ରାଉରକେଲା: ଜନସାଧାରଣଙ୍କ ଉପରେ ଅତ୍ୟଧିକ ହୋଲ୍ଡିଂ ଟିକସ ବୃଦ୍ଧିକୁ ଅନେକ ଦିନରୁ ବିରୋଧ କରିଆସୁଛନ୍ତି ସହରବାସୀ। ଟିକସ ୧୧ ପ୍ରତିଶତରୁ ୧୫%କୁ ବୃଦ୍ଧି ପାଇଥିବାରୁ ବିଭିନ୍ନ ଅନୁଷ୍ଠାନ ଓ ଘର ମାଲିକ ଏହାର କଡା ବିରୋଧ କରିଛନ୍ତି। ଆର୍ଏମ୍ସିରେ କୌଣସି ଜନ ପ୍ରତିନିଧି ନଥିବାବେଳେ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତି ଗ୍ରହଣୀୟ ନୁହେଁ ବୋଲି ସହରବାସୀଙ୍କ ପକ୍ଷରୁ କୁହାଯାଇଛି। ତେବେ ରାଜନୈତିକ ଦଳ ଓ ସହରବାସୀଙ୍କ ବିରୋଧ ସତ୍ବେ ଆର୍ଏମ୍ସି ବର୍ଦ୍ଧିତ ଦରରେ ହୋଲ୍ଡିଂ ଟିକସ ଆଦାୟ କରୁଥିବାରୁ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ ଛେଣ୍ଡକଲୋନି ବାସିନ୍ଦା ବିଚିତ୍ରା ନନ୍ଦ ଜେନା। ରାଜ୍ୟ ସରକାରଙ୍କ ଗୃହ ଉନ୍ନୟନ ବିଭାଗ, ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ, ସୁନ୍ଦରଗଡ଼ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଆର୍ଏମ୍ସି କମିସନରଙ୍କୁ ସେ ପକ୍ଷଭୁକ୍ତ କରିଥିଲେ। ଶ୍ରୀ ଜେନା ତାଙ୍କ ଅଭିଯୋଗରେ ଉଚ୍ଚ ନ୍ୟାୟାଳୟଙ୍କୁ ଜଣାଇଥିଲେ, ଆର୍ଏମ୍ସିରେ ଏଯାଏ ନିର୍ବାଚନ ହୋଇନାହିଁ। କର୍ପୋରେଟର କିମ୍ବା ମେୟର ନିଯୁକ୍ତ ହୋଇନାହାନ୍ତି। ଏଠାରେ କର୍ପୋରେସନ୍ ଆସେସ୍ମେଣ୍ଟ ଟ୍ରିବୁନାଲ ଗଠନ କରାଯାଇ ନାହିଁ। କିନ୍ତୁ ଓଏମ୍ଏସି ଆକ୍ଟ -୨୨୨ ଲଗାଇଯାଇ ଟ୍ୟାକ୍ସ ଆଦାୟ କରାଯାଉଛି।
ଆର୍ଏମ୍ସି ପକ୍ଷରୁ ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇ ନାହିଁ ବୋଲି ଯେଉଁ ଯୁକ୍ତି ଉପସ୍ଥାପନ କରାଯାଉଛି, ତାହା ଭୁଲ୍। ଚଳିତ ଆର୍ଥିକ ବର୍ଷରେ ଏହା ୧୧%ରୁ ୧୫%କୁ ବୃଦ୍ଧି ପାଇଛି। ତତ୍କାଳୀନ କମିସନର ନିଜ ଅଧିକାର ବହିର୍ଭୁତ ରିଜଲ୍ୟୁସନ୍ ପାସ୍ କରି ( ଚିଠି ସଂଖ୍ୟା ୩୦୭୫ ତା.୩୧.୦୩.୨୦୧୬) ଟ୍ୟାକ୍ସ ବୃଦ୍ଧି କରିଛନ୍ତି, ଯାହା ଓଏମ୍ସି ଆକ୍ଟ-୨୨୨କୁ ମଧ୍ୟ ଉଲ୍ଳଂଘନ କରୁଛି। ୧୧% ଯାହା ପୂର୍ବରୁ ମଧ୍ୟ ଭ୍ରାମାତ୍ମକ ଥିଲା, ତାକୁ ସଂଶୋଧନ ନ କରି ୧୫%କୁ ବୃଦ୍ଧି କରିବା କେତେଦୂର ନ୍ୟାୟ ସଙ୍ଗତ ବୋଲି ତାଙ୍କ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଉଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣି କରି ଆର୍ଏମ୍ସିକୁ ସମ୍ପୂର୍ଣ୍ଣ ହୋଲ୍ଡିଂ ଟ୍ୟାକ୍ସର କେବଳ ୨୫% ଆଦାୟ କରିପାରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୫ ଦିନ ମଧ୍ୟରେ ହୋଲ୍ଡିଂ ଟିକସ ସମସ୍ୟାର ସମାଧାନ କରିବାକୁ ଆର୍ଏମ୍ସି କର୍ତ୍ତୃପକ୍ଷଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ସହରବାସୀଙ୍କ ମଧ୍ୟରେ ସୁସ୍ଥ ବାତାବରଣ ସୃଷ୍ଟି କରିବାକୁ ହୋଲ୍ଡିଂ ଟ୍ୟାକ୍ସ ବିବାଦର ସମାଧାନ କରିବାକୁ ଆର୍ଏମ୍ସି କର୍ତ୍ତୃପକ୍ଷଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ତେବେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ସହରବାସୀ ବର୍ଦ୍ଧିତ ହୋଲ୍ଡିଂ ଟିକସରୁ ମୁକ୍ତି ପାଉଛନ୍ତି କି ନାହିଁ, ତା’ଉପରେ ସମସ୍ତଙ୍କ ନଜର ରହିଛି। ଉଲ୍ଲେଖଯୋଗ୍ୟ, ରାଉରକେଲା ସହରରେ ମୋଟ ୧୬, ୯୮୮ ହୋଲ୍ଡିଂ ଟିକସ ପ୍ରଦାନକାରୀ ରହିଛନ୍ତି। ବର୍ଷକୁ ଆର୍ଏମ୍ସି ୪ କୋଟିରୁ ୯ କୋଟି ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଛି। ଗତ ୨୦୧୬-୧୭ରେ ଆର୍ଏମ୍ସି ୪ କୋଟି ୩୦ ଲକ୍ଷ ହୋଲ୍ଡିଂ ଟିକସ ଆଦାୟ କରିଥିବାବେଳେ ୨୦୧୭-୧୮ରେ ୩ କୋଟି ୪୮ ଲକ୍ଷ ଟଙ୍କା ଆଦାୟ ହୋଇଥିଲା। ୨୦୧୮-୧୯ରେ ୪ କୋଟି ୩୩ ଲକ୍ଷ, ୨୦୧୯-୨୦ରେ ୭ କୋଟି ୪୫ ଲକ୍ଷ, ୨୦୨୦-୨୧ରେ ୮ କୋଟି ୬୬ କୋଟି ଟଙ୍କା ହୋଲ୍ଡିଂ ଟିକସ ଆଦାୟ ହୋଇଛି।