କୋରାପୁଟ: କରୋନା କଟକଣା ଯୋଗୁଁ ଦୁଇବର୍ଷ ହେବ ହୋଲି ବନ୍ଦ ରହିଥିଲା। ଚଳିତବର୍ଷ କରୋନାରେ ହୋଲି ଖେଳାକୁ ନେଇ ସାମାନ୍ୟ କଟକଣା ହଟିଥିବାରୁ ଏଥିପାଇଁ ଏବେଠାରୁ ବଜାରରେ ମେଲିଲାଣି ରଙ୍ଗର ପସରା ଚଳିତ ବର୍ଷ ସର୍ବସାଧାରଣ ସ୍ଥଳୀରେ ହୋଲିକୁ ବାରଣ କରାଯାଉଥିବା ବେଳେ ଲୋକେ ପରିବାର ସହିତ ହୋଲି ଖେଳିପାରିବେ। ବ୍ୟବସାୟୀମାନେ ବିଭିନ୍ନ ପ୍ରକାର ଫଗୁକୁ ନେଇ ଦୋକାନ ସଜେଇଲେଣି । ଆଉ ୩ ଦିନ ପରେ ରଙ୍ଗର ପର୍ବ ‘ହୋଲି’ । ପୌର ନିର୍ବାଚନ ରହିଥିବାରୁ ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଅଭିନନ୍ଦନ ଜଣାଇବେ କୋରାପୁଟିଆ ।
ଭଳିକି ଭଳିକି ରଙ୍ଗ ଓ ଅବିରର ପସରା ଏବେ ସହରରେ ସବୁ ଛୋଟ ବଡ଼ ଦୋକାନରେ । ଖାଲି ସେତିକି ନୁହେଁ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ଏସବୁ ଦୋକାନରେ ରଙ୍ଗବେରଙ୍ଗର ଅବିର ସହ ପିଚକାରୀ, ମୁଖା, ଟୋପି ଆଦି ବିଭିନ୍ନ ପ୍ରକାରର ସାମଗ୍ରୀ ମଧ୍ୟ ବିକ୍ରି ହେଉଛି । ବଜାରକୁ ଆସିଛି ବିଭିନ୍ନ ରଙ୍ଗର ଅବିର । କେମିକାଲ୍ ରଙ୍ଗ ଦେହ ପାଇଁ କ୍ଷତିକାରକ ହୋଇଥିବାରୁ ଦୋକାନୀମାନେ ହର୍ବାଲ ରଙ୍ଗ ବିକ୍ରି କରୁଛନ୍ତି । ଆଉ ଏଥରକ ବି ଲୋକେ ହର୍ବାଲ ରଙ୍ଗ ପ୍ରତି ବେଶ୍ ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଇଛି । ହର୍ବାଲ ରଙ୍ଗର କିଣାବିକା ବି ବଢିବାରେ ଲାଗିଛି ।
ବଜାରରେ ମିଳୁଥିବା ସାଧାରଣ ଫଗୁ କିଲୋପିଛା ୧୨୦ ଟଙ୍କାରରେ ବିକ୍ରି ହେଉଛି । ଏସମ୍ପର୍କରେ ଦୋକାନୀ ରବି ବେହେରା କୁହନ୍ତି, ଲୋକମାନେ କେମିକାଲ୍ ରଙ୍ଗ ଅପେକ୍ଷା ହର୍ବାଲ ରଙ୍ଗକୁ ଅଧିକ ପସନ୍ଦ କରୁଛନ୍ତି । ବହୁ ଦୋକାନରେ କେମିକାଲ୍ ରଙ୍ଗ ଆଉ ବିକ୍ରି କରାଯାଉନି । ରଙ୍ଗର ବ୍ୟବସାୟ ଆଉ ଦୁଇ ତିନି ଦିନ ପରେ ଭଲ ହେବ । ସପ୍ତାହେ ମଧ୍ୟରେ ପାଖାପାଖି ୩୦ରୁ ୪୦ ହଜାର ଟଙ୍କାର ବ୍ୟବସାୟ ହୁଏ । ହୋଲି ଦିନ ମଧ୍ୟାହ୍ନ ପର୍ଯ୍ୟନ୍ତ ମଧ୍ୟ ବିକ୍ରି ଲାଗି ରହିବ । ହୋଲିରେ ରଙ୍ଗ ଭଳି ପିଚକାରୀ ବି ମୁଖ୍ୟ ଜିନିଷ ।ଏଥିପାଇଁ ବଜାରକୁ ନୂଆକରି ଆସିଛି ପେନ୍ସିଲ୍ ଡିଜାଇନ୍ର ପିଚକାରୀ । ଏହାର ଦାମ୍ ୧୫୦ରୁ ଆରମ୍ଭ ହୋଇ ୩୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ।
ସେହିପରି ସେନାବାହିନୀ ବ୍ୟବହାର ହେଉଥିବା ବିଭିନ୍ନ ବନ୍ଧୁକ, ମିଶାଇଲ୍ ଆକୃତିର ପିଚ୍କାରୀ ମିଳୁଛି । ଏହାର ଦାମ୍ ପ୍ରାୟ ୫୦୦ରୁ ୧୦୦୦ ଟଙ୍କା ଭିତରେ ରହିଛି । ପ୍ଲାଷ୍ଟିକ୍ ବ୍ୟତୀତ ଧାତବ ପିଚ୍କାରୀ ବି ମିଳୁଛି । ଛୋଟ ପିଲାଙ୍କ ପାଇଁ ବନ୍ଧୁକରେ କାର୍ଟୁନ ହାତୀ, ବାଘ, ଘୋଡ଼ା ଆଦିର ଚିତ୍ର କରାଯାଇଛି । ଏସବୁର ଦାମ୍ ୪୦ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ବିଭିନ୍ନ ଫଳ ଆକୃତିର ପିଚକାରୀ ବି ମିଳୁଛି । ରଙ୍ଗ ଫୋପାଡ଼ିବା ପାଇଁ ବେଲୁନ୍ ମିଳୁଛି । ଏହାର ଦାମ୍ ପ୍ୟାକେଟ ପିଛା ୫୦ରୁ ୧୦୦ ଟଙ୍କା ରହିଛି । ଗୋଟିଏ ପ୍ୟାକେଟ୍ରେ ୧୦୦ଟି ବେଲୁନ୍ ଅଛି । ହୋଲିରେ ଅନ୍ୟତମ ଆକର୍ଷଣ ବିଭିନ୍ନ ପ୍ରକାରର ମୁଖା ବି ଦୋକାନରେ ମିଳୁଛି । ପଶୁ ମୁଖା, ଭୂତ, କ୍ରିସ୍, ସ୍ପାଇର୍ଡ ମ୍ୟାନ୍, ଜୋକର ଆଦିର ମୁଖା ଉପଲବ୍ଧ ହେଉଛି । ପଶୁ ଓ ଭୂତର ଦାମ୍ ଡିଜାଇନ୍ ଅନୁସାରେ ୩୦ରୁ ଆରମ୍ଭ କରି ୩୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ପିଲାଙ୍କ ପାଇଁ ଡୋରେମନ୍, ନଞ୍ଜିା ହାତୋଡି, ଛୋଟା ଭିମ୍, କିସ୍ର, ମୋଟୁ ଓ ପତ୍ଲୁ, ପିକାଚୁ ଭଳି କାର୍ଟୁନ୍ଙ୍କୁ ମୁଖା ରହିଛି । ଯାହାର ଦାମ୍ ୧୦ରୁ ଆରମ୍ଭ କରି ୧୦୦-୧୫୦ ଟଙ୍କା ମଧ୍ୟରେ ରହିଛି । ଏହା ସହ ହୋଲି ପାଇଁ ପଗଡ଼ି, ଜୋର୍କ, ହ୍ୟାଟ୍, ସାଧା ଟୋପି ବି ଦୋକାନରେ ମିଳୁଛି । ଚଳିତ ବର୍ଷ ନୂଆକରି ଆସିଛି ପଗଡ଼ି । ସବୁର ଦାମ୍ ୫୦ରୁ ଆରମ୍ଭ କରି ୩୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ହୋଲି ପାଇଁ ସବୁ ସାମଗ୍ରୀ ରାୟପୁର ଆସୁଛି ବୋଲି ଦୋକାନୀ ଏକାଦଶୀ ବେହେରା କହିଛନ୍ତି ।