ଜୟପୁର: କୋଭିଡ୍ ସଂକ୍ରମଣ ଓ କଟକଣା ନଥିବାରୁ ଏବର୍ଷର ଦୀପାବଳିରେ ଲୋକେ ନିଜ ଇଛା ମୁତାବକ ବାଣି କିଣି ପୁଟାଇ ପାରିବେ। ଜୟପୁର ସହରରେ ୩ଟି ଲାଇସେନସ୍ ପ୍ରାପ୍ତ ହୋଲସେଲ ବାଣବିକ୍ରେତା ବ୍ରାହ୍ମଣୀଗାଁ (ଝିଙ୍କରଗୁଡା), ହାଟପଦା ଓ ପାଂଜିଆଗୁଡା ଗୋଦାମରେ ବିକ୍ରି ଆରମ୍ଭ କରିଛନ୍ତି। ଅଭିବକ୍ତ କୋରାପୁଟ ଜିଲ୍ଲାର ଖୁଚୁରା ବାଣ ବିକ୍ରେତା ଓ ଗ୍ରାହକମାନେ ଏହି ତିନି ଗୋଦାମରେ ବାଣ କିଣି ନେଉଥିବା ଦେଖିବାକୁ ମିଳିଛି। ଏଥରକ ଜୟପୁର ସହରରେ ଦଶହରାପଡ଼ିଆରେ ଖୁଚୁରା ବାଣ ଦୋକାନ ବିକ୍ରୟ ଷ୍ଟଲ କରାଯିବା ପାଇଁ ଯୋଜନା କରାଯାଇଛି।

Advertisment

ସହରରେ ୪୭ଟି ଓ ବ୍ଲକର ଏକମ୍ବାରେ ୨ଟି ଓ  କୁମୁଲିପୁଟରେ ଗୋଟିଏ ଏଭଳି ୫୦ଟି ଖୁଚୁରା ଦୋକାନ ଖୋଲିବା ପାଇଁ ଲାଇସେନସ୍ ଆବେଦନ ପ୍ରକ୍ରିୟା ଜାରି ରହିଥିବା ସୂଚନା ମିଳିଛି। ଅପରପକ୍ଷରେ ଷ୍ଟଲ ଗୁଡିକ ବି ପ୍ରସ୍ତୁତି ଚ‌ାଳିଛି। ପ୍ରଶାସନ ପକ୍ଷରୁ ଖୁଚୁରା ବ୍ୟବସାୟୀଙ୍କୁ କେତେ ଦିନ ପାଇଁ ବାଣ ବିକ୍ରି କରିବାକୁ ଅନୁମତି ଦେବେ ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ଆସନ୍ତା ୧୨ତାରିଖ ଦିନ ଦୀପାବଳି ରହିଥିବାରୁ ଏହା ପୂର୍ବରୁ ଲାଇସେନସ୍ ପ୍ରଶାସନ ଦେବା କଥା।

ପୂର୍ବବର୍ଷ ଗୁଡିକରେ ଠିକଣା ସମୟରେ ଲାଇସେନସ୍ ଦେଉ ନଥିବାରୁ କିଛି ବେପାରୀ ବିନା ଲାଇସେନସ୍ ରେ ବି ବିକ୍ରି କରିଥିବା ଦେଖିବାକୁ ମିଳିଥିଲା। ତେଣୁ  ପ୍ରଶାସନ ପକ୍ଷରୁ ସଂପୂର୍ଣ୍ଣ ଯାଂଚ କରି ଲାଇସେନସ୍ ଦେବାକୁ ମତ ପ୍ରକାଶ ପାଇଛି।  ଜିଏସଟି ପଡ଼ୋଶୀ ରାଜ୍ୟ‌ ସହ ଆମ ରାଜ୍ୟର ସମାନ ରହିବା ସହ ମାର୍ଜିନ ଜୟପୁରର ହୋଲସେଲରମାନେ ଅଧିକା ଦେଉଥିବାରୁ ଅବିଭକ୍ତ କୋରାପୁଟ ଜିଲ୍ଲାର ବହୁ ଖୁଚୁରା ବ୍ୟବସାୟୀ ଏଥରକ ଜୟପୁରରୁ ବାଣ ନେବାକୁ ପ୍ରାଥମିକତା ଦେଉଥିବା କହିଛନ୍ତି। କିଛି ନୂଆ ଭେରାଇଟିର ବାଣ ପାଇଁ କିଛି ଖୁଚୁରା ବ୍ୟବସାୟୀ ବିଜୟନଗରମ, ଜଗଦଲପୁର ଯାଇ ବି ବାଣ ଆଣିଥିବା ସୂଚନା ମିଳିଛି।