପତ୍ତା ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି।

ବିଶ୍ବକପ୍‌ ହକି ଆୟୋଜନରେ ସାମିଲ ହୋଇଥିବା ସବୁ ବିଭାଗର ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ସବୁ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିଶ୍ବକପ୍‌ ଯେଭଳି ଏକ ଭବ୍ୟ ଉତ୍ସବ ଭାବେ ସ୍ମରଣୀୟ ହୋଇ ରହିବ, ସେଥିପାଇଁ ବିଭାଗୀୟ ସମନ୍ବୟ ରଖି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଭୁବନେଶ୍ବର ଓ ରାଉରକେଲାଠାରେ ଆସନ୍ତା ବର୍ଷ ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ହକି ବିଶ୍ବକପ୍‌ ଅନୁଷ୍ଠିତ ହେବ। ଏଥିରେ ବିଶ୍ବର ୧୬ଟି ଦଳ ଅଂଶଗ୍ରହଣ କରିବେ। ଭୁବନେଶ୍ବରରେ ୨୪ଟି ଓ ରାଉରକେଲାରେ ୨୦ଟି ମ୍ୟାଚ ଖେଳାଯିବ।

ସମ୍ବନ୍ଧିତ ଖବର