ଭୁବନେଶ୍ବର: ବିଜେଡି ସରକାରଙ୍କ ଜନହିତକର କାର୍ଯ୍ୟକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି। ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସହିତ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ସୁଫଳ ମିଳୁଛି। ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ପରିବାର ପାଇଁ ବଡ଼ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି ରାଜ୍ୟରେ ପୁଣିଥରେ ବିଜେଡି ସରକାର ଗଠନ କରେ ତେବେ ରାଜ୍ୟରେ ମଧ୍ୟବିତ୍ତ ପରିବାରଙ୍କୁ ରିହାତି ସୁଧରେ ଗୃହଋଣ ଯୋଗାଇ ଦିଆଯିବ।ଯେଉଁମାନଙ୍କ ମୁଣ୍ଡ ଉପରେ ଛାତ ନାହିଁ ବା ବଡ଼ଘର କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହଋଣ ସୁଧ ଉପରେ ରିହାତି ମିଳିବ।
ଏହା ଦ୍ୱାରା ରାଜ୍ୟରେ ମଧ୍ୟବିତ୍ତ ପରିବାରଙ୍କ ବଡ଼ ଘର କରିବାର ସ୍ୱପ୍ନ ସାକାର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାକୁ ମଧ୍ୟ ବିଜେଡି ନିର୍ବାଚନୀ ପ୍ରସଙ୍ଗ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ୪.୫କୋଟି ଲୋକଙ୍କ ପାଇଁ ଭିନ୍ନଭିନ୍ନ ଯୋଜନା କରି ସେମାନଙ୍କୁ ଲାଭାନ୍ୱିତ କରିବାକୁ ଚେଷ୍ଟା କରିଛନ୍ତି। ଏସବୁ ଯୋଜନା ସହିତ ଏହି ନୂଆ ଯୋଜନା ଲାଗୁହେଲେ ଅନେକ ଲୋକ ଲାଭାନ୍ୱିତ ହେବେ।
କାରଣ ବ୍ୟାଙ୍କଗୁଡ଼ିକ ଅନ୍ୟ ଋଣଠାରୁ ଗୃହଋଣ ଉପରେ ଅଧିକ ସୁଧ ନେଇଥାନ୍ତି। ଫଳରେ ଗରିବ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ବ୍ୟାଙ୍କରୁ ଗୃହଋଣ ଆଣି ଘର କରିବାକୁ ଭୟ କରିଥାନ୍ତି।
ଯଦି ପୁଣି ଥରେ ରାଜ୍ୟରେ ବିଜେଡି ସରକାର ଆସେ ତେବେ ମଧ୍ୟବିତ୍ତ ଲୋକଙ୍କର ଅପେକ୍ଷାକୃତ ଟିକେ ବଡ଼ଘର କରିବାର ସ୍ୱପ୍ନ ସାକାର ହୋଇପାରିବ। ଏହା ହେଉଛି ମଧ୍ୟବିତ୍ତ ପରିବାରଙ୍କ ପାଇଁ ନବୀନ ସରକାରଙ୍କ ଖୁସିର ଗ୍ୟାରେଣ୍ଟି।