ଭାପୁର ବ୍ଲକରେ ଗୃହ ଦୁର୍ନୀତି: ଉପାଧ୍ୟକ୍ଷ ଗୟାଧରଙ୍କୁ ଲୋକାୟୁକ୍ତ ନୋଟିସ୍‌

ଏପ୍ରିଲ ୧୧ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ, ଏକାଧିକ କର୍ମଚାରୀ ବି ଫସିଲେ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଫତେଗଡ଼ ପଞ୍ଚାୟତରେ ହୋଇଥିବା ମିସନ୍‌ ଶକ୍ତି ଗୃହ ନିର୍ମାଣ ଦୁର୍ନୀତି ଆଜି ନୂଆ ମୋଡ଼ନେଇଛି। ଏଠାରେ ଥିବା ଏକ ପୁରୁଣା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କ୍ବାର୍ଟରକୁ ଦେଖାଇ ମିସନ୍‌ ଶକ୍ତି ଗୃହ ବାବଦରେ ଜାଳ୍ ବିଲ୍‌ କରାଯାଇଥିଲା। ଏସଂକ୍ରାନ୍ତ ଅଭିଯୋଗ ଉପରେ ଶୁଣାଣି କରି ଲୋକାୟୁକ୍ତ ଆଜି ଭାପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ (ବର୍ତ୍ତମାନର ଭାରପ୍ରାପ୍ତ ଅଧ୍ୟକ୍ଷ) ଗୟାଧର ପରିଡ଼ା ଏବଂ ବ୍ଲକ୍‌ର ପ୍ରାୟ ୧୦ ଜଣ କର୍ମଚାରୀଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏପ୍ରିଲ ୧୧ ସୁଦ୍ଧା ଏହାର ଜବାବ ଦାଖଲ କରିବାକୁ କୁହାଯାଇଛି।

ଅଭିଯୋଗ ଅନୁଯାୟୀ ପୁରୁଣା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କ୍ବାର୍ଟରକୁ ଦେଖାଇ ମିସନ୍‌ ଶକ୍ତି ଗୃହ ବାବଦରେ ଜାଳ୍ ବିଲ୍‌ କରାଯାଇଥିଲା। ପୁରୁଣା ଘରକୁ ରଙ୍ଗ କରି ନୂଆ ଗୃହ ନିର୍ମାଣ ହୋଇଥିବା ଦର୍ଶାଯାଇଥିଲା। ଏବାବଦ ପ୍ରାୟ ୪ ଲକ୍ଷ ୫୦ ହଜାର ଟଙ୍କାର ଅନୁଦାନ ରାଶି ହଡ଼ପ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହା ପଛରେ ଭାପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ( ବର୍ତ୍ତମାନର ଭାରପ୍ରାପ୍ତ ଅଧ୍ୟକ୍ଷ) ଗୟାଧର ପରିଡ଼ା, ସ୍ଥାନୀୟ ସରପଞ୍ଚ ତୋଫାନ ପ୍ରଧାନ ଓ ବ୍ଲକ୍‌ର ଜେଇଙ୍କ ହାତ ଥିବା ଅଭିଯୋଗ ହୋଇଥିଲା। ଏନେଇ ତତ୍‌କାଳୀନ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶାନ୍ତିଲତା ବେହେରା ପ୍ରଥମେ ଅଭିଯୋଗ କରିଥିଲେ। ଫତେଗଡ଼ର ୩ଟି ମହିଳା ସ୍ବୟଂସହାୟିକା ଗୋଷ୍ଠୀର ସଭାନେତ୍ରୀ ମଧ୍ୟ ଅଭିଯୋଗ ଆଣିଥିଲେ। ବ୍ଲକ୍‌ ଅଧ୍ୟକ୍ଷାଙ୍କ ଦସ୍ତଖତକୁ ଜାଲିଆତି କରି ଶ୍ରୀ ପରିଡ଼ା ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ହଡ଼ପ କରିଥିବା ନେଇ ମଧ୍ୟ ଅଭି‌ଯୋଗ ହୋଇଛି। ମିସନ୍‌ ଶକ୍ତି ଗୃହ ନିର୍ମାଣ ଫଲ୍‌ସ ବିଲ୍‌ ବାବଦରେ ମିସନ୍‌ ଶକ୍ତି ନିର୍ଦ୍ଦେଶିକା ସୁଜାତା ଆର୍‌ କାର୍ତ୍ତିକେୟନଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟ‌ରେ ମଧ୍ୟ ଅଭିଯୋଗ କରାଯାଇଥିଲା।

ଉପଜିଲ୍ଲାପାଳ ଘଟଣାର ତଦନ୍ତ କରି ରିପୋର୍ଟ ଦେଇଥିଲେ। ଏଥିରେ କୁହାଯାଇଥିଲା ଯେ ବିନା ନୂଆ ଘରରେ ବିଲ୍‌ କରାଯାଇଛି। ଦୁର୍ନୀତି ଧରାପଡ଼ିବା ପରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବାରୁ ସ୍ବୟଂସହାୟିକା ଗୋଷ୍ଠୀର ସଭାନେତ୍ରୀ ସୁରମା ସ୍ବାଇଁ, ପ୍ରମିଳା ଖୁଣ୍ଟିଆ, ଟିକିନା ସ୍ବାଇଁ ପ୍ରମୁଖ ଲୋକାୟୁକ୍ତର ଦ୍ବାରସ୍ଥ ‌‌ହୋଇଥିଲେ। ଏନେଇ ଆଜି ଲୋକାୟୁକ୍ତ ଶୁଣାଣି କରି ଗୟାଧର ପରିଡ଼ାଙ୍କ ସମେତ ଘଟଣାରେ ସଂପୃକ୍ତ ଥିବା ବ୍ଲକ୍‌ର ପ୍ରାୟ ୧୦ ଜଣ କର୍ମଚାରୀଙ୍କୁ ନୋଟିସ୍‌ କରାଯାଇଛି ‌ବୋଲି ମାମଲା ପରିଚାଳନା କରୁଥିବା ଆଇନଜୀବୀ ସୀତାଂଶୁ ମୋହନ ଦ୍ବିବେଦୀ ଜଣାଇଛନ୍ତି। ଛନ୍ତି। କାହିଁକି ଅଭିଯୁକ୍ତମାନଙ୍କ ବିରୋଧରେ ଭିଜିଲାନ୍‌ସ କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି ସେମାନଙ୍କୁ ନୋଟିସ୍‌ କରାଯାଇଥିବା ଶ୍ରୀ ଦ୍ବିବେଦୀ କହିଛନ୍ତି। ଏପ୍ରିଲ ୧୧ ସୁଦ୍ଧା ଏହାର ଜବାବ ରଖିବାକୁ ଗୟାଧର ଓ ଅନ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଶ୍ରୀ ଦ୍ବିବେଦୀ କହିଛନ୍ତି।

ସମ୍ବନ୍ଧିତ ଖବର