କଟକ: ରାଜ୍ୟ ରାଜନୀତିରେ ବିଭିନ୍ନ ସମୟରେ ଭାଗ୍ୟ ପରୀକ୍ଷା କରି ଆସିଛନ୍ତି ଓଲିଉଡ୍ ଷ୍ଟାର୍‌। ଅନେକ ଲୋକପ୍ରିୟ ଷ୍ଟାର ରାଜନୀତିକୁ ଆସି ବିଫଳ ହୋଇଥିବା ବେଳେ ଅନେକ ବି ସଫଳତାର ସ୍ବାଦ ଚାଖିଛନ୍ତି। ଏଥର ନିର୍ବାଚନ ମଇଦାନରେ ଓଲିଉଡ୍‌ ସୁପର୍‌ଷ୍ଟାର୍‌ ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ, ବର୍ଷା ପ୍ରିୟଦର୍ଶିନୀ, ଅରିନ୍ଦମ୍‌ ରୟ ଓ ମନୋଜ ମିଶ୍ରଙ୍କ ଭଳି ଆଗଧାଡ଼ିର ଅଭିନେତା, ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିଛି। ଏମାନେ ପ୍ରମୁଖ ରାଜନୈତିକ ଦଳ ଗୁଡିକିର ଟିକେଟରେ ନିର୍ବାଚନ ମଇଦାନକୁ ଓହ୍ଲାଇ ଭାଗ୍ୟ ପରୀକ୍ଷା କରୁଛନ୍ତି।

Advertisment

ସୁପର୍‌ଷ୍ଟାର୍‌ ସିଦ୍ଧାନ୍ତ ମହାପାତ୍ର ପୂର୍ବରୁ ଦୁଇଥର ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ଏଥର ବିଜେପି ଟିକେଟରେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ଏହି ଆସନ ପୂର୍ବତନ ବାଚସ୍ପତି ବିଜେଡିର ସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଆସନ ଥିଲା। ଚଳିତଥର ଏହି ଆସନରୁ ବିଜେଡି ଟିକେଟରେ ସ୍ବର୍ଗତ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ର ଲଢ଼ୁଥିବା ବେଳେ ତାଙ୍କ ସହ ସିଦ୍ଧାନ୍ତଙ୍କ ମୁକାବିଲା ହେଉଛି। ସେହିପରି ଅଭିନେତା ଆକାଶ ଦାସ ନାୟକ ପୂର୍ବରୁ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ଏଥର ଦଳବଦଳ କରି ବିଜେପି ଟିକେଟରେ ଯାଜପୁରର କୋରେଇ ଆସନରୁ ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି। ଚଳିତ ନିର୍ବାଚନରେ ପ୍ରଥମଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀଙ୍କ ଭିତରେ ଅଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ବର୍ଷା ବିଜେଡି ଟିକେଟରେ ଯାଜପୁର ଜିଲ୍ଲା ବଡ଼ଚଣାରୁ ବିଧାନସଭା ନିର୍ବାଚନ ଲଢ଼ୁଥିବା ବେଳେ ନିକଟରେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିବା ଅଭିନେତା ଅରିନ୍ଦମ୍‌ ରୟ ବିଜେପି ଟିକେଟରେ କଟକ ଜିଲ୍ଲା ସାଲେପୁର ବିଧାନସଭା ଆସନରୁ ନିର୍ବାଚନ ଲଢୁଛନ୍ତି। ସେହିଭଳି ବଲାଙ୍ଗୀର ଲୋକସଭା ଆସନରୁ କଂଗ୍ରେସ ଟିକେଟରେ ଅଭିନେତା ମନୋଜ କୁମାର ମିଶ୍ର ଏଥର ପ୍ରଥମ ଥର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ନିର୍ବାଚନ ରାଜନୀତିରେ ଓଲିଉଡ୍‌ର ଏହି ୫ଜଣ ପ୍ରମୁଖ ସିନେଷ୍ଟାର୍‌ କେତେ ସଫଳ ‌ହେବେ, ତାହା ଜୁନ୍‌ ୪ରେ ଜଣା ପଡିବ। କିନ୍ତୁ ପ୍ରଚାର ଶୋଭାଯାତ୍ରାରେ ଏହି ଷ୍ଟାର୍‌ଙ୍କୁ ଦେଖିବା ସହିତ ସେମାନଙ୍କ ସହ ସେଲ୍‌ଫି ନେବା ପାଇଁ ଲୋକଙ୍କ ଭିଡ଼ ଜମୁଛି।

ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର, ଅଭିନେତା ବିଜୟ ମହାନ୍ତି, ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ଭଳି ବ୍ୟକ୍ତିବିଶେଷ ନିର୍ବାଚନ ରାଜନୀତିରେ ଭାଗ୍ୟ ପରୀକ୍ଷା କରିଥିଲେ ବି ସଫଳତା ପାଇଥିବା ଷ୍ଟାରଙ୍କ ଭିତରେ ହାତ ଗଣତି କେତେ ଜଣ ଅଛନ୍ତି। ଖ୍ୟାତନାମା ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ ପ୍ରଶାନ୍ତ ନନ୍ଦଙ୍କୁ ରାଜନୀତିରେ ସବୁଠୁ ଅଧିକ ସଫଳତା ମିଳିଛି। ପ୍ରଶାନ୍ତ ନନ୍ଦ ୨୦୦୦ ମସିହାରେ ବିଜେପି ଟିକେଟରେ ଓ ୨୦୦୪ରେ ଏନ୍‌ସିପି ଟିକେଟରେ ବିଜୟୀ ହୋଇ ଦୁଇଥର ବିଧାନସଭାକୁ ଯିବା ସହ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଧ୍ୟ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ବିଜେଡିରେ ସାମିଲ ହୋଇ ଏବେ ରାଜ୍ୟସଭା ସାଂସଦ ଅଛନ୍ତି। ସେହିପରି ସିଦ୍ଧାନ୍ତ ମହାପାତ୍ର ବିଜେଡି ଟିକେଟରେ ୨୦୦୯ ଓ ୨୦୧୪ରେ ନିର୍ବାଚନ ଲଢ଼ି ଦୁଇଥର ଲୋକସଭାକୁ ପ୍ରତିନିଧିତ୍ବ କରିଥିବା ବେଳେ ଏଥର ବିଜେଡିରୁ ଇସ୍ତଫା ଦେଇ ବିଜେପି ଟିକେଟରେ ଦିଗପହଣ୍ଡିରୁ ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି। ସୁପରଷ୍ଟାର୍‌ ଅନୁଭବ ମହାନ୍ତି ୨୦୧୪ରେ ବିଜେଡି ଟିକେଟରେ ରାଜ୍ୟସଭାକୁ ଯାଇଥିବା ବେଳେ ୨୦୧୯ରେ ବିଜେଡି ଟିକେଟରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଲଢ଼ି ବିଜୟୀ ହୋଇଥିଲେ। ଅନୁଭବ ବିଜେଡିରୁ ଇସ୍ତଫା ଦେଇ ଏବେ ବିଜେପିରେ ସାମିଲ ହୋଇଛନ୍ତି। ସେହିଭଳି ଅଭିନେତା ଆକାଶ ଦାସ ନାୟକ ୨୦୧୪ରେ ବିଜେଡି ଟିକେଟରେ କୋରେଇ ଆସନରୁ ଲଢ଼ି ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ଏଥର ନିର୍ବାଚନ ପୂର୍ବରୁ ସେ ବିଜେଡିରୁ ଇସ୍ତଫା ଦେଇ ବିଜେପି ଟିକେଟରେ କୋରେଇ ବିଧାନସଭା ଆସନରୁ ଭାଗ୍ୟ ପରୀକ୍ଷା କରୁଛନ୍ତି।